ଭାରତର ଏହି ଐତିହାସିକ ବିଜୟ ପରେ ଖେଳାଳୀଙ୍କ ପାଇଁ ପେଡି ଖୋଲିଲା ବିସିସିଆଇ, ଦଳକୁ ଦେଲା ୫ କୋଟିର ବୋନସ


ବ୍ରିସବେନର ଗାୱାରେ ଖେଳାଯାଇଥିବା ବର୍ଡର-ଗାଭାଷ୍କାର ଟ୍ରଫିର ଚତୁର୍ଥ ଟେଷ୍ଟ ମ୍ୟାଚକୁ ଭାରତ ଅଷ୍ଟ୍ରେଲିଆକୁ ତିନୋଟି ୱିକେଟରେ ହରାଇ ଦେଇଛି । ସିରିଜ ଜିତିବା ପରେ ବିସିସିଆଇ ନିଜ ଖେଳାଳୀଙ୍କ ପାଇଁ ପେଡି ଖୋଲି ଦେଇଛି । ବିସିସିଆଇ ସଂପାଦକ ଜୟ ଶାହା ଘୋଷଣା କରିଛନ୍ତି ଯେ, ଦଳକୁ ୫ କୋଟି ଟଙ୍କାର ବୋନସ ପ୍ରଦାନ କରାଯିବ ।

ଏହି ମ୍ୟାଚର ବିଜୟ ସହିତ ଭାରତୀୟ ଦଳ ଚାରୋଟି ମ୍ୟାଚ ବିଶିଷ୍ଟ ଏହି ଟେଷ୍ଟ ସିରିଜକୁ ୨-୧ରେ କବଜା କରିନେଇଛି । ଗାୱାରେ ପ୍ରଥମ ଥର ପାଇଁ କୌଣସି ଦଳ ୩୦୦ରୁ ଉର୍ଦ୍ଧ୍ୱ ରନର ଲକ୍ଷ୍ୟ ହାସଲ କରି ବିଜୟ ହୋଇଛି । ଭାରତ, ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ୱିତୀୟ ଥର ପାଇଁ ଟେଷ୍ଟ ସିରିଜ ଜିତିଛି । ଏହା ପୂର୍ବରୁ ୨୦୧୮-୧୯ ଗସ୍ତ ସମୟରେ ମଧ୍ୟ ଭାରତ, ଅଷ୍ଟ୍ରେଲିଆ ବିପକ୍ଷରେ ୨-୧ରେ ସିରିଜ ହାତେଇଥିଲା । ସେହି ସମୟରେ ଭାରତ, ଅଷ୍ଟ୍ରେଲିଆ ବିପକ୍ଷରେ ତାହାର ଘରୋଇ ଗ୍ରାଉଣ୍ଡରେ ବିଜୟୀ ହୋଇଥିବା ପ୍ରଥମ ଏସିଆ ଦଳ ଭାବେ ଉଭା ହୋଇଥିଲା । ବର୍ତ୍ତମାନ ପୁଣି ଥରେ ଭାରତ, ଅଷ୍ଟ୍ରେଲିଆ ବିପକ୍ଷରେ ତାହାରି ଘରୋଇ ଗ୍ରାଉଣ୍ଡରେ ଟେଷ୍ଟ ସିରିଜ କବଜା କରି ଆଉ ଏକ ଇତିହାସ ରଚିଛି ।
ଭାରତର ଏହି ବିଜୟ ପାଇଁ ପ୍ରମୁଖ ନାୟକ ସାଜିଥିଲେ ରିଷଭ ପନ୍ଥ ଏବଂ ଶୁଭମନ ଗିଲ । ପନ୍ଥ ୧୩୮ଟି ବଲରେ ୮୯ ରନ ସଂଗ୍ରହ କରିଥିବାବେଳେ ଅନ୍ୟପଟେ ଗିଲ ୧୪୬ଟି ବଲରେ ୯୧ ରନ ସଂଗ୍ରହ କରିଥିଲେ ।


Share It

Comments are closed.