ଭାରତ ବାୟୋଟେକର କୋଭିଡ-୧୯ ଟିକାର ପ୍ରଥମ କ୍ଲିନିକାଲ ଟ୍ରାୟଲ ସଫଳ, ନାହିଁ ପାର୍ଶ୍ୱପ୍ରତିକ୍ରିୟା


ଭାରତ ବାୟୋଟେକର ସ୍ୱଦେଶୀ କରୋନା ଟିକା ‘କୋଭାକ୍ସିନ୍’ ର କ୍ଲିନିକାଲ୍ ପରୀକ୍ଷଣର ପ୍ରଥମ ପର୍ଯ୍ୟାୟରେ ଉନ୍ନତ ପ୍ରଦର୍ଶନ କରିଛି | ପରୀକ୍ଷା ସମୟରେ ଏହି ଟିକା ର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇ ନାହିଁ | କ୍ଲିନିକାଲ୍ ପରୀକ୍ଷଣର ପ୍ରଥମ ପର୍ଯ୍ୟାୟର ମଧ୍ୟବର୍ତ୍ତୀ ଫଳାଫଳ ଦର୍ଶାଇଛି ଯେ ସମସ୍ତ ବୟସ ବର୍ଗ ଉପରେ ଏହାର କୌଣସି ଗମ୍ଭୀର କିମ୍ବା ପ୍ରତିକୂଳ ପ୍ରଭାବ ପରିଲକ୍ଷିତ ହୋଇନାହିଁ | କମ୍ପାନୀ ପକ୍ଷରୁ ବୁଧାର ଏ ନେଇ ସୂଚିତ କରାଯାଇଥିବା ବେଳେ ପ୍ରଥମ କ୍ଲିନିକାଲ ଟ୍ରାଏଲରେ ଭାକ୍ସିନ ଶରୀରରେ ଆଣ୍ଟିବଡି ବିକଶିତ କରିଥିବା ବେଳେ ଏହାର ପାର୍ଶ୍ୱପ୍ରତିକ୍ରିୟା ଦେଖାଯାଇ ନଥିବା ଦାବି କରିଛି।

ଲୋକଙ୍କ ଠାରେ ଯାହାବି ପାର୍ଶ୍ୱପ୍ରତିକ୍ରିୟା ଦେଖାଯାଇଛି ତାହା ମଧ୍ୟ ବିନା କୌଣସି ଔଷଧରେ ଖୁବ୍ ଶୀଘ୍ର ଭଲ ହୋଇଯାଇଥିବା କମ୍ପାନୀ କର୍ତ୍ତୃପକ୍ଷ କହିଛନ୍ତି। ସେହିପରି ଶରୀରରେ ଟିକା ଲଗାଇବା ବେଳେ ହୋଇଥିବା ଯନ୍ତ୍ରଣା ମଧ୍ୟ ଆପେ ଆପେ ଠିକ ହୋଇଯାଇଛି। ଏବେ କୋଭାକ୍ସିନ ଜରୁରୀକାଳୀନ ଉପଯୋଗ ଲାଗି ଅନ୍ୟ ଦୁଇ ଟିକାଙ୍କ ସହ ସରକାରଙ୍କ ନିକଟରେ ନିବେଦନ କରିଛି।

କିଛିଦିନ ପୂର୍ବେ ଭାରତ ବାୟୋଟେକ୍‌ର ଯୁଗ୍ମ ନିର୍ଦ୍ଦେଶିକା ସୁଚିତ୍ରା ଇଲା ସୁରକ୍ଷା ଓ କ୍ଷମତା ସହ କୋଭାକ୍ସିନ ୨୦୨୧ ପ୍ରଥମ ତିନିମାସରେ ଦେଶରେ ଉପଲବ୍ଧ ଥିବ ବୋଲି ଆଶାବ୍ୟକ୍ତ କରିଥିଲେ। ସେହିପରି ଦେଶରେ ସରକାରଙ୍କ ଟିକାକରଣ ଯୋଜନାରେ କୋଭାକ୍ସିନକୁ ପ୍ରଥମ ଶ୍ରେଣୀ ଦର୍ଜା ମିଳିବ ବୋଲି ମଧ୍ୟ ସେ ଆଶାବ୍ୟକ୍ତ କରିଥିଲେ।


Share It

Comments are closed.