ପ୍ରଥମ ସ୍ତନ କର୍କଟ କାର୍ଯ୍ୟ ଦିବସରେ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ନିର୍ମିତ ବାଲୁକା ମୂର୍ତିର ଉନ୍ମୋଚନ


ଭୁବନେଶ୍ୱର: ଚଳିତ ବିଶ୍ୱ ସ୍ତନ କର୍କଟ ସଚେତନତା ମାସରେ ଇଂଟିଗ୍ରେଟେଡ୍ ହେଲ୍‌ଥ ଆଣ୍ଡ ୱେଲ୍‌ବିଙ୍ଗ୍ (ଆଇଏଚ୍‌ଡବ୍ଲ୍ୟୁ) କାଉନ୍ସିଲ୍ ଦ୍ୱାରା ଆୟୋଜିତ ସ୍ତନ କର୍କଟ କାର୍ଯ୍ୟ ଦିବସକୁ ପାଳନ କରିବା ପାଇଁ ଓଡିଶାର ପୁରୀରେ ପ୍ରଖ୍ୟାତ ବାଲୁକା କଳା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ନିର୍ମିତ ଏକ ବାଲୁକା ମୂର୍ତିକୁ ଉତରପ୍ରଦେଶ ରାଜ୍ୟପାଳ ଶ୍ରୀମତୀ ଆନନ୍ଦିବେନ୍ ପଟେଲ ଓ ମଧ୍ୟପ୍ରଦେଶ ରାଜ୍ୟପାଳ ଡଃ ନଜ୍‌ମା ହେପତୁଲ୍ଲା ମିଳିତ ଭାବେ ଉନ୍ମୋଚନ କରିଛନ୍ତି । ବିଶ୍ୱ ସ୍ତନ କର୍କଟ କାର୍ଯ୍ୟ ମାସରେ ସ୍ତନ କର୍କଟ କାର୍ଯ୍ୟ ଦିବସକୁ ଆଇଏଚ୍‌ଡବ୍ଲ୍ୟୁ କାଉନ୍ସିଲର ଏକ ମାସ ଧରି ଚାଲିଥିବା ମେଗା ଭର୍ଚୁଆଲ କନ୍‌କ୍ଲେଭ୍‌ର ଏକ ଅଂଶ ଭାବେ ପାଳନ କରାଯାଉଛି ।
ଏହି ଅବସରରେ ଶ୍ରୀମତୀ ଆନନ୍ଦିବେନ ପଟେଲ କହିଥିଲେ, ବିଶ୍ୱରେ କ୍ୟାନ୍ସର ଦ୍ରୁତ ବେଗରେ ମାଡିଚାଲିଛି ଏବଂ ବିଶେଷ କରି ଭାରତରେ ଏହାର ପ୍ରଭାବ ଅଧିକ ରହିଛି । ଶୀଘ୍ର ଚିହ୍ନଟ ହୋଇପାରିଲେ ଏହାର ଚିକିତ୍ସା ହୋଇପାରିବ । ଏପରିକି ପୁରୁଷମାନେ ମଧ୍ୟ ଏଥିରେ ପୀଡିତ ହେଉଛନ୍ତି । ତେଣୁ ସହର ଓ ଗ୍ରାମାଂଚଳରେ ନିୟମିତ ସ୍କ୍ରିନିଙ୍ଗ୍ କ୍ୟାମ୍ପ କରିବା ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି । ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ଆମେ ମୁଖ୍ୟମନ୍ତ୍ରୀ ଅମୃତମ୍ ବାତ୍ସଲ୍ୟ ଯୋଜନାର ଶୁଭାରମ୍ଭ କରିଥିଲୁ । ଏହି ଯୋଜନା ଅଧୀନରେ ୧.୫ କୋଟିରୁ ଅଧିକ ମହିଳାଙ୍କର ହେଲ୍‌ଥ କ୍ୟାମ୍ପଗୁଡିକରେ ସ୍କ୍ରିନିଙ୍ଗ କରାଯାଇଥିଲା । ଆମେ କିଶୋରୀ ବାଳିକାମାନଙ୍କୁ ଏସମ୍ପର୍କରେ ବିଦ୍ୟାଳୟ ସ୍ତରରୁ ହିଁ ସଚେତନ କରିବା ଉଚିତ ଯାହାଦ୍ୱାରା ସେମାନେ ଏହି ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କରେ ନିଜ ମା’ମାନଙ୍କୁ ଶିକ୍ଷିତ କରିପାରିବେ । ଯଦି ଆମେ ଆମର ମା’ମାନଙ୍କ ଯତ୍ନ ନେଇପାରିବା ତେବେ ଆମେ ୫୦% କ୍ୟାନ୍ସର ରୋଗୀଙ୍କ ଜୀବନ ବଂଚାଇପାରିବା ।”
ସେହିପରି ରାଜ୍ୟପାଳ ନଜମ୍‌ା ହେପତୁଲ୍ଲା କହିଛନ୍ତି ଯେ, “କ୍ୟାନ୍ସର କାହାକୁ ବି ହୋଇପାରେ । ସ୍ତନ କର୍କଟ କାର୍ଯ୍ୟ ଦିବସ ଭଳି ପ୍ରୟାସ ନିୟମିତ ଭାବେ ଆୟୋଜିତ ହେବା ଉଚିତ, ଯାହାଦ୍ୱାରା ଲୋକେ କ୍ୟାନ୍ସର ସମ୍ପର୍କରେ ଅଧିକ ସଚେତନ ହୋଇପାରିବେ ଓ ରୋଗୀଙ୍କୁ ବଂଚାଇବାରେ ସାହାଯ୍ୟ କରିପାରିବେ । ମୁଁ ନିଶ୍ଚିତ ଯେ, ଏହି କାର୍ଯ୍ୟକ୍ରମ ଉଭୟ ରୋଗୀ ଓ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ପାଇଁ ପ୍ରେରଣାର ଏକ ଉତ୍ସ ହେବ ଏବଂ କ୍ୟାନ୍ସର ହେବା ଅଥଁ ମୃତ୍ୟୁ ନୁହେଁ ବୋଲି ସେମାନଙ୍କୁ ଜଣାଇବ ।” “ଏହିଭଳି ପ୍ରୟାସର ଏକ ଅଂଶ ହୋଇ ମୁଁ ବେଶ ଗର୍ବିତ । ପ୍ରତ୍ୟେକ କଳାକାରଙ୍କୁ ନିଜ ଦକ୍ଷତା ଅନୁଯାୟୀ ଆଗକୁ ଆସି ଏହା ବିଷୟରେ ସଚେତନତା ସୃଷ୍ଟି କରିବା ଆବଶ୍ୟକ ,” ବୋଲି ପଦ୍ମଶ୍ରୀ ସୁଦର୍ଶନ ପଟନାୟକ କହିଛନ୍ତି ।
ଆଇଏଚ୍‌ଡବ୍ଲ୍ୟୁ ସିଇଓ କମଲ ନାରାୟଣନ୍ କହିଛନ୍ତି ଯେ, “ଦେଶରେ ସଚେତନତା ବୃଦ୍ଧି ସତ୍ୱେ ସ୍ତନ କର୍କଟରେ ପୀଡିତ ହୋଇଥିବା ପ୍ରତି ଦୁଇ ଜଣରୁ ଜଣେ ମହିଳା ବିଳମ୍ବରେ ଚିହ୍ନଟ ଓ ଚିକିତ୍ସା କାରଣରୁ ମୃତ୍ୟୁବରଣ କରୁଛନ୍ତି । ତେଣୁ ଆଜିର ନ୍ୟାସ୍‌ନାଲ ବ୍ରେଷ୍ଟ କ୍ୟାନ୍ସର ଆକ୍ସନ ଡେ ଭଳି ପ୍ରୟାସ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି ।” ଡବ୍ଲ୍ୟୁଡବ୍ଲ୍ୟୁଡବ୍ଲ୍ୟୁ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ମୀରା ଅଗ୍ନିହୋତ୍ରୀଙ୍କ ମତରେ, ବିଶ୍ୱବ୍ୟାପୀ ମହିଳାମାନଙ୍କ କ୍ଷେତ୍ରରେ ସ୍ତନ କର୍କଟ ହେଉଛି ସବୁଠାରୁ ପ୍ରମୁଖ କ୍ୟାନ୍ସର ଏବଂ ବିକଶିତ ରାଷ୍ଟ୍ରଗୁଡିକରେ ଏହା ବୃଦ୍ଧି ପାଇବାରେ ଲାଗିଛି ।” “ସଚେତନତା ଅଭାବ କାରଣରୁ ଭାରତର ଅଧିକାଂଶ ସ୍ତନ କର୍କଟ ମାମଲା ବିଳମ୍ବିତ ପର୍ଯ୍ୟାୟରେ ଚିହ୍ନଟ ହେଉଛି । ସେହିପରି ସ୍ତନ କର୍କଟ କାର୍ଯ୍ୟ ଦିବସ ଏକ ମହାନ କାର୍ଯ୍ୟ ଏବଂ ସ୍ତନ କର୍କଟ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଏହା ଉତ୍ସାହ ଯୋଗାଇବ ।,” ବୋଲି ନୋଭାର୍‌ଟିସ୍ ଅଙ୍କୋଲୋଜି ଇଣ୍ଡିଆର ଅଙ୍କୋଲୋଜି ଜେନେରାଲ ମ୍ୟାନେଜର ସୌମିଲ ମୋଦି କହିଥିଲେ ।


Share It

Comments are closed.