ଉପନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା, ବାଲେଶ୍ୱର ସଦରରୁ ସ୍ୱରୁପ ଦାସ, ତିର୍ତ୍ତୋଲରୁ ବିଜୟ ଶଙ୍କର ଦାସ


ଉପନିର୍ବାଚନ ପାଇଁ ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା । ଓଡିଶାରେ ହେବାକୁ ଥିବା ୨ଟି ଆସନ ପାଇଁ ଉପ-ନିର୍ବାଚନ ଲାଗି ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା କରିଛି । ବାଲେଶ୍ୱର ସଦରରୁ ସ୍ୱରୁପ କୁମାର ଦାସ ଓ ତିର୍ତ୍ତୋଲ ଆସନରୁ ବିଜୟ ଶଙ୍କର ଦାସଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି ବିଜେଡି । ଆସନ୍ତା ନଭେମ୍ବର ୩ରେ ଏହି ୨ଟି ଆସନ ପାଇଁ ଭୋଟ ଗ୍ରହଣ କରାଯିବ । ତିର୍ତୋଲରୁ ବିଜେଡି ପକ୍ଷରୁ ଘୋଷଣା ହୋଇଥିବା ପ୍ରାର୍ଥୀ ପୂର୍ବତନ ମନ୍ତ୍ରୀ ବିଷ୍ଣୁଦାସଙ୍କ ପୁଅ ବିଜୟ ଶଙ୍କର ଦାସ । ସେହିପରି ବାଲେଶ୍ୱର ସଦର ଆସନରୁ ଉପନିର୍ବାଚନ ପାଇଁ ଘୋଷଣା ହୋଇଥିବା ପ୍ରାର୍ଥୀ ସ୍ୱରୁପ ଦାସ , ପୂର୍ବରୁ ସେ ବାଲେଶ୍ୱରର କାଉନସିଲର ଭାବେ କାର୍ଯ୍ୟ କରିଆସିଛନ୍ତି । ସେ ଜଣେ ଟାଣୁଆ ନେତା ଭାବେ ପରିଚିତ ।

ଗତକାଲି ବିଜେପି ପକ୍ଷରୁ ଉଭୟ ଆସନା ପାଇଁ ପ୍ରାର୍ଥ ଘୋଷଣା କରାଯାଇଛି । ବାଲେଶ୍ୱର ସଦରରୁ ମାନସ ଦତ୍ତ ଓ ତିର୍ତ୍ତୋଲ ଆସନରୁ ରାଜକିଶୋର ବେହେରାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିସାରିଛି ବିଜେପି । ଆଜି ତିର୍ତ୍ତୋଲ ଆସନରୁ ଘୋଷଣା ହୋଇଥିବା ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପ୍ରଥମେ ବିଜେପି ଓ ପରେ ବିଜେଡି ନିଜ ନିଜର ପ୍ରାର୍ଥୀ ଘୋଷଣା କରିଛନ୍ତି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କଂଗ୍ରେସ ଦଳ କୌଣସି ବି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ ।

ସେହିପରି ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ, ଆସନ୍ତା ଅକ୍ଟୋବର ୧୬ ତାରିଖ ଯାଏଁ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିପାରିବେ । ଅକ୍ଟୋବର ୧୭ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହେବ । ଅକ୍ଟୋବର ୧୯ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହରର ଶେଷ ତାରିଖ ରହିଛି । ଏହି ଦୁଇଟି ଆସନ ପାଇଁ ଆସନ୍ତା ନଭେମ୍ବର ୩ ତାରିଖରେ ଭୋଟ୍ ଗ୍ରହଣ କରାଯିବ । ନଭେମ୍ବର ୧୦ ତାରିଖରେ ହେବ ଭୋଟ୍ ଗଣତି ।

ସୂଚନାଯୋଗ୍ୟ ଯେ, ତିର୍ତୋଲରୁ ବିଷ୍ଣୁ ଦାସ ଓ ବାଲେଶ୍ୱର ସଦର ଆସନରୁ ମଦନ ମୋହନ ଦତ୍ତଙ୍କ ପରଲୋକ ହୋଇଥିଲା । ସେବେଠାରୁ ଉଭୟ ଆସନ ଖାଲିଥିଲା । ଗତକିଛି ଦିନ ତଳେ ନିର୍ବାଚନ କମିଶନଙ୍କ ଅନୁଯାୟୀ ଆସନ୍ତା ୩ ତାରିଖରେ ଉଭୟ ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ ।


Share It

Comments are closed.