ଧୋନୀଙ୍କୁ ପୁଣି ଏକ ଝଟକା ଦେଲା ବିସିସିଆଇ


ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପୁଣିଥରେ ଦଳର ପୂର୍ବତ୍ତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ଆଉ ଏକ ଝଟକା ଦେଇଛି । ଶୁକ୍ରବାର ଦିନ ବିସିସିଆଇର ଟ୍ୱିଟର ହ୍ୟାଣ୍ଡେଲରେ ଫଲୋର୍ସଙ୍କ ସଂଖ୍ୟା ୧ କୋଟି ୧୦ ଲକ୍ଷ ପାରି କରିଥିବା ହେତୁ ଏହି ଅବସରରେ ବିସିସିଆଇ ଏକ ପୋଷ୍ଟ ସେୟାର କରି ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲା । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା ଯେ, ସେୟାର ହୋଇଥିବା ଏହି ପୋଷ୍ଟରେ ଭାରତୀୟ ପୁରୁଷ ଏବଂ ମହିଳା କ୍ରିକେଟ ଦଳର ଶ୍ରେଷ୍ଠ ଖେଳାଳୀଙ୍କ ଫଟୋ ଥିବାବେଳେ କିନ୍ତୁ ମହେନ୍ଦ୍ର ସିଂହ ଧୋନୀଙ୍କ କୌଣସି ଛବି ନଥିଲା ।

ପ୍ରକାଶ ଥାଉକି, ବିସିସିଆଇ ନିଜ ଟ୍ୱିଟର ହ୍ୟାଣ୍ଡଲରେ ୧୧ ମିଲିୟନ (୧କୋଟି ୧୦ଲକ୍ଷ) ଫଲୋର୍ସ ପାର କରି ସାରିଛି । ବିସିସିଆଇ ଏଥିପାଇଁ ୮ଟି ପ୍ରମୁଖ ଖେଳାଳୀଙ୍କ ଫଟୋ (ଉଭୟ ମହିଳା ଏବଂ ପୁରୁଷ) ଥିବା ପୋଷ୍ଟ ସେୟାର କରି ୟୁଜର୍ସଙ୍କୁ ଧନ୍ୟବାଦ ଜଣାଇଥିଲା । ଏହି ପୋଷ୍ଟରେ ବିରାଟ କୋହଲି, କେଏଲ ରାହୁଲ, ରୋହିତ ଶର୍ମା, ଶ୍ରେୟସ ଆୟାର, ଜଶପ୍ରୀତ ବୁମରା, ହରମନପ୍ରୀତ କୌର, ସ୍ମୃତି ମନ୍ଦାନ ଏବଂ ପୁନମ ଯାଦବଙ୍କ ଛବି ଥିଲା । ବିସିସିଆଇ ଏହି ପୋଷ୍ଟ ସେୟାର କରି କ୍ୟାପସନରେ ଲେଖିଥିଲା ଯେ, “ଟ୍ୱିଟରେ ଆମ ପରିବାରର ଅଭିବୃଦ୍ଧିକୁ ଦେଖି ଆମେ ଅତ୍ୟନ୍ତ ଖୁସି କିନ୍ତୁ ଏହି ମଧ୍ୟରେ ଆପଣ ସାମାଜିକ ଦୂରତା ବଜାୟୀ ରଖିବାକୁ ଭୁଲନ୍ତୁ ନାହିଁ ।”

ଏହା ପୂର୍ବରୁ ଇନଷ୍ଟାଗ୍ରାମରେ ବିସିସିଆଇର ଫଲୋର୍ସ ୧୩ ମିଲିୟମ ପାର ହେବା ପରେ ମଧ୍ୟ ସେ ଏକ ପୋଷ୍ଟ ସେୟାର କରିଥିବାବେଳେ ସେଥିରେ ମଧ୍ୟ ଧୋନୀ କୌଣସି ଛବି ଦେଖିବାକୁ ମିଳିନଥିଲା । ଏଥିରି ସ୍ପଷ୍ଟ ଜଣାପଡୁଛି ଯେ, ଧୋନୀ ଯୁଗ ଶେଷ ହୋଇଯାଇଛି ।


Share It

Comments are closed.