ମଣିଷ ଠାରୁ କୁକୁରକୁ ଡେଇଁଲା କରୋନା ଭାଇରସ !


ଗତ ବୁଧବାର ହଂକଂରେ ଗୋଟିଏ କରୋନା ଭୂତାଣୁ ସଂକ୍ରମିତ କୁକୁରକୁ ନିର୍ଜନ ସ୍ଥାନରେ ରଖିବା ପାଇଁ ପ୍ରାଣୀ ଚିକିତ୍ସକମାନେ ନିଷ୍ପତି ନେଇଛନ୍ତି । ପ୍ରଥମ ଥର ପାଇଁ ଜଣେ କରୋନାପୀଡିତଙ୍କଠାରୁ ତାଙ୍କ ପୋଷା କୁକୁରକୁ କରୋନା ଭୂତାଣୁ ସଂକ୍ରମଣ କରିଛି । ସଂକ୍ରମିତ କୁକୁର ଠାରେ କରୋନା ଲକ୍ଷଣ ପ୍ରକାଶ ପାଉଥିଲେ ମଧ୍ୟ ତା’ର ପ୍ରଭାବ ସେତେ ପ୍ରଭାବଶାଳୀ ନୁହେଁ । ପୀଡିତ କୁକୁର ପ୍ରତି ଚିକିତ୍ସକମାନେ ବେଶୀ ଗୁରୁତ୍ୱ ଦେଉଛନ୍ତି । କୁକୁରଟି ସମ୍ପୂର୍ଣ୍ଣ ସୁସ୍ଥ ନହେବା ପର୍ଯ୍ୟନ୍ତ ମାଲିକ ନିକଟରୁ ଫେରିବାର ସମ୍ଭାବନା ନାହିଁ ବୋଲି ହଂକଂ କୃଷି, ମତ୍ସ୍ୟ ଓ ପ୍ରାଣୀ ବିକାଶ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ୱେବସାଇଟରେ ଜୀବଜନ୍ତୁଙ୍କ ଠାରୁ ମଣିଷକୁ କରୋନା ସଂକ୍ରମଣ କରିଥିବାର କୌଣସି ତଥ୍ୟ ପ୍ରକାଶ ପାଇ ନାହିଁ । କରୋନା ଭୂତାଣୁ ଆଶଙ୍କାରେ ଲୋକମାନେ ପୋଷା ଜୀବଜନ୍ତୁଙ୍କ ପ୍ରତି ନିଷ୍ଠୁର ଆଚରଣ ନ କରିବାକୁ ହଂକଂ ପ୍ରାଣୀ ଚିକିତ୍ସକମାନେ ପରାମର୍ଶ ପ୍ରଦାନ କରିଛନ୍ତି । କରୋନା ଭୂତାଣୁ ଆଶଙ୍କାରେ ହଂକଂ ପ୍ରଶାସନ ପକ୍ଷରୁ ଏପ୍ରିଲ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ସପିଙ୍ଗ ମଲ, ରେଷ୍ଟୁରାଣ୍ଟ ଓ ଶିକ୍ଷାନୁଷ୍ଠାନଗୁଡିକୁ ବନ୍ଦ କରି ଦିଆଯାଇଛି । ଏହି ରୋଗରେ ପ୍ରାୟ ୩୦୦୦ ଉର୍ଦ୍ଧ୍ୱ ପ୍ରାଣ ହରାଇ ସାରିଥିବାବେଳେ ପ୍ରାୟ ଏକ ଲକ୍ଷ ପାଖାପାଖି ଆକ୍ରାନ୍ତ ଅଛନ୍ତି ।


Share It

Comments are closed.