କରୋନା ବେଳେ ଜଗତସିଂହପୁରକୁ ୭୦୮.୩୨ କୋଟି ଟଙ୍କାର ଅନୁଦାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି – ଧର୍ମେନ୍ଦ୍ର ପ୍ରଧାନ


ଜଗତସିଂହପୁର/ଭୁବନେଶ୍ୱର, – କରୋନା ସମୟରେ ମୋଦି ସରକାର ଓଡିଶା ପାଇଁ ୨୨ ହଜାର ୨୬୭ କୋଟି ଟଙ୍କାର ସହାୟତା ଦେଇଥିବା ବେଳେ ତନ୍ମଧ୍ୟରୁ କେବଳ ଜଗତସିଂହପୁର ଜିଲ୍ଲା ପାଇଁ ୭୦୮.୩୨ କୋଟିର ସହାୟତା ପ୍ୟାକେଜ୍ ଦେଇଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଜଗତସିଂହପୁର ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପ ପାଇଁ ୫୭,୭୬୭.୪୩ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ଶୁକ୍ରବାର ତିର୍ତ୍ତୋଲ ନିର୍ବାଚନ ମଣ୍ଡଳିର ବିଭିନ୍ନ ସ୍ଥାନରେ ନିର୍ବାଚନୀ ପ୍ରଚାର କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ତିର୍ତୋଲର ସର୍ବଙ୍ଗୀନ ବିକାଶ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦୃଢ ପ୍ରତିଶ୍ରୁତି ଦେଇଛନ୍ତି ।
ତିର୍ତ୍ତୋଲ ନିର୍ବାଚନ ମଣ୍ଡଳିର ଶଙ୍ଖେଶ୍ୱର ହାଟ ପଡ଼ିଆ, ତିର୍ତ୍ତୋଲ ବଜାର, ରଘୁନାଥପୁର ବଜାର, ବିରିଡ଼ି ବଜାର, ବସନ୍ଦରା ଗାନ୍ଧୀ ଛକ ଏବଂ ମଙ୍ଗୁଳିର ବିଭିନ୍ନ ସ୍ଥାନରେ ଦଳୀୟ ପ୍ରାର୍ଥୀ ରାଜକିଶୋର ବେହେରାଙ୍କ ସମର୍ଥନରେ ପ୍ରଚାର କରିବା ଓ ଭୋଟ ଦେବା ପାଇଁ ସ୍ଥାନୀୟବାସୀଙ୍କୁ ନିବେଦନ କରିଥିଲେ ଶ୍ରୀ ପ୍ରଧାନ । ଏହି ଅବସରରେ ସେ କହିଛନ୍ତି କରୋନା ସମୟରେ ମୋଦି ସରକାର ଓଡ଼ିଶା ଏବଂ ଜଗତସିଂହପୁର ଜିଲ୍ଲା ପାଇଁ ଯେପରି ସାହାଯ୍ୟ ସହଯୋଗ କରିଛନ୍ତି ତାହାକୁ ଲୋକମାନେ ସ୍ୱୀକାର କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସମ୍ବେଦନଶୀଳ ସରକାର ପ୍ରତି ତିର୍ତ୍ତୋଲବାସୀ ଆକୃଷ୍ଟ ହୋଇଛନ୍ତି । ଏହି କାରଣରୁ ରାଜ୍ୟର ତିର୍ତୋଲ ସମେତ ଗ୍ରାମାଞ୍ଚଳରେ ନରେନ୍ଦ୍ର ମୋଦିଙ୍କ ପ୍ରତି ଲୋକପ୍ରିୟତା ବଢ଼ିଛି । ଏ ଉପନିର୍ବାଚନରେ ତାହାର ପ୍ରତିଫଳନ ଦେଖାଯାଇଛି । ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତମୁଠାକୁ ଟାଣ କରିବେ ।
