ମହିଳା ଯବାନଙ୍କୁ ହିଜାବ ପିନ୍ଧିବାକୁ ଅନୁମତି ଦେଲା ବାଂଲାଦେଶ

ବାଂଲାଦେଶ ସେନା ମଧ୍ୟ ମୌଳବାଦୀଙ୍କ ଆଗରେ ମୁଣ୍ଡ ନୁଆଁଇଥିବା ଦେଖିବାକୁ ମିଳୁଛି। ବାଂଲାଦେଶ ସେନା ହିଜାବ ପିନ୍ଧିଥିବା ମହିଳା ଯବାନଙ୍କ ଉପରେ ଲାଗିଥିବା କଟକଣା କୁ ହଟାଇ ଦେଇଛି । ଏଣିକି ମହିଳା ଯବାନଙ୍କୁ ହିଜାବ ପିନ୍ଧିବାକୁ ଅନୁମତି ମିଳିବ । ୨୦୦୦ ମସିହାରେ ମହିଳାମାନେ ପ୍ରଥମେ ବାଂଲାଦେଶ ସେନାରେ ଯୋଗ ଦେଇଥିଲେ।


ଢାକା: ଶେଖ୍ ହସିନାଙ୍କ ବିଦାୟ ପରେ ବାଂଲାଦେଶ ଦ୍ରୁତ ଗତିରେ ଇସଲାମୀକରଣ ପଥରେ ଅଗ୍ରସର ହେଉଛି। ଏବେ ବାଂଲାଦେଶ ସେନା ମଧ୍ୟ ଇସଲାମିକ ମୌଳବାଦୀଙ୍କ ଆଗରେ ମୁଣ୍ଡ ନୁଆଁଇଛି। ପ୍ରଥମ ଥର ପାଇଁ ବାଂଲାଦେଶର ସେନା ମହିଳା ଯବାନଙ୍କୁ ହିଜାବ ପିନ୍ଧିବାକୁ ଅନୁମତି ଦେଇଛି। ବାଂଲାଦେଶୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଯଦି ମହିଳାମାନେ ହିଜାବ ପିନ୍ଧିବାକୁ ଚାହୁଁଛନ୍ତି, ତେବେ ସେମାନେ କରିପାରିବେ। ମହିଳା ସୈନ୍ୟ କର୍ମଚାରୀଙ୍କ ପାଇଁ ହିଜାବ ପିନ୍ଧିବା ଇଚ୍ଛାଧୀନ କରି ଆଡଜ୍ୟୁଟାଣ୍ଟ ଜେନେରାଲଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି।

ମହିଳା ଅଧିକାରୀ, ନର୍ସିଂ ଷ୍ଟାଫ୍ ଓ ଅନ୍ୟାନ୍ୟ ସାମରିକ କର୍ମଚାରୀଙ୍କ ହିଜାବ ପିନ୍ଧିବା ଉପରେ ଲାଗିଥିବା କଟକଣା କୁ ହଟାଇ ଦିଆଯାଇଛି। ସେପ୍ଟେମ୍ବର ୩ ତାରିଖରେ ଅନୁଷ୍ଠିତ ପିଏସ୍ଓ ସମ୍ମିଳନୀରେ ଆଗ୍ରହୀ ମହିଳା କର୍ମଚାରୀମାନେ ୟୁନିଫର୍ମ ସହ ହିଜାବ ପିନ୍ଧିବାକୁ ଅନୁମତି ଦେବା ପାଇଁ ନୀତିଗତ ନିଷ୍ପତ୍ତି ନିଆଯାଇଥିