ବିଜେପି ସାଂସଦଙ୍କୁ ଧମକପୂର୍ଣ୍ଣ କଲ୍‌, ଜୀବନରୁ ମାରିଦେବା ପାଇଁ ଦିଆଗଲା ଧମକ


ଜାମ୍ମୁକାଶ୍ମୀରରେ ଆତଙ୍କବାଦୀ ଏବେ ବିଜେପି ନେତାମାନଙ୍କୁ ନିଶାଣ କରିଛନ୍ତି । ବାଛିବାଛି ବିଜେପି ନେତାମାନଙ୍କୁ ଆକ୍ରମଣ କରୁଛନ୍ତି । ଏପରି ସ୍ଥିତିରେ ବିଜେପି ସାଂସଦ ସାକ୍ଷୀ ମହାରାଜଙ୍କୁ ମିଳିଛି ହତ୍ୟା ଧମକ । ଯେଉଁ ନମ୍ବରରୁ ସାକ୍ଷୀ ମହାରାଜଙ୍କୁ ଫୋନ ଆସିଛି ତାହା ଏକ ପାକିସ୍ଥାନୀ ନମ୍ବର (୯୨୩୧୫୧୨୨୫୯୮୯) । ସୋମବାର ଅପରାହ୍ନ ୪.୨୪ ଓ ୪.୨୬ ମିନିଟରେ ଏହି ଫୋନ ଆସିଛି । ଏ ସମ୍ପର୍କରେ ବିଜେପି ସାଂସଦ ସାକ୍ଷୀ ମହାରାଜ ଉନ୍ନାଓ ଏସପିଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ତାଙ୍କ ଘରକୁ ବୋମା ମାଡ଼ କରି ଉଡ଼ାଇ ଦିଆଯିବ ଓ ତାଙ୍କୁ ହତ୍ୟା କରାଯିବ ବୋଲି ଧମକ ସମ୍ପର୍କରେ ସାଂସଦ ତାଙ୍କ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି । ସେହିପରି ସେ ଏ ସମ୍ପର୍କରେ ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କୁ ମଧ୍ୟ ଅବଗତ କରି ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ।

ସାଂସଦ କହିଛନ୍ତି ଯେ ତାଙ୍କ ମୋବାଇଲକୁ ୯୨୩୧୫୧୨୨୫୯୮୯ରୁ ଏକ ଫୋନ ଆସିଥିଲା । ଫୋନ କରିଥିବା ବ୍ୟକ୍ତି କହିଥିଲେ ଯେ ତୁମେ ଆମର ବନ୍ଧୁ ମହମ୍ମଦ ଗଫରଙ୍କୁ ଧରି ନିଜ ମୃତ୍ୟୁକୁ ନିମନ୍ତ୍ରଣ କରିଛ । ୧୦ ଦିନ ମଧ୍ୟରେ ତୁମେ ଓ ତୁମର ବନ୍ଧୁମାନଙ୍କୁ ଜୀବନରୁ ମାରିଦେବୁ । ତୁମ ଉପରେ ମୁଜାହିଦ୍ଦିନ ୨୪ ଘଣ୍ଟା ନଜର ରଖିଛନ୍ତି । ସୁଯୋଗ ମିଳିବାକ୍ଷଣି ତୁମକୁ ଈଶ୍ଵରଙ୍କ ନିକଟକୁ ପଠାଇ ଦିଆଯିବ ।

ଏହା ସହ ଧମକ ଦେଇଥିବା ବ୍ୟକ୍ତି ବିଜେପି ଓ ଆରଏସଏସ୍ ନେତାମାନଙ୍କର ନାମ ମଧ୍ୟ ନେଇଥିଲେ । ଅଭଦ୍ର ଆଚରଣ ସହ କିଛି ଖରାପ କଥା ମଧ୍ୟ କହିଥିବ ସାକ୍ଷୀ ମହାରାଜ କହିଛନ୍ତି । ଏହାସହ ପ୍ରଧାନମନ୍ତ୍ରୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ, ସଂଘ ପ୍ରମୁଖ ମୋହନ ଭାଗବତଙ୍କ ନାମ ମଧ୍ୟ ଫୋନକର୍ତା ଉଲ୍ଲେଖ କରିବା ସହ ହିନ୍ଦୁସ୍ଥାନରେ ଇସଲାମ ପତାକା ଉଡ଼ାଇବ ବୋଲି ଧମକ ଦେଇଥିବା ସାକ୍ଷୀ ମହାରାଜ କହିଛନ୍ତି ।


Share It

Comments are closed.