ଅପରପକ୍ଷରେ ଶାସକ ଦଳ ବିଜେଡ଼ି ନେତୃତ୍ୱରେ ତିର୍ତ୍ତୋଲର ବିକାଶ ହୋଇନାହିଁ । ଗାଁକୁ ରାସ୍ତା ନାହିଁ, ମେଡିକାଲରେ ଡାକ୍ତର ନାହାନ୍ତି, ପାନୀୟ ଜଳର ସମସ୍ୟା ଦେଖାଯାଇଛି, ସ୍କୁଲରେ ଶିକ୍ଷକ ନାହାନ୍ତି । ସ୍ଥାନୀୟ ଯୁବକମାନେ ରାଜ୍ୟ ବାହାରକୁ ଦାଦାନ ଖଟିବାକୁ ଯାଉଛନ୍ତି । କରୋନା ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ମାଗଣାରେ ଚାଉଳ, ଡ଼ାଲି ଦେବାର ବ୍ୟବସ୍ଥା କରିଥିଲେ ମଧ୍ୟ ବିଜେଡ଼ି ସରକାର ଏଠାରେ ଠିକ୍‌ରେ ବାଣ୍ଟି ପାରିନାହାନ୍ତି । କରୋନା କାଳରେ ଅବ୍ୟବସ୍ଥା ଚରମ ସୀମାରେ ପହଞ୍ଚିଛି ।
ଚଳିତ ଉପନିର୍ବାଚନରେ ବିଜେପି ନୁହେଁ ତିର୍ତୋଲବାସୀ ନିର୍ବାଚନ ଲଢ଼ୁଛନ୍ତି । ଶାସକ ଦଳର ଲୋକମାନେ ଅହଂକାରୀ ହୋଇଛନ୍ତି । ମାତ୍ର ଏଥିରେ ଲୋକମାନେ ପ୍ରଭାବିତ ହେବେ ନାହିଁ । ଭୋଟରଙ୍କୁ ଅପମାନିତ କରିବାର ଅଧିକାର କାହାର ନାହିଁ । ଓଡ଼ିଶାରେ ଦୀର୍ଘ ୨୨ ବର୍ଷ ଧରି ଗୋଟିଏ ଅପାରଗ, ଦୁର୍ନୀତିଗସ୍ତ, ସମ୍ବେଦନହୀନ ସରକାର ଦାୟିତ୍ୱରେ ଅଛି । ଏପ୍ରକାର ସରକାରକୁ ପରାଜୟ କରିବା ପାଇଁ ତିର୍ତ୍ତୋଲବାସୀ ଏହି ନିର୍ବାଚନରେ ମନବଳାଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ସେ କହିଛନ୍ତି ଜଗତସିଂହପୁର ଜିଲ୍ଲା ପାଇଁ ମୋଦି ସରକାର କୋରନା ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଓ ଅନ୍ୟାନ୍ୟ ଯୋଜନାରେ ୫୭୪.୩୪ କୋଟିର ଆର୍ôଥକ ସହାୟତା ଦିଆଯାଇଛି । ପିଏମ ଗରିବ କଲ୍ୟାଣ ଯୋଜନାରେ ଜିଲ୍ଲାର ୮.୫୭ ଲକ୍ଷ ହିତାଧିକାରୀଙ୍କୁ ୫ କେଜି ଲେଖାଏଁ ଚାଉଳ ହିସାବରେ ୮୯.୯୮ କୋଟି ମୂଲ୍ୟର ୨୯,୯୯୫ ଟନ ଚାଉଳ ପ୍ରଦାନ କରାଯାଇଛି । ୨.୩୦ ଲକ୍ଷ ପରିବାରକୁ ୧ କେଜି ଲେଖାଁଏ ଡ଼ାଲି ହିସାବରେ ୧୯.୩୨ କୋଟି ମୂଲ୍ୟର ୧୬୧୦ ଟନ୍ ଡ଼ାଲି ଏବଂ ୧.୨୧ ଲକ୍ଷ ଉଜ୍ଜଳା ହିତାଧିକାରୀଙ୍କୁ ୧୯.୩୨ କୋଟି ମୂଲ୍ୟର ୩.୬୩ ଲକ୍ଷ ଏଲପିଜି ସିଲିଣ୍ଡର କୋଭିଡ୍‌-୧୯ ପ୍ରୋତ୍ସାହନ ଏବଂ ସହାୟତା ପ୍ୟାକେଜ୍ ସ୍ୱରୂପ ଦିଆଯାଇଛି ।
ଜଗତସିଂହପୁର ଜିଲ୍ଲାର ୨.୮୪ ଲକ୍ଷ ଜନଧନ ଆକାଉଣ୍ଟଧାରୀ ମହିଳାଙ୍କୁ ୧୫୦୦ ଟଙ୍କା ଲେଖାଏଁ ହିସାବରେ ମୋଟ ୪୨.୬୦ କୋଟି ଟଙ୍କା ବ୍ୟାଙ୍କ୍ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଛି । ଜାତୀୟ ସାମାଜିକ ସୁରକ୍ଷା ଭତ୍ତା ଯୋଜନାରେ ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ, ବିଧବାଙ୍କ ପାଇଁ ୧ ହଜାର ଟଙ୍କା ହିସାବରେ ଜଗତିସଂହପୁରର ୧.୭୧ ଲକ୍ଷ ହିତାଧିକାରୀଙ୍କୁ ମୋଟ ୧୭.୧୦ କୋଟି ଟଙ୍କା ଦିଆଯାଇଛି । