ଆସନ୍ତାକାଲି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନର ଧର୍ମଘଟ, ବ୍ୟାଙ୍କ୍ କର୍ମଚାରୀ ମଧ୍ୟ ହେବେ ସାମିଲ୍


କରୋନା ସମୟରେ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଗ୍ରାହକଙ୍କୁ ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ପାଇଁ ଉତ୍ସାହିତ କରୁଛି, କିନ୍ତୁ ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡିତ କୌଣସି କାର୍ଯ୍ୟ ବାକି ଅଛି, ତେବେ ଆଜି ଏହାକୁ ସମ୍ପୂର୍ଣ୍ଣ କରନ୍ତୁ |କାରଣ ନଭେମ୍ବର ୨୬ ତାରିଖ ଅର୍ଥାତ ଆସନ୍ତାକାଲି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଦେଶବ୍ୟାପୀ ଧର୍ମଘଟ କରିବ । ଏହି ଆନ୍ଦୋଳନରେ ଅଖିଳ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ ମଧ୍ୟ ସାମିଲ ହେବା ନେଇ ଘୋଷଣା କରିଛି । କେନ୍ଦ୍ର ସରକାରଙ୍କ ଶ୍ରମ ବିରୋଧୀ ନୀତି ବିରୋଧରେ ଏହି ଆନ୍ଦୋଳନ ଡାକରା ଦିଆଯାଇଛି । ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାର ନିକଟରେ ତିନୋଟି ନୂଆ ଶ୍ରମ ଆଇନ ପାରିତ କରିବା ସହ ୨୭ ପୂରୁଣା ଆଇନକୁ ଶେଷ କରି ଦେଇଥିଲେ । ଯାହାକୁ ବିରୋଧ କରି ଏହି ଆନ୍ଦୋଳନ ଡାକରା ଦିଆଯାଇଛି । ଭାରତୀୟ ମଜଦୂର ସଂଘକୁ ଛାଡି ୧୦ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ୨୬ ନଭେମ୍ବରରେ ଦେଶବ୍ୟାପୀ ଆନ୍ଦୋଳନ କରିବା ନେଇ ଘୋଷଣା କରିଛି ।

ଅଖିଳ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ ମଙ୍ଗଳବାର କହିଛି ଯେ, ନିକଟରେ ଶେଷ ହୋଇଥିବା ଲୋକସଭା ଅଧିବେଶନରେ ତିନୋଟି ନୂଆ ଶ୍ରମ ଆଇନ ପାରିତ କରାଯାଇଛି । ଏହାସହ ବ୍ୟବସାୟ ସହଜ କରିବା ନାଁରେ ୨୭ ଆଇନକୁ ସମାପ୍ତ କରିଦେଇଛନ୍ତି । ଏହି ଆଇନ ମୋଟାମୋଟି ଭାବେ କର୍ପୋରେଟ୍ ସେକ୍ଟରର ହିତରେ । ଏଥି ଅନୁଯାୟୀ ୭୫ ପ୍ରତିଶତ ଶ୍ରମିକଙ୍କୁ ଶ୍ରମ ଆଇନ ଅଧିନରୁ ବାହାର କରିଦିଆଯାଇଛି । ନୂଆ ଆଇନରେ ଏହି ଶ୍ରମିକଙ୍କୁ କୌଣସି ପ୍ରକାରର ସଂରକ୍ଷଣ ମିଳିବ ନାହିଁ ।

ଅଖିଳ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘର ସଦସ୍ୟ ଥିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଏବଂ ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ୍ କୁ ଛାଡି ଅଧିକାଂଶ ବ୍ୟାଙ୍କ୍ ର ପ୍ରତିନିଧିତ୍ବ କରୁଛି । ବିଭିନ୍ନ ସାର୍ବଜନୀନ ଏବଂ ପୁରୁଣା ଘରୋଇ କ୍ଷେତ୍ରର ବ୍ୟାଙ୍କ୍ ଏବଂ କିଛି ବିଦେଶୀ ବ୍ୟାଙ୍କ୍, ପୁରୁଣା ପିଢୀର ଘରୋଇ କ୍ଷେତ୍ରର ବ୍ୟାଙ୍କ୍, କ୍ଷେତ୍ରୀୟ ଗ୍ରାମୀଣ ବ୍ୟାଙ୍କ୍ ଏବଂ ବିଦେଶୀ ବ୍ୟାଙ୍କ୍ ର ୧୦୦୦୦ ବ୍ରାଞ୍ଚ୍ ର ପ୍ରାୟ ୩୦,୦୦୦ କର୍ମଚାରୀ ଆନ୍ଦୋଳନରେ ସାମିଲ ହେବେ ।

ବ୍ୟାଙ୍କ୍ କର୍ମଚାରୀ ମଧ୍ୟ ନିଜ ଦାବି ରଖିବେ । ଶ୍ରମ ଆଇନ ବ୍ୟତୀତ ବ୍ୟାଙ୍କ୍ କର୍ମଚାରୀଙ୍କ ତରଫରୁ ବ୍ୟାଙ୍କ୍ ଘରୋଇକରଣକୁ ବିରୋଧ, ଆଉଟସୋର୍ସିଂ ଓ କଣ୍ଟ୍ରାକ୍ଟ ସିଷ୍ଟମର ବିରୋଧ, ପର୍ଯ୍ୟାପ୍ତ ନିଯୁକ୍ତି, ବଡ କର୍ପୋରେଟ୍ ଡିଫଲ୍ଟରସ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ, ବ୍ୟାଙ୍କ୍ ଜମାର ସୁଧ ଦରରେ ବୃଦ୍ଧି ଏବଂ ସର୍ଭିସ୍ ଚାର୍ଜରେ ହ୍ରାସ ଭଳି ଦାବି ରହିବ ।


Share It

Comments are closed.