କୋଟି ଓଡ଼ିଆଙ୍କ ପ୍ରାଣ ପଖାଳର ଉପାଦେୟତା


ଯୁବ ସମୟ-କୋଟି କୋଟି ଓଡ଼ିଆଙ୍କ ଅତି ପ୍ରିୟର ଖାଦ୍ୟ ପଖାଳ, ତାହା ପୁଣି ଏହି ଗ୍ରୀଷ୍ମ ଦିନେ ତାର ମଜା ହିଁ କିଛି ଅଲଗା । ଧନୀ ଠାରୁ ଗରିବ ସମସ୍ତେ ଏହି ପଖାଳ ପ୍ରେମରେ ବାୟା । କୋଟି ଓଡ଼ିଆଙ୍କ ପ୍ରାଣ, ଜଗତର ନାଥ ଜଗନ୍ନାଥ ମଧ୍ୟ ଏହି ପଖାଳ କଂସା ମାୟାରୁ ବାଦ୍ ଯାଇନାହାଁନ୍ତି । ତାଙ୍କ ନିକଟରେ ପରଷା ଯାଉଥିବା ଛପନ ଭୋଗ ମଧ୍ୟରୁ ପଖାଳ ହେଉଛି ଅନ୍ୟତ୍ତମ । ଏପରିକି ଅନେକ ବିଦେଶୀ ମଧ୍ୟ ଏହି ପଖାଳ ଖାଇ ଏହାର ଭୂରି ଭୂରି ପ୍ରଂଶସା କରିଛନ୍ତି । ପଖାଳର ସ୍ୱାସ୍ଥ୍ୟ ଉପଯୋଗୀତା ମଧ୍ୟ ବିଜ୍ଞାନ ସମ୍ମତ । ଏହା ସହଜରେ ହଜମ ହେଉଥିବାବେଳେ ଅଂଶୁଘାତ କବଳରୁ ମଧ୍ୟ ରକ୍ଷା କରିଥାଏ । ସମସ୍ଥେ ଜାଣି ଆଶ୍ଚର୍ଯ୍ୟ ହେବେ ଏହାକୁ ପ୍ରତ୍ୟେହ ଖାଇବା ଦ୍ୱାରା ଶରୀର ପତଳା ହୋଇଥାଏ । କାରଣ ଭାତରେ ପାଣି ପୁରାଇ ରାତି ସାରା ରଖିବା ଦ୍ୱାରା ସଦ୍ୟ ରନ୍ଧା ଯାଇଥିବା ଭାତ ତୁଳନାରେ ଏଥିରେ ୬୦ % କମ୍ କ୍ୟାଲୋରୀ ରହିଥାଏ । ଯେତେବେଳେକି ରନ୍ଧା ଯାଇଥିବା ୧୦୦ ଗ୍ରାମ୍ ଭାତରୁ ୧୩୦ କ୍ୟାଲୋରୀ ମିଳୁଥିବାବେଳେ ସେହି ୧୦୦ ଗ୍ରାମ୍ ପଖାଳରୁ କିନ୍ତୁ ୫୨ ଗ୍ରାମ୍ କ୍ୟାଲୋରୀ ମିଳିଥାଏ । ପଖାଳ ଗ୍ରୀଷ୍ମ ଦିନରେ ଉତ୍ତାପରୁ ତ୍ରାହି ଦେବା ସହିତ ଭଳ ନିଦ କରିବାରେ ମଧ୍ୟ ସହାୟକ ହୋଇଥାଏ ।

ପଖାଳ ଏକ ପ୍ରାକୃତିକ ଥଣ୍ଡା ଖାଦ୍ୟ ହୋଇଥିବାବେଳେ ଏହା ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରିଥାଏ । ପ୍ରତ୍ୟେହ ସକାଳେ ପଖାଳ ଖାଇବା ଦ୍ୱାରା ପାକସ୍ଥଳୀ ଜନିତ ରୋଗରୁ ଉପଶମ ମିଳିଥାଏ । ଏହାକୁ ସପ୍ତାହରେ ତିନି ଥର ଭୋଜନ କରିବା ଦ୍ୱାରା ଅଲଶର ରୋଗ ମଧ୍ୟ ଭଲ ହୋଇଥାଏ । ପଖାଳ ଖାଇବା ଦ୍ୱାରା ମୁହଁର ତ୍ୱଚା ମଧ୍ୟ ଉଜ୍ଜ୍ୱଳ ଦେଖାଯାଇଥାଏ । ଆଧୁନିକ ଯୁଗରେ ବିଭିନ୍ନ ପଞ୍ଚ ତାରକା ହୋଟେଲ ମାନଙ୍କରେ ବର୍ତ୍ତମାନ ବିଭିନ୍ନ ପ୍ରକାରର ପଖାଳ ଉପଲବ୍ଧ ହେଉଥିବାବେଳେ ସେଥିରେ ସେହି ପାରମ୍ପରିକ ବାସ୍ନା ଦେବା ପାଇଁ ସର୍ବଦା ପ୍ରୟାସରତ । ତାକୁ ଖାଇ କେତେକ ପୁରୁଖା ଲୋକ କିନ୍ତୁ ଗାଁର ସେଇ ମାଟି ହାଣ୍ଡିରେ ରନ୍ଧା ଯାଇଥିବା ପଖାଳର ବାସ୍ନାକୁ ଏପର୍ଯ୍ୟନ୍ତ ମନରୁ ପାଶୋରି ପାରିନାହାଁନ୍ତି । ଚାଲନ୍ତୁ ଜାଣିବା ସେହି ପାରମ୍ପରିକ ପଦ୍ଧତିରେ ତିଆରି ହେଉଥିବା ପଖାଳ । ରାତିରେ ଭାତକୁ ମାଟି ହାଣ୍ଡିରେ ରନ୍ଧାଯାଇ ଅଳ୍ପ ଉଷୁମ ଥିବା ଅବସ୍ଥାରେ ସେଥିରେ ପାଣି ପୁରାଯାଏ । ସକାଳେ ଏହା ବାସିହୋଇ ଏଥିରେ ଯୋଉ ବାସ୍ନା ଯୋଡ଼ିହୋଇଯାଏ ତାହା ସତରେ ନିଆରା । ତା ସାଙ୍ଗକୁ ବଡ଼ି ଚୁରା, ବାଇଗଣ ଭର୍ତ୍ତା, ଆଳୁ ଭର୍ତ୍ତା, ଶାଗ ଭଜା, ମାଛ ଭଜା, ଦହି, କାକୁଡ଼ି ଏବଂ ଆହୁରି ଅନେକ ତାର ସ୍ୱାଦକୁ ଦ୍ୱିଗୁଣିତ କରିଦେଇଥାଏ ।


Share It

Comments are closed.