ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ୨୦୨୪ ପାଳିତ

Share It

ଭୁବନେଶ୍ୱର: ଦେଶର ଅଗ୍ରଣୀ ରାଷ୍ଟ୍ରାୟତ ବ୍ୟାଙ୍କ-ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ଏହାର କର୍ପୋରେଟ୍ କାର୍ଯ୍ୟାଳୟରେ “ବ୍ୟାଙ୍କଆବିଲିଟିଜ୍‌-ବ୍ୟାଙ୍କିଙ୍ଗ ଅନ୍ ଦି ଆବିଲିଟିଜ୍ ଅଫ୍ ଦି ଡିଫରେଂଟ୍‌ଲି ଏବଲ୍‌ଡ” ଶୀର୍ଷକ ଉପରେ ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ୨୦୨୪ ପାଳିତ ହୋଇଯାଇଛି। ବିବିଧତାକୁ ମାନ୍ୟତା ପ୍ରଦାନ, ଅନ୍ତର୍ଭୁକ୍ତୀକରଣର ସୁଦୃଢ଼ୀକରଣ ଓ ଦିବ୍ୟାଙ୍ଗମାନଙ୍କ ସ୍ୱତନ୍ତ୍ର ଦକ୍ଷତାକୁ ପାଳନ କରିବାରେ ବ୍ୟାଙ୍କର ପ୍ରତିବଦ୍ଧତାକୁ ଏହା ଦର୍ଶାଉଛି। ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କ ଅଫ୍ ବରୋଦାର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ଶ୍ରୀ ଦେବଦତ୍ତ ଚାନ୍ଦ ଶୁଭେଚ୍ଛା ଜଣାଇବା ସହ ଦିବ୍ୟାଙ୍ଗମାନଙ୍କୁ ସେମାନଙ୍କ ଅଭିଳାଷ ପୂରଣ କରିବା ଲାଗି ସମର୍ଥନ କରିଥିଲେ।
ଏହି ଅବସରରେ ବ୍ୟାଙ୍କ ପକ୍ଷରୁ ଉଭୟ ପୁରୁଣା ଓ ନୂଆ ସମେତ ଏହାର ସମସ୍ତ ଦିବ୍ୟାଙ୍ଗ ଗ୍ରାହକମାନଙ୍କ ଲାଗି ମାଗଣା ଡୋରଷ୍ଟେପ୍ ବ୍ୟାଙ୍କିଙ୍ଗ ସେବା ଶୁଭାରମ୍ଭ କରାଯାଇଥିଲା। ଦିବ୍ୟାଙ୍ଗ ଗ୍ରାହକମାନେ ଆସନ୍ତା ୧ ବର୍ଷ ପର୍ଯ୍ୟନ୍ତ ପ୍ରତି ମାସରେ ଗୋଟିଏ ମାଗଣା ଡୋରଷ୍ଟେପ୍ ବ୍ୟାଙ୍କିଙ୍ଗ ସେବା ପାଇପାରିବେ। ଏହି ଅବସରରେ ବ୍ୟାଙ୍କ ପକ୍ଷରୁ କ୍ରୀଡ଼ା କ୍ଷେତ୍ର ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ଭାରତର ହ୍ୱିର୍ଲଚେୟାର ବାସ୍କେଟବଲ୍ ମହିଳା ଟିମ୍‌ର ଅଧିନାୟିକା ଗୀତା ଚୌହ୍ୱାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ବିବିଧତା, ସମାନତା ଓ ଅନ୍ତର୍ଭୁକ୍ତୀକରଣ (ଡିଇଆଇ) ନୀତି ଅନୁସାରେ ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ୨,୨୦୦ରୁ ଅଧିକ ଦିବ୍ୟାଙ୍ଗ କର୍ମଚାରୀମାନଙ୍କ ପାଇଁ ଅନୁକୂଳ ଓ ସହାୟକ କାର୍ଯ୍ୟକ୍ଷେତ୍ର ସୃଷ୍ଟି କରାଯାଇଥିବା ବେଳେ କ୍ୟାରିୟରରେ ଅଭିବୃଦ୍ଧି ଓ ପଦୋନ୍ନତି ଉପରେ ସମାନ ସୁଯୋଗ ପ୍ରଦାନ କରାଯାଇଛି।
