ସ୍ୱଳ୍ପ ଖର୍ଚ୍ଚରେ ଅଧିକ ଉତ୍ପାଦନ କେବଳ ଯାନ୍ତ୍ରିକୀକରଣ ଦ୍ୱାରା ସମ୍ଭବ: ବିଶେଷଜ୍ଞ


ଭୁବନେଶ୍ୱର: ଚାଷୀମାନଙ୍କ ଆୟ ଦ୍ୱିଗୁଣିତ କରିବା ଲାଗି କୃଷି କାର୍ଯ୍ୟର ଯାନ୍ତ୍ରିକୀକରଣ ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିବା ଲାଗି ବିଶେଷଜ୍ଞମାନେ ଆହ୍ୱାନ ଦେଇଛନ୍ତି । ସେମାନେ କହିଛନ୍ତି ଯେ ଭାରତରେ ଅଧିକାଂଶ ଚାଷୀଙ୍କ ପାଖରେ ୧୦ ଏକର ଭିତରେ ଜମି ରହିଛି । ଏତେ କମ୍ ପରିମାଣର ଜମି ଥିବାରୁ ଯାନ୍ତ୍ରିକୀକରଣରେ ନିବେଶ କରିବା କ୍ଷମତା ସେମାନଙ୍କ ପାଖରେ ନାହିଁ । ବିର୍ଲା-ମାସ୍ୱାଦକର ଭଳି ବହୁ ସଂସ୍ଥା ଯେଭଳି କ୍ଷୁଦ୍ର ଚାଷୀମାନଙ୍କ ଲାଗି ବହୁ ଉପଯୋଗୀ ହାଇ-ଏଣ୍ଡ୍ ଟୁଲ୍‌ସ ଡିଜାଇନ ଓ ବିକାଶ କରିଛନ୍ତି । ଯେଉଁମାନେ ଯାନ୍ତ୍ରିକୀକରଣରେ ନିବେଶ କରିପାରୁନାହାନ୍ତି ସେମାନଙ୍କୁ ଦୃଷ୍ଟିରେ ରଖି ଏହି ଟୁଲ୍‌ସଗୁଡ଼ିକର ବିକାଶ କରାଯାଇଛି । ଏହା ସହିତ ଉନ୍ନତ କୃଷି ଉପକରଣ ବିଷୟରେ ଚାଷୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି ଆଜି ଭୁବନେଶ୍ୱରରେ କୃଷି ଯାନ୍ତ୍ରିକୀକରଣ ବିଷୟବସ୍ତୁ ଉପରେ ଅନୁଷ୍ଠିତ ଏକ ସେମିନାରରେ ଭାଗ ନେଇଥିବା ବିଶେଷଜ୍ଞମାନେ କହିଛନ୍ତି । ଏହି ଅବସରରେ କମ୍ପାନୀ ପକ୍ଷରୁ ଏହାର ନୂତନ ଉତ୍ପାଦ, ପାୱାର ୱେଡ଼ର ବିଏଏମ ୭୩୨ଜି ର ଶୁଭାରମ୍ଭ କରାଯାଇଛି । ଉକ୍ତ ଉତ୍ପାଦ ମୁଖ୍ୟତଃ ଓଡ଼ିଶାର କୃଷକ ମାନଙ୍କ ପାଇଁ ଯେଉଁସବୁ ସୁବିଧା ଆବଶ୍ୟକ ତାହାକୁ ଦୃଷ୍ଟିରେରଖି ତିଆରି କରାଯାଇଛି ।
ଏହି ଅବସରରେ ଓଡ଼ିଶା ସରକାରଙ୍କ କୃଷି ଓ ଖାଦ୍ୟ ଉତ୍ପାଦନ ବିଭାଗର ମୁଖ୍ୟ ଯନ୍ତ୍ରୀ, ଇଂ ରାଜେନ୍ଦ୍ର ବେସରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃଷି ଯାନ୍ତ୍ରିକୀକରଣର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ବିଭାଗର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ କେ ଏସ୍ ଚନ୍ଦ୍ରଶେଖର, ନୂଆଦିଲ୍ଲୀ, ସାମାଜିକ-ଅର୍ଥନୈତିକ ଅଧ୍ୟୟନ କେନ୍ଦ୍ର ପରାମର୍ଶଦାତା ଶ୍ରୀ ଅକ୍ଷୟ କୁମାର ସାହୁ ଏବଂ ଜୟ କିଷାନ ଏଗ୍ରି ସଲ୍ୟୁସନ୍ସର ସିଇଓ କଳ୍ପତରୁ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହି ପ୍ରସଙ୍ଗରେ ମତ ଉପସ୍ଥାପନ କରିଥିଲେ ।
ସେମିନାର ପରିପ୍ରେକ୍ଷୀରେ ବିର୍ଲା ଏଗ୍ରୋ ମେସିନ ପକ୍ଷରୁ ଏକ ଅଲ୍ ଓଡ଼ିଶା ଡିଲର ମିଟ୍‌ର ଆୟୋଜନ କରାଯାଇଥିଲା, ଯେଉଁଥିରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଡିଲରମାନେ ଅଂଶଗ୍ରହଣ କରିଥିଲେ । ରାଜ୍ୟର ଚାଷୀମାନଙ୍କ ଲାଗି କଂପାନି ପକ୍ଷରୁ ନୂତନ ଉତ୍ପାଦର ବଜାର ପ୍ରବେଶ କରାଯାଇଥିଲା । ମାସ୍ୱାଦକର ଅଟୋଲାଇନ୍ ପ୍ରାଇଭେଟ୍ ଲିମିଟେଡ୍‌ର ଏମ୍‌ଡି ଶ୍ରୀ ନିନାଦ ଶାହ, ବିର୍ଲା ଏଗ୍ରୋ ମେସିନର ମାର୍କେଟିଂ ମୁଖ୍ୟ ସାଜ୍ଜନ ସଇନି ଏବଂ ଜୟ କିଷାନ ଏଗ୍ରି ସଲ୍ୟୁସନ୍‌ର ସିଇଓ କଳ୍ପତରୁ ସାହୁଙ୍କ ଉପସ୍ଥିତିରେ ନୂଆ ମେସିନ୍ ଓ ଟୁଲ୍‌ସକୁ ଉନ୍ମୋଚନ କରାଯାଇଥିଲା ।
ଏହି ଅବସରରେ କଂପାନି ପକ୍ଷରୁ “ମିସନ ୧୦୦୦’ ନାମକ ଏକ ସେଲ୍‌ସ ପ୍ରତିଯୋଗିତା ଘୋଷଣା କରାଯାଇଥିଲା । ଉପସ୍ଥିତ ଡିଲରମାନଙ୍କୁ ଏହାର ବିଭିନ୍ନ ଦିଗ ଏବଂ ଲାଭ ବିଷୟରେ ଅବଗତ କରାଯାଇଥିଲା । ବିକ୍ରି କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଡିଲରମାନଙ୍କୁ ସାର୍ଟିଫିକେଟ ଏବଂ ମେମେଂଟୋ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କଂପାନି ଅଧିକାରୀମାନଙ୍କ ସହ ଡିଲରମାନେ ଭାବ ବିନିମୟ ମଧ୍ୟ କରିଥିଲେ ।


Share It

Comments are closed.