ଓଏସ୍‍ ଅରୁଣଙ୍କ କର୍ଣ୍ଣାଟକୀ ସଙ୍ଗୀତରେ ଦର୍ଶକ ବିମୋହିତ


ଭୁବନେଶ୍ୱର : ସୃଜନ – ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟବାସ ଏବଂ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଆୟୋଜିତ ୩୦ତମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ ତୃତୀୟ ସନ୍ଧ୍ୟା ଅବିସ୍ମରଣୀୟ ତଥା ସୌନ୍ଦର୍ଯ୍ୟପୂର୍ଣ୍ଣ ଥିଲା । ପ୍ରଖ୍ୟାତ କର୍ଣ୍ଣାଟକୀ କଣ୍ଠଶିଳ୍ପୀ ଡକ୍ଟର ଓଏସ୍‍ ଅରୁଣ ଓ ତାଙ୍କ ସହଯୋଗୀ ଶିଳ୍ପୀଙ୍କ ଆଭିମୁଖ୍ୟରେ କର୍ଣ୍ଣାଟକୀ କଣ୍ଠସଙ୍ଗୀତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ରବିନ୍ଦ୍ର ମଣ୍ଡପର ପ୍ରେକ୍ଷାଳୟରେ ।

ଏହି ନୃତ୍ୟ, ସଙ୍ଗୀତ ଏବଂ ସମ୍ମାନ ଉତ୍ସବର ତୃତୀୟ ସନ୍ଧ୍ୟାରେ ସମ୍ମାନିତ ଅତିଥି ଭାବେ ଯାଜପୁର ଲୋକ ସଭା କ୍ଷେତ୍ରର ମାନ୍ୟବର ସାଂସଦ ଡକ୍ଟର ରବିନ୍ଦ୍ର ନାରାୟଣ ବେହେରା; ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ସଚିବ ଶ୍ରୀଯୁକ୍ତ ପ୍ରବୋଧ ରଥ; ବିଶିଷ୍ଟ ହିନ୍ଦୁସ୍ତାନୀ କଣ୍ଠଶିଳ୍ପୀ ତଥା ସଙ୍ଗୀତ ରଚୟିତା ଗୁରୁ (ଡକ୍ଟର) ମହେଶ୍ୱର ରାଓ; ବିଶିଷ୍ଟ ହିନ୍ଦୁସ୍ତାନୀ କଣ୍ଠଶିଳ୍ପୀ ତଥା ସଙ୍ଗୀତ ରଚୟିତା ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର କଳା ପରିବେଷଣ (ହିନ୍ଦୁସ୍ତାନୀ କଣ୍ଠଶିଳ୍ପୀ)ର ଅଧ୍ୟାପକ ଗୁରୁ ଦେବେନ୍ଦ୍ର ନାରାୟଣ ଶତପଥୀ; ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଇଞ୍ଜିନିୟରିଂ ଓ ଟେକ୍ନୋଲୋଜି ବିଭାଗର ଅଧ୍ୟାପକ ପ୍ରଫେସର (ଡକ୍ଟର) ରବିନାରାୟଣ ଶତପଥୀ; ବରିଷ୍ଟ ଆଇନଜୀବି ତଥା ରାଜନେତା ଶ୍ରୀଯୁକ୍ତ ପ୍ରିୟରଞ୍ଜନ ଦାସ ଏବଂ ସୃଜନର ନିର୍ଦ୍ଦେଶକ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର କଳା, ଯୋଗାଯୋଗ ଓ ଇଣ୍ଡିଜ ଷ୍ଟଡିଜ୍ ଅଧ୍ୟାପକ ଗୁରୁ ରତିକାନ୍ତ ମହାପାତ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ୱୋଳନ ପରେ ସଂଧ୍ୟାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା  ।

