ଦକ୍ଷିଣ ଆଫ୍ରିକା ବପକ୍ଷରେ ଖେଳାଯିବାକୁ ଥିବା ଟି-୨୦ ମ୍ୟାଚରେ କୋହଲି, ରୋହିତଙ୍କୁ ମିସ୍‌ କରିବେ ବାରବାଟୀ ଦର୍ଶକ


ପ୍ରାୟ ଅଢେଇ ବର୍ଷ ଅନ୍ତରରେ ବାରବାଟୀ ଷ୍ଟାଡିୟମ୍‌ଠାରେ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ହେବାକୁ ଯାଉଛି । ଭାରତ- ଦକ୍ଷିଣ ଆଫ୍ରିକା ଟି-୨୦ ନେଇ କ୍ରିକେଟ୍‌ ପ୍ରେମୀଙ୍କ ଉତ୍ସାହ ବଢିବାରେ ଲାଗିଛି । କିନ୍ତୁ ରବିବାର ଦିନ ଦକ୍ଷିଣଆଫ୍ରିକା ବିପକ୍ଷ ଭାରତୀୟ ଟି-୨୦ ଦଳ ଘୋଷଣା ହେବା ପରେ ଉତ୍ସାହ ଧିମା ପଡିଯାଇଛି । କାରଣ ରୋହିତ ଶର୍ମା, ବିରାଟ କୋହଲି, ଜସପ୍ରିତ୍‌ ବୁମରାହାଙ୍କ ଭଳି ଖେଳାଳିଙ୍କୁ ଦର୍ଶକ ମିସ୍‌ କରିବେ ।

୨୦୧୯ ଡିସେମ୍ବର ୨୨ରେ ଶେଷ ଥର ପାଇଁ ଏଠାରେ ଭାରତ-ୱେଷ୍ଟଇଣ୍ଡିଜ୍‌ ଦିନିକିଆ ମ୍ୟାଚ ହୋଇଥିଲା । ଏଥିରେ ବିରାଟ କୋହଲି ଅଧିନାୟକ ଥିବା ବେଳେ ରୋହିତ ଶର୍ମା ୬୩ ରନ୍‌ର ଜମାଣିଆ ଇନିଂସ ଖେଳିଥିଲେ । କୋହଲି ମଧ୍ୟ ୮୫ରନ୍‌ କରିଥିଲେ । କିନ୍ତୁ ଆସନ୍ତା ଜୁନ୍‌ ୧୨ରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ରେ ଓଡ଼ିଆ କ୍ରିକେଟପ୍ରେମୀ ଉଭୟଙ୍କ ଖେଳ ଦେଖିବାକୁ ସୁଯୋଗ ପାଇବେନାହିଁ । ସେହିପରି ପେସର୍‌ ଜସପ୍ରୀତ ବୁମ୍‌ରାହା ମଧ୍ୟ ଅନୁପସ୍ଥିତ ରହିବେ ।

ସେହିପରି ଶିଖର ଧାୱନ୍‌, ରବୀନ୍ଦ୍ର ଜାଡେଜାଙ୍କୁ ମଧ୍ୟ ଦେଖିବାକୁ ପାଇବେ ନାହିଁ ଓଡ଼ିଆ କ୍ରିକେଟପ୍ରେମୀ । ତେବେ ଏଭଳି ସ୍ଥିତିରେ କେ.ଏଲ୍‌ ରାହୁଲ, ରିଷବ ପନ୍ଥ, ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ, ଭୁବନେଶ୍ୱର କୁମାର ପ୍ରମୁଖ ଖେଳାଳି ନଜରରେ ରହିବେ । ସେହିପରି ଯୁବତାରକା ଉମରନ୍‌ ମଲ୍ଲିକଙ୍କ ପେସ୍‌କୁ ଦର୍ଶକ ଉପଭୋଗ କରିବାକୁ ଥିବା ବେଳେ ଇଶାନ୍‌ କିଶନ୍‌, ଆଭେଶ ଖାନ୍‌, ରିତୁରାଜ ଗାଏକୱାଡ୍‌ ପ୍ରମୁଖ ଖେଳାଳିଙ୍କ ଉପସ୍ଥିତି ଦର୍ଶକଙ୍କୁ ଉତ୍ସାହ ଦେବ ।


Share It

Comments are closed.