ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପରେ ବିସ୍ଫୋରଣ


ହୁତୁ ହୁତୁ ହୋଇ ଜଳୁଛି ପେଟ୍ରୋଲ ପମ୍ପ୍ । ଭୁବନେଶ୍ୱର  ସ୍ଥିତ ରାଜଭବନ ନିକଟରେ ଥିବା ପେଟ୍ରୋଲ ପମ୍ପରେ ଅଗ୍ନିକାଣ୍ଡ ହୋଇଛି । ପେଟ୍ରୋଲ ପମ୍ପରେ ହଠାତ୍ ପ୍ରଚଣ୍ଡ ଶବ୍ଦ ହୋଇଥିଲା । ଏହାପରେ ନିଆଁ ଲାଗିଯାଇଥିବା ଜଣାପଡିଛି । ଇଣ୍ଡିଆନ ଅଏଲ ଏହି ପେଟ୍ରୋଲ ପମ୍ପରେ ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇନଥିବା    ବେଳେ ଗୋଟିଏ ନିର୍ଦ୍ଦିଷ୍ଟ ପଏଣ୍ଟରେ ନିଆଁ ଧାସ ବହୁତ ଦୂରରୁ ଦେଖାଯାଉଛି । ନିଆଁର ଆକାରର ଅତି ଭୟଙ୍କର ଜଣାପଡୁଛି ।

ଘଟଣାସ୍ଥଳରେ ତୁରନ୍ତ ଅଗ୍ନିଶମ ବାହିନୀ ୩ଟି ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛି । ପୋଲିସ ସ୍ଥାନୀୟ ଅଞ୍ଚଳକୁ ଚାରିପଟୁ ଘେରାବନ୍ଦୀ କରିନେଇଛି । ଅଗ୍ନିକାଣ୍ଡକୁ ଦେଖି ପେଟ୍ରୋଲ ପମ୍ପ୍ ରେ ଗାଡି ଛାଡି ଲୋକେ ଦୌଡି ପଳାଇ ଆସିବା ଏବଂ କିଛି ଗାଡି ଇତଃସ୍ତତ ଭାବେ ପଡିରହିଥିବା ଭିଜୁଆଲରୁ ଜଣାଯାଇଛି ।

ତେବେ ଗ୍ୟାସ୍ ଟାଙ୍କି ଫାଟି ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ସୂଚନାରୁ ଜଣାଯାଇଛି । ପେଟ୍ରୋଲ ପମ୍ପକୁ ଆସିଥିବା ଗ୍ୟାସ୍ ଗାଡି ଅନଲୋଡିଂ ସମୟରେ ଅକ୍ସିଜେନ୍ ଭର୍ତ୍ତି ହେଉଥିବା ବେଳେ ହଠାତ୍ ଅଗ୍ନିକାଣ୍ଡ ଘଟିଥିବା ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ଶୁଣିବାକୁ ମିଳିଛି । ପ୍ରଚଣ୍ଡ ଶବ୍ଦ କରି ନିଆଁ ଜଳିବା ସହ ବହୁ ଉଚ୍ଚକୁ ଅଗ୍ନିଶିଖା ଉଠୁଥିବା ଦେଖିବାକୁ ମିଳିଥିଲା । ଅଗ୍ନିକାଣ୍ଡ ସମୟରେ ସେହି ପେଟ୍ରୋଲ ପମ୍ପରେ ତେଲ ଟ୍ୟାଙ୍କର ଥିବା ବେଳେ ନିଆଁ ବ୍ୟାପିନଥିବା ସୂଚନା ମିଳିଛି । କିନ୍ତୁ ଭୟରେ ସେଠାରେ ଥିବା ଲୋକମାନେ ଗାଡି ଛାଡି ଦୌଡି ପଳାଇଥିଲେ ।

ରାଜଭବନ ପାଚେରୀଠାରୁ ମାତ୍ର କେଇ ଫୁଟ ଦୂରରେ ଥିବା ଏହି ପେଟ୍ରୋଲ ପମ୍ପରେ ଅଗ୍ନିକାଣ୍ଡ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ତେବେ ତିନୋଟି ଅଗ୍ନି ନିର୍ବାପକ ଗାଡି ଏବଂ ଅଗ୍ନିଶମ କର୍ମଚାରୀ ମାନେ କିଛି ସମୟ ମଧ୍ୟରେ ଟାଙ୍କିରେ ପ୍ରବେଶ କରି ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିବା ବେଳେ ଏବେ ତାହାକୁ ସଂପୂର୍ଣ୍ଣ ନିୟନ୍ତ୍ରଣ ପାଇଁ ଉଦ୍ୟମ ଜାରି ରଖିଛନ୍ତି । କାହିଁକି ଓ କିପରି ଭାବେ ଏହି ଅଗ୍ନିକାଣ୍ଡ ଘଟିଲା, ପେଟ୍ରୋଲ ପମ୍ପରେ ଗଚ୍ଛିତ ଡେଜେଲ, ପେଟ୍ରୋଲ ସହ ଗ୍ୟାସ୍ ର ସ୍ଥିତି, ନିରାପତ୍ତା ବ୍ୟବସ୍ଥା ଆଦି ନେଇ ଯାଞ୍ଚ ଚାଲିଛି । ପେଟ୍ରୋଲ ପମ୍ପକୁ ସାଧାରଣ ଲୋକଙ୍କୁ ନଯିବାକୁ ବାରଣ ସହ ସେହି ରାସ୍ତାରେ କଡା ପୋଲିସ ବ୍ୟବସ୍ଥା କରାଯାଇଛି । ତେବେ ରାଜଧାନୀର ଅଧିକ ଗୁରୁତ୍ବପୂର୍ଣ୍ଣ ତଥା ଏକ ସୁରକ୍ଷିତ ଅଞ୍ଚଳରେ ଥିବା ପେଟ୍ରୋଲ ପମ୍ପରେ କିପରି ଏଭଳି ଭୟଙ୍କର ଅଗ୍ନିକାଣ୍ଡ ଘଟିଲା ତାହା ଚିନ୍ତାର ବିଷୟ ହୋଇଛି । ୮ଟି ୧୦୮ ଓ ୫ଟି ୧୦୨ ଆମ୍ବୁଲାନ୍ସକୁ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନେବା ପାଇଁ ନିୟୋଜିତ କରାଯାଇଥିଲା ।


Share It

Comments are closed.