ଭାରତୀୟଙ୍କ ମାଗଣା ପ୍ରବେଶ ବନ୍ଦ କଲା ଭୁଟାନ୍‌


ବିଶ୍ୱର ସବୁଠାରୁ ସୁଖୀ ରାଷ୍ଟ୍ର କୁହାଯାଉଥିବା ଭୁଟାନ୍‌ରେ ପ୍ରବେଶ କରିବା ପାଇଁ ଏବେ ଭାରତୀୟ ନାଗରିକଙ୍କୁ ପ୍ରବେଶ ଶୁଳ୍କ ଦେବାକୁ ପଡିବ । କାରଣ ଭୁଟାନ ସରକାର ଭାରତୀୟ ନାଗରିକଙ୍କ ସମେତ ବାଂଲାଦେଶ ଓ ମାଳଦ୍ୱୀପ ନାଗରିକଙ୍କ ପାଇଁ ମାଗଣା ପ୍ରବେଶ ସୁବିଧାକୁ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି । ଏବେ ଏହି ୩ଟି ଦେଶରୁ ଭୁଟାନ ଯାଉଥିବା ଯାତ୍ରୀଙ୍କୁ ୧୨୦୦ ଟଙ୍କା ପ୍ରତିଦିନ ହିସାବରେ ପ୍ରବେଶ ଶୁଳ୍କ ଦେବାକୁ ହେବ । ବିଦେଶୀ ଯାତ୍ରୀଙ୍କ ଉପରେ ଲଗାଯାଇଥିବା ଏହି ଶୁଳ୍କକୁ ଭୁଟାନ ସରକାର ସଷ୍ଟେନେବୁଲ ଡେଭ୍‌ଲପ୍‌ମେଂଟ୍ ଫି (ଏସ୍‌ଡିଏଫ୍‌) ନାମ ଦେଇଛନ୍ତି । ଏହି ଶୁଳ୍କ ଆସନ୍ତା ଜୁଲାଇ୨୦୨୦ରୁ ଲାଗୁ ହେବ । ଭୁଟାନର ଜାତୀୟ ସମ୍ବିଧାନରେ ଚଳିତ ସପ୍ତାହରେ ଟୁରିଜିମ୍ ଲେଭି ଆଣ୍ଡ ଏକ୍‌ଜେମ୍ପ୍‌ସନ୍ ବିଲ୍ ଅଫ୍ ଭୁଟାନ, ୨୦୨୦ ପାରିତ ହୋଇଥିଲା । ତେବେ ଭାରତ, ବାଂଲାଦେଶ ଓ ମାଳଦ୍ୱୀପରୁ ନାଗରିକଙ୍କଠାରୁ ଆଦାୟ ହେବାକୁ ଥିବା ଏହି ଶୁଳ୍କ ଅନ୍ୟ ଦେଶଠାରୁ ଆଦାୟ ହେବାକୁ ଥିବା ଶୁଳ୍କ ତୁଳନାରେ ଖୁବ୍ କମ୍ ରହିଛି । କାରଣ ଭୁଟାନ ଯାଉଥିବା ଅନ୍ୟ ଦେଶର ଲୋକଙ୍କୁ ଏବେ ଦିନକୁ ପ୍ରାୟ ୧୭୦୦୦ ଟଙ୍କାର ପ୍ରବେଶ ଶୁଳ୍କ ଦେବାକୁ ହେବ ।

ଅଧିକାଂଶ ଭାରତୀୟ ଭୁଟାନର ପଶ୍ଚିମ ଅଂଶରେ ବୁଲାବୁଲି କରିବାକୁ ପସନ୍ଦ କରିଥାନ୍ତି । ତେଣୁ ଭୁଟାନ ସରକାର ପୂର୍ବ ଭାଗକୁ ପ୍ରୋତ୍ସାହିତ କରିବା ଲାଗି ଏଠାରେ ଏସ୍‌ଡିଏଫ୍ ଚାର୍ଜ କମ୍ ରଖିଛନ୍ତି । ଏହି ଶୁଳ୍କ ୫ ବର୍ଷରୁ କମ୍ ବୟସର ପିଲାମାନଙ୍କ ଉପରେ ଲାଗୁ ହେବ ନାହିଁ ଏବଂ ୬ରୁ ୧୨ ବର୍ଷର ପିଲାମାନଙ୍କ ପାଇଁ ଏହି ଶୁଳ୍କ ମାତ୍ର ୬୦୦ ଟଙ୍କା ରହିଛି ।


Share It

Comments are closed.