ସାକିବଙ୍କୁ ହତ୍ୟା ଧମକ ଦେଲେ ଦୁବୃତ୍ତ


ବାଂଲାଦେଶର ଷ୍ଟାର ଅଲରାଉଣ୍ଡର ସାକିବ ଉଲ ହସନ କୋଲକାତାରେ କାଳୀମାତାଙ୍କ ପୂଜା କରିବା ପରେ କ୍ଷମା ମାଗିଛନ୍ତି। ସେ ୟୁଟ୍ୟୁବ୍‌ରେ ନିଜର ଚ୍ୟାନେଲରେ ଏକ ଭିଡିଓ ପୋଷ୍ଟ କରି ଗତ ସପ୍ତାହରେ ପୂଜା କରିବା ନେଇ କ୍ଷମା ମାଗିଛନ୍ତି।

ବାଂଲାଦେଶର ଜଣେ ବ୍ୟକ୍ତି ଫେସ୍‌ବୁକ୍‌ରେ ଜୀବନରେ ମାରି ଦେବାକୁ ସାକିବଙ୍କୁ ଧମକ ଦେଇଥିଲେ। କୁହାଯାଉଛି ଯେ, ସାମାଜିକ ଗଣମାଧ୍ୟମରେ ପ୍ରବଳ ବିରୋଧ କାରଣରୁ ସାକିବ ଚାପରେ ଥିଲେ ଏବଂ ଏନେଇ ମଙ୍ଗଳବାର ସେ କ୍ଷମା ମାଗିଛନ୍ତି। ଏମିତି ପୁନର୍ବାର ହେବ ନାହିଁ ବୋଲି ସେ କହିଛନ୍ତି। ମ୍ୟାଚ୍ ଫିକ୍ସିଂ କାରଣରୁ ପ୍ରତିବନ୍ଧକ ସଜା କାଟୁଥିବା ସାକିବ ଗତ ସପ୍ତାହରେ କୋଲକାତା ପହଞ୍ଚିଥିଲେ ଏବଂ ବେଲିଘାଟରେ ମା କାଳୀଙ୍କ ପୂଜା କରିଥିଲେ। ସାକିବ ବାଂଲାଦେଶ ଫେରିବା ପରେ ସିଲହଟ ସହରର ମୋହସିନ ତାଲୁକଦାର ନାମକ ଜଣେ ବ୍ୟକ୍ତି ଫେସ୍‌ବୁକ୍‌ ଲାଇଭରେ କହିଥିଲେ ଯେ, ଏହି କ୍ରିକେଟ୍‌ର ମୁସଲିମଙ୍କ ଅପମାନ କରିଛନ୍ତି। ଯଦି ସାକିବଙ୍କ ହତ୍ୟା କରିବାକୁ ପଡେ ତେବେ ସେ ସିଲହଟରୁ ଢାକା ଯିବାକୁ ପ୍ରସ୍ତୁତ।

ସାକିବ ନିଜର ୟୁଟ୍ୟୁବ୍‌ ଚ୍ୟାନେଲରେ ଭିଡିଓ ପୋଷ୍ଟ କରି କହିଛନ୍ତି, ମୁଁ ପୁଣି ଥରେ କୋଲକାତା ଯିବାକୁ ଚାହିଁବି ନାହିଁ। ଯଦି ଆପଣଙ୍କୁ ଲାଗୁଛି ଯେ, ଏହା ଆପଣଙ୍କ ବିରୋଧରେ ରହିଛି, ତେବେ ମୁଁ କ୍ଷମା ମାଗୁଛି। ମୁଁ ପ୍ରୟାସ କରିବି ଯେ, ଏମିତି ଘଟଣା ପୁନର୍ବାର ଘଟିବ ନାହିଁ। ସାମାଜିକ ଗଣମାଧ୍ୟମରେ ଖବର ଚାଲୁଛି ଯେ, ମୁଁ ସମାରୋହରେ ସାମିଲ ହେବାକୁ ଯାଇଥିଲି, ମାତ୍ର ଘଟଣା ତାହା ନୁହେଁ। ମୁଁ କୌଣସି ପୂଜା କରି ନାହିଁ। ଜଣେ ସଚେତନ ମୁସଲିମ ଭାବେ ମୁଁ ଏମିତି କରିବି ନାହିଁ। ଯଦି ମୋ ଦ୍ଵାରା କିଛି ଭୁଲ୍ ହୋଇଛି ତେବେ କ୍ଷମା ମାଗୁଛି।


Share It

Comments are closed.