ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଝିଅ କବିତାଙ୍କୁ ସିବିଆଇର ସମନ


ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଜେରା ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କବିତାଙ୍କୁ ସମନ ଜାରି କରିଛି ସିବିଆଇ । ଡିସେମ୍ବର ୬ ତାରିଖ ଅପରାହ୍ନ ୧୧ଟା ସମୟରେ ବିଧାନ ପରିଷଦ ସଦସ୍ୟା କବିତାଙ୍କୁ ଜେରା ପାଇଁ ହାଜର ହେବାକୁ କୁହାଯାଇଛି । ଏହି ମଦ ଦୁର୍ନୀତି ମାମଲାରେ ତାଙ୍କର ସମ୍ପୃକ୍ତି ରହିଥିବା ପୂର୍ବରୁ ଇଡି କୋର୍ଟରେ ଦାଖଲ କରିଥିବା ରିପୋର୍ଟରେ ଉଲ୍ଲେଖ କରିଛି ।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସୂଚନା ମୁତାବକ, ସାଉଥ୍ ଗ୍ରୁପ ନୂଆ ଅବକାରୀ ନୀତି ଲାଗୁ ସମୟରେ ଆପ୍ ସରକାରଙ୍କୁ ୧୦୦ କୋଟି ଟଙ୍କା ଦେଇଥିଲା । ଆଉ ଏମ୍‌ଏଲ୍‌ସି କବିତା ଏହି ଗ୍ରୁପର ପ୍ରମୁଖ ସଦସ୍ୟ ଥିଲେ । ଦୁର୍ନୀତି ଚାଲିଥିବା ସମୟର ପ୍ରମାଣ ନଷ୍ଟ କରିବା ପାଇଁ ୧.୩୮ କୋଟି ଟଙ୍କାର ମୋଟ ୧୭୦ଟି ଫୋନ ନଷ୍ଟ କରାଯାଇଥିଲା । ଏହାମଧ୍ୟରୁ ୧୦ଟି ଫୋନ କବିତାଙ୍କର ଥିଲା । ତେଣୁ ଏହି ଦୁର୍ନୀତିରେ ତାଙ୍କର ସମ୍ପୃକ୍ତି ଥିବା ନେଇ କେତେକ ପ୍ରମାଣ ମିଳିବା ପରେ ତାଙ୍କୁ ଜେରା କରିବାକୁ ସମନ କରାଯାଇଛି ।
ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ତଦନ୍ତ କରୁଥିବା ସିବିଆଇ କହିଛି ଯେ, ତଦନ୍ତ ସମୟରେ ଏପରି କିଛି ତଥ୍ୟ ସାମ୍ନାକୁ ଆସିଛି ଯାହା ଭାରତ ରାଷ୍ଟ୍ର ସମିତି(ବିଆର୍‌ଏସ୍‌) ନେତ୍ରୀ ଜାଣିଥିବେ । ତେଣୁ ଯାଞ୍ଚ ଦୃଷ୍ଟିରୁ ଏହି ତଥ୍ୟ ସମ୍ପର୍କରେ ତାଙ୍କୁ ପଚରାଉଚାର କରାଯିବ ।
ଏହି ସମନ ନେଇ ଏମ୍‌ଏଲ୍‌ସି କବିତା କହିଛନ୍ତି, ”ସିଆରପିସିର ଧାରା ୧୬୦ରେ ସିବିଆଇ ମୋତେ ନୋଟିସ୍ ଜାରି କରିଛି । ଏଥିରେ ମୋର ସ୍ପଷ୍ଟୀକରଣ ଲୋଡା ଯାଇଛି । ସିବିଆଇର ଅନୁରୋଧ କ୍ରମେ ଆସନ୍ତ ୬ ତାରିଖରେ ମୁଁ ମୋର ହାଇଦ୍ରାବାଦ ସ୍ଥିତ ବାସଭବନରେ ତାଙ୍କୁ ସାକ୍ଷାତ କରିବି ବୋଲି ଜଣାଇ ଦେଇଛି ।”


Share It

Comments are closed.