ବିବିଧତା ଓ ଅନ୍ତର୍ଭୁକ୍ତୀକରଣ ଉପରେ ଗୁରୁତ୍ୱ ଦେଇ ବ୍ୟାଙ୍କ ଅଫ୍ ବରୋଦା ଏହାର ଦିବ୍ୟାଙ୍ଗ ଗ୍ରାହକମାନଙ୍କୁ ସମର୍ଥନ କରିବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି। ସେମାନଙ୍କୁ ସୁହାଇବା ଭଳି ସ୍ଥାନରେ ପୋଷ୍ଠିଂ ଦିଆଯାଉଥିବା ବେଳେ ଅନୁକୂଳ କାମ, ଉପଯୁକ୍ତ ତାଲିମ କାର୍ଯ୍ୟକ୍ରମ, ଅନଲାଇନ୍ କର୍ମଶାଳା, ସୁବିଧା ଭତ୍ତା ଭଳି ବିଭିନ୍ନ ପ୍ରକାର ସୁବିଧା ପ୍ରଦାନ କରାଯାଉଛି।
ଏହି ଅବସରରେ ବ୍ୟାଙ୍କ ଅଫ୍ ବରୋଦାର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ଶ୍ରୀ ଦେବଦତ୍ତ ଚାନ୍ଦ କହିଛନ୍ତି ଯେ, “ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ କେବଳ ଏକ ଉତ୍ସବ ପାଳନ ନୁହେଁ, ଏହା ଏକ ଆହ୍ୱାନ। ପ୍ରତିବନ୍ଧକକୁ ଭାଙ୍ଗିବା, ଚିରାଚରିତ ଭାବନାକୁ ଚ୍ୟାଲେଞ୍ଜ କରିବା ଏବଂ ସମ୍ମାନର ସହ ବଂଚିବା ଓ ନିଜର ପୂର୍ଣ୍ଣ ସମ୍ଭାବନା ହାସଲ କରିବାରେ ସମସ୍ତଙ୍କ ପାଇଁ ସୁଯୋଗ ସୃଷ୍ଟି କରିବାକୁ ଏହା ଆମକୁ ସ୍ମରଣ କରାଇ ଦେଉଛି। ଦିବ୍ୟାଙ୍ଗମାନଙ୍କୁ ସଶକ୍ତ କରିବାର ପଥ ପ୍ରଦର୍ଶନରେ ଅଗ୍ରଣୀ ଥିବାରୁ ବ୍ୟାଙ୍କ ଅଫ୍ ବରୋଦା ଗର୍ବିତ ମନେ କରୁଛି ଏବଂ ସେମାନଙ୍କ ଜୀବନର ସବୁ ଦିଗରେ ସମର୍ଥନ କରିବା, ସେମାନଙ୍କ ମୂଲ୍ୟ ବୁଝିବା ଓ ସମ୍ମାନ ଜଣାଇବାକୁ ସୁନିଶ୍ଚିତ କରୁଛି।”
ଏହି ଅବସରରେ କର୍ମଚାରୀମାନେ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିଥିଲେ। ବ୍ୟାଙ୍କ ପକ୍ଷରୁ ଏହାର ଆଂଚଳିକ ଓ ଜୋନାଲ୍ କାର୍ଯ୍ୟାଳୟଗୁଡ଼ିକରେ ଦିବ୍ୟାଙ୍ଗମାନଙ୍କ ଅଧିକାରକୁ ନେଇ ସଚେତନତା ସୃଷ୍ଟି କରିବା ଓ ଅନ୍ତର୍ଭୁକ୍ତୀକରଣର ପ୍ରସାର କରିବା ଲାଗି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯୋଜନା ରଖିଛି।


Share It

Comments are closed.