ତୃତୀୟ ସନ୍ଧ୍ୟାରେ ଆନ୍ତର୍ଜାତୀୟ ଖ୍ୟାତିସମ୍ପର୍ଣ୍ଣ କର୍ଣ୍ଣାଟକୀ କଣ୍ଠଶିଳ୍ପୀ କଲାଇମାମଣି ଓଏସ୍‍ ଅରୁଣଙ୍କ ଦ୍ୱାରା କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତ ପରିବେଷିତ ହୋଇଥିଲା । ତାଙ୍କ ସହିତ ବାଦ୍ୟଯନ୍ତ୍ର ବେହେଲାରେ ଡକ୍ଟର ବୈଦ୍ରୀନାରାୟଣନ୍‍, ମୃଦଙ୍ଗମ୍‍ରେ ଏମ୍‍ଏସ୍‍ ଭେଙ୍କଟସୁବ୍ରମଣ୍ୟମ୍‍ ଏବଂ ତବଲାରେ ଇ. ମାର୍ଟିନ୍‍ ପ୍ରଥମେ ଗୁରୁ କେଳୁଚରଣ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ତ୍ରୟୋଦଶ ବର୍ଷର ସମ୍ମାନ ଉତ୍ସବରେ ଏହି ବିଶିଷ୍ଟ ସଙ୍ଗୀତଜ୍ଞମାନଙ୍କର ସୁସଙ୍ଗତ ସମନ୍ୱୟରେ କର୍ଣ୍ଣାଟକୀ ସଙ୍ଗୀତ ପରିବେଷଣ ଉତ୍ସବଟିକୁ ଦ୍ୱିଗୁଣିତ କରିଥିଲା । ଓଏସ୍‍ ଅରୁଣଙ୍କ ପରିବେଷଣରେ ତାଙ୍କର କଣ୍ଠର ଯାଦୁକରୀ ସ୍ପର୍ଶ ସହିତ ଭକ୍ତିର ମହତ୍ୱକୁ ଶାସ୍ତ୍ରୀୟତା ସହିତ ମିଶ୍ରଣ କରିଥିଲା ଯାହାକୁ ଦର୍ଶକ ବେଶ୍‍ ପସନ୍ଦ କରିଥିଲେ । ଶ୍ରୀ ଦେବୀପ୍ରସାଦ ମିଶ୍ରଙ୍କ ଦ୍ୱାରା କାର୍ଯ୍ୟକ୍ରମର କାର୍ଯ୍ୟକାରିତା ସହିତ ଗୁରୁ ରତିକାନ୍ତ ମହାପାତ୍ରଙ୍କ ଦ୍ୱାରା ସମଗ୍ର ଉତ୍ସବଟିକୁ ସଂକଳ୍ପିତ ଏବଂ ପରିକଳ୍ପନା କରାଯାଇଥିଲା । ଏହି କାର୍ଯ୍ୟକ୍ରମଟିକୁ ଡଃ. ମୃତ୍ୟୁଞ୍ଜୟ ରଥ ପରିଚାଳନା କରିଥିଲେ । ୩୦ତମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବକୁ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସମର୍ଥନ କରିଛନ୍ତି । ଏମ୍‍.ଜି.ଏମ୍‍ ମିନେରାଲ୍ସ ଏବଂ ଶାଲିମାର କେମିକାଲ୍ ୱାର୍କସ୍ ଲିମିଟେଡ୍‌ଙ୍କ ଠାରୁ ଅନୁଦାନ ଗ୍ରହଣ କରାଯାଇଛି ।  ଶାଲିମାର୍ କୋକାନଟ୍ ଅଏଲ୍‌, ନାଲକୋ, ଏସ୍‌.ବି.ଆଇ, ଇମ୍ଫା, ପ୍ରିୟଦର୍ଶିନୀ ହାଣ୍ଡଲୁମ୍ ଏବଂ  ପାରାଦୀପ ଫସଫେଟ୍ ଲିମିଟେଡ୍ ଉତ୍ସବର ପ୍ରାୟୋଜକ ଅଟନ୍ତି । ଏହି ଉତ୍ସବର ଆତିଥ୍ୟକୁ ରୋଏଲେ ମିଡଟାଉନ୍ ହୋଟେଲ ପ୍ରଦାନ କରୁଛନ୍ତି । ଏହି ଉତ୍ସବର ଧରିତ୍ରୀ, ଓଡ଼ିଶା ପୋଷ୍ଟ ଏବଂ ନର୍ଥକୀ ଡଟ୍ କମ୍ ଯଥାକ୍ରମେ ମିଡିଆ ପାର୍ଟନର ଏବଂ ୱେବ୍ ପାର୍ଟନର ଅଟନ୍ତି ।


Share It

Comments are closed.