ଉଲ୍ଲାସର ସହ ସମାପନ ହେଲା ‘ଭୁଫେଷ୍ଟୋ ୨୦୨୩’


ଭୁବନେଶ୍ୱର : ଡଟ୍ ଫେଷ୍ଟ୍‌ରେ ଆୟୋଜିତ ସର୍ବବୃହତ୍ ଆନ୍ତର୍ଜାତୀୟ ଓରାଲ୍ ଷ୍ଟୋରିଟେଲିଙ୍ଗ ଫେଷ୍ଟିଭାଲ- ଭୁଫେଷ୍ଟୋ (ଭୁବନେଶ୍ୱର ଫେଷ୍ଟିଭାଲ ଅଫ୍ ଷ୍ଟୋରିଟେଲିଙ୍ଗ୍‌) ଆଜି ଅନେକ ଉଲ୍ଲାସର ସହ ସମାପନ ହୋଇଯାଇଛି । ଭୁଫେଷ୍ଟୋ ଆସନ୍ତା ଜାନୁଆରୀ ୧୪ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଅପରାହ୍ନ ୨.୩୦ ମିନିଟ୍‌ରୁ ସନ୍ଧ୍ୟା ୭.୩୦ ମିନିଟ୍ ପର୍ଯ୍ୟନ୍ତ ଭୁବନେଶ୍ୱରର ୪ଟି ଭିନ୍ନ ଭିନ୍ନ ପାର୍କ ଓ ଖୋଲା ସ୍ଥାନରେ ଆୟୋଜିତ ହୋଇଥିଲା । ଆଜି ଏହି ଉତ୍ସବର ଶେଷ ସଂନ୍ଧ୍ୟାରେ ନନ୍ଦିତା ଦାସ, ଲୋପାମୁଦ୍ରା ମହାନ୍ତି, ମୀରା ଦାସ, ହୃଦୟ ରଞ୍ଜନ, ସାଶ୍ୱତି ପଟ୍ଟନାୟକ, ରବଣ ଛାୟା, ପ୍ରାଚୀ ତାରାଙ୍କ ଭଳି ଓଡ଼ଆ କଥାକାରମାନେ ସେମାନଙ୍କ କାହାଣୀ ଉପସ୍ଥାପନ କରିଥିଲେ । ସେହିଭଳି ଆରିଓ (ଇଣ୍ଡୋନେସିଆ), ମାରିଅନ କେନି(ସ୍କଟଲ୍ୟାଣ୍ଡ), ଅକ୍ଷୟ ଗାନ୍ଧୀ, ନୁପୁର ଅଗରୱାଲ, ଆଂଟୋନିଓ ରୋଚା, ଅନୁଭା, ବୋଗିସ୍ୱା(ସାଉଥ ଆଫ୍ରିକା), ରୋହିଣୀ ଭିଜ, ରୋଜର ଜେନକିନ୍‌ସ(ସିଙ୍ଗାପୋର)ଙ୍କ ଭଳି ଅନେକ ବିଶିଷ୍ଟ କଥାକାର ମଧ୍ୟ ସେମାନଙ୍କ କାହାଣୀ ଉପସ୍ଥାପନା କରିଛନ୍ତି ।

ଏହି ଅବସରରେ ନିଜ ମତ ରଖି ଖ୍ୟାତନାମା ଚଳଚ୍ଚିତ୍ର ନିର୍ମାତା ତଥା ସମାଜସେବୀ ନନ୍ଦିତା ଦାସ କହିଛନ୍ତି ଯେ, “ଜଣେ କଥାକାର ହେବା ପାଇଁ ଜଣେ ବୃତିଗତ ହେବା ଆବଶ୍ୟକ ନୁହେଁ । ଯେକେହି ଜଣେ କଥାକାର ହୋଇପାରନ୍ତି । ଆପଣଙ୍କୁ ଏଭଳି ଏକ କାହାଣୀ କହିବାକୁ ପଡ଼ିବ ଯେଉଁଥିରେ ପିଲାମାନେ ନିଜକୁ ଜଡ଼ିତ କରିପାରିବେ ଏବଂ ସଂଯୋଗ କରିପାରିବେ । ଦର୍ଶକଙ୍କ ବିନା କାହାଣୀ ମହୋତ୍ସବ ଅସମ୍ପୂର୍ଣ୍ଣ । ଆମକୁ ଭଲ କଥାକାର ଦରକାର ଏବଂ ଅନେକ ଯୁବକ ଓ ମହିଳାମାନେ ମଧ୍ୟ ପେସାଦାରଙ୍କ ପରି କାହାଣୀ କହିପାରିବେ ।”

ଏହା ବ୍ୟତୀତ ଏହି ଅବସରରେ ଉତ୍ସବର ନିର୍ଦ୍ଦେଶକ ଶ୍ରୀ ସୁଜିତ ମହାପାତ୍ର, ଉତ୍ସବର କ୍ୟୁରେଟର ନୁପୁର ଅଗରୱାଲ ଏବଂ ଶାସ୍ୱତୀ ପଟନାୟକ ପ୍ରମୁଖ ମଧ୍ୟ ଉପସ୍ଥିତ ରହିଥିଲେ ।

ଭୁଫେଷ୍ଟୋର ଏହି ଚାରି ଦିନକୁ ବେଶ ଉତ୍ସାହର ସହ ଉପଭୋଗ କରିଥିଲେ ଭୁବନେଶ୍ୱରବାସୀ । ଏହି ଫେଷ୍ଟିଭାଲ ଦର୍ଶକଙ୍କୁ ବହୁ ପ୍ରତିଷ୍ଠିତ କଥାକାରମାନଙ୍କର ରୋମାଂଚପୂର୍ଣ୍ଣ କାହାଣୀ ଓ ଲୋକକଥା ଶୁଣିବାର ସୁଯୋଗ ପ୍ରଦାନ କରିଥିଲା । ଏଥିରେ ବ୍ରାଜିଲ, ସ୍କଟ୍‌ଲ୍ୟାଣ୍ଡ, ସିଙ୍ଗାପୁର, ଇଣ୍ଡୋନେସିଆ ଓ ଦକ୍ଷିଣ ଆଫ୍ରିକାରୁ ଆନ୍ତର୍ଜାତୀୟ କଥାକାରଙ୍କ ସମେତ ଜାତୀୟ ସ୍ତରର ଓ ଓଡିଶାର ଅନେକ ଲୋକପ୍ରିୟ କଥାକାର ଏହି ଇଭେଂଟ୍‌ରେ ଅଂଶଗ୍ରହଣ କରିଥିଲେ ।


Share It

Comments are closed.