କମିବ ଖାଇବା ତେଲ ଦର


ଆଗାମୀ ଦିନରେ ଭାରତରେ ଖାଇବା ତେଲ ଦର କମିପାରେ । କାରଣ ବିଶ୍ୱର ସର୍ବବୃହତ୍‌ ପାମ୍‌ ଅଏଲ୍‌ ରପ୍ତାନିକାରୀ ଇଣ୍ଡୋନେସିଆ ରପ୍ତାନି କଟକଣା ହଟାଇବାକୁ ଯାଉଛି । ମେ’ ୨୩ରେ ଏହା ପାମ୍‌ ଅଏଲ୍‌ ଉପରେ ଲଗାଇଥିବା କଟକଣାକୁ ଉଚ୍ଛେଦ କରିବ । ରାଷ୍ଟ୍ରପତି ଜୋକୋ ୱିଡୋଡୋ ଗୁରୁବାର ଏହି ଘୋଷଣା କରିଛନ୍ତି ।

ଇଣ୍ଡୋନେସିଆ ବିଶ୍ୱର ସର୍ବବୃହତ୍‌ ପାମ୍‌ ଅଏଲ୍‌ ଉତ୍ପାଦକ ଏବଂ ରପ୍ତାନିକାରୀ । ନିଜ ଦେଶରେ ଯୋଗାଣ ବଢ଼ାଇବା ପାଇଁ ଏହା ଏପ୍ରିଲ ୨୮ରେ ପାମ୍‌ ଅଏଲ୍‌ ରପ୍ତାନି ଉପରେ କଟକଣା ଲଗାଇଥିଲା । ରାଷ୍ଟ୍ରପତି ୱିଡୋଡୋ କହିଥିଲେ ଯେ, ମୁଁ ନିଜେ ଯୋଗାଣ ସ୍ଥିତିକୁ ଅନୁଧ୍ୟାନ କରୁଛି । ଦେଶରେ ଖାଇବା ତେଲ ଯେପରି ପର୍ଯ୍ୟାପ୍ତ ରହିବ ଏବଂ ଦର ମଧ୍ୟ ନିୟନ୍ତ୍ରଣରେ ରହିବ ତାହା ଉପରେ ନଜର ରଖିଥିବା ସେତେବେଳେ ସେ କହିଥିଲେ ।

ବର୍ତ୍ତମାନ ଇଣ୍ଡୋନେସିଆ ପାମ୍‌ ଅଏଲ୍‌ ରପ୍ତାନି କଟକଣା ହଟାଇବା ପାଇଁ ନିଷ୍ପତ୍ତି ନେଇଥିବାବେଳେ ଭାରତରେ ଖାଇବା ତେଲ ଦର କମିପାରେ । ବିଶେଷଜ୍ଞଙ୍କ କହିବାନୁସାରେ, ବ୍ୟାନ୍‌ ହଟିବାର ତୁରନ୍ତ ବାଦ ୨ରୁ ୨.୫ ଲକ୍ଷ ଟନ୍‌ ପାମ୍‌ ଅଏଲ୍‌ ଭାରତ ଆସିଯିବ । ଫଳରେ ଯୋଗାଣ ସ୍ଥିତିରେ ସୁଧାର ଆସିବ ଏବଂ ଦର ନିୟନ୍ତ୍ରଣ ହୋଇପାରିବ ।

ପ୍ରକାଶଯୋଗ୍ୟ, ଭାରତ ୬୦ରୁ୭୦% ତୈଳ ଆମଦାନି କରିଥାଏ । ଏଥିମଧ୍ୟରୁ ୫୦ରୁ୬୦% ହେଉଛି ପାମ୍‌ ଅଏଲ୍‌ । ବ୍ୟାନ୍‌ ହଟିବା ପରେ କେବଳ ପାମ୍‌ ଅଏଲ୍‌ ଦାମ କମିବ ନାହିଁ ଅନ୍ୟ ତେଲଗୁଡ଼ିକ ବି ଶସ୍ତା ହେବ । ପାମ୍‌ ଅଏଲ୍‌ ଅନେକ ଏଫ୍‌ଏମ୍‌ସିଜି ଉତ୍ପାଦ ପ୍ରସ୍ତୁତିରେ ମଧ୍ୟ ବ୍ୟବହାର ହୋଇଥାଏ । ଏଗୁଡ଼ିକର ଦର ମଧ୍ୟ କମିପାରେ ।

ଖାଇବା ତେଲ ଦରରେ ବୃଦ୍ଧି ଯୋଗୁ ଇଣ୍ଡୋନେସିଆରେ ଅଧିକାଂଶ ପାମ୍‌ ଅଏଲ୍‌ ଉତ୍ପାଦନକାରୀ ଏହାର ରପ୍ତାନି ବଢ଼ାଇ ଦେଇଥିଲେ । ଫଳରେ ସରକାର ରପ୍ତାନି କଟକଣା ଲଗାଇଥିଲେ । ବ୍ୟାନ୍‌ ଲାଗିବା ପରେ ଇଣ୍ଡୋନେସିଆର ଶହ ଶହ ଚାଷୀ ରାଜଧାନୀ ଜାକର୍ତ୍ତା ଏବଂ ଦେଶର ଅନ୍ୟ ପ୍ରାନ୍ତଗୁଡ଼ିକରେ ବିରୋଧ ପ୍ରଦର୍ଶନ କରିଥିଲେ ଏବଂ ପାମ୍‌ ଅଏଲ୍‌ ରପ୍ତାନି କଟକଣା ହଟାଇବା ପାଇଁ ସରକାରଙ୍କ ଆଗରେ ଦାବି ରଖିଥିଲେ । ରପ୍ତାନି ପ୍ରତିବନ୍ଧକ ଯୋଗୁ ଚାଷୀଙ୍କ ଆୟ ହ୍ରାସ ପାଇଥିବା ସେମାନେ କହିଥିଲେ ।


Share It

Comments are closed.