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିଯୋଜନା ଅଧୀନରେ ଥିବା ୬୭ ହଜାର ହିତାଧିକାରୀଙ୍କୁ ୨ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି । ଏହି ଯୋଜନାରେ ଜଗତସିଂହପୁରର ଚାଷୀଙ୍କୁ ମୋଟ ୧୩.୪୦ କୋଟି ଟଙ୍କା ପ୍ରଦାନ କରାଯାଇଛି । କରୋନା ସମୟରେ ଜଗତସିଂହପୁରର ୫୭ ହଜାର ୪୬୭ ନିର୍ମାଣ ଶ୍ରମିକଙ୍କୁ କୋଠା ଏବଂ ନିର୍ମାଣ ଶ୍ରମିକ କଲ୍ୟାଣ ପାଣ୍ଠିରୁ ମୁଣ୍ଡ ପିଛା ୧୫୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିବା ବେଳେ ମୋଟ ୮.୬୨ କୋଟି ଟଙ୍କା ପ୍ରଦାନ କରାଯାଇଛି । କୋଭିଡ୍ -୧୯ ପରିଚାଳନା ପାଇଁ ଜଗତସିଂହପୁରକୁ ୪ କୋଟି ଟଙ୍କା ଓ ମଇ ୨୦୨୦-୨୧ରେ ହୋଇଥିବା ଅମ୍ପନ ବାତ୍ୟା ପାଇଁ ଜଗତସିଂହପୁର ଜିଲ୍ଲାକୁ ୧୨୫ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି ।
ଅପରପକ୍ଷରେ ଜଗତସିଂହପୁର ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପ ପାଇଁ ଭାରତ ସରକାର ୫୭,୭୬୭.୪୩ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । କେନ୍ଦ୍ରାପଡ଼ା ଦେଇ ଯାଉଥିବା ୮୨ କିମି ପାରାଦୀପ-ହରିଦାସପୁରର ରେଳ ପଥ ପାଇଁ ୧୮୯୯ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ୩୪ ହଜାର ୫୫୫ କୋଟି ବ୍ୟୟରେ ପାରାଦୀପ ବିଶୋଧନାଗାର ନିର୍ମାଣ ହୋଇଛି । ୧୦୬ କୋଟି ଟଙ୍କା ବ୍ୟୟରେ ପାରାଦୀପ ଠାରେ ପାରାଦୀପ ପ୍ଲାଷ୍ଟିକ ପାର୍କ, ୧୦ ହଜାର କୋଟି ଟଙ୍କା ବ୍ୟୟରେ ପାରାଦୀପ ଠାରେ ପେଟକୋକ୍ ଗ୍ୟାସିଫିକେସନ ପ୍ରକଳ୍ପ, ୭୨ କୋଟି ଟଙ୍କା ବ୍ୟୟରେ ପାରାଦୀପ ଠାରେ ସିଟି ଗ୍ୟାସ ବିତରଣ (ସିଜିଡ଼ି) ପ୍ରକଳ୍ପ,ପାରାଦୀପ ରିଫାଇନାରୀ ଠାରେ ୨୮୫୯ କୋଟି ବ୍ୟୟରେ ଇଣ୍ଡିଆନ ଅଏଲର ମନୋଇଥେନିଲ୍ ଗ୍ଲିକୋଲ(ଏମଏଇଜି) ପ୍ଲାଣ୍ଟ୍ ନିର୍ମାଣ କରାଯାଇଛି । ପାରୀଦୀପ ରିଫାଇନାରୀ ଠାରେ ଆଇଓସିଏଲର ୪୨୯ କୋଟି ବ୍ୟୟରେ ଅତିରିକ୍ତ ଅଶୋଧିତ ତୈଳ ଟାଙ୍କିର ନିର୍ମାଣ ହୋଇଛି । ୩୧୫୦ କୋଟି ବ୍ୟୟରେ ପୋଲି ପ୍ରପିଲିନ୍ ପ୍ରକଳ୍ପ(ପିପି) ହୋଇଛି । ପାରାଦୀପରେ ଏଲପିଜି ଆମଦାନୀ ନିମନ୍ତେ ୬୯୦ ଟଙ୍କା ଖର୍ଚ୍ଚ କରାଯାଇ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି । ଏହିପରି ଅନେକ ସିପିଂ ଏବଂ ପେଟ୍ରୋଲିୟମ ମନ୍ତ୍ରଣାଳୟ ଅଧୀନରେ ଅନେକ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି ।


Share It

Comments are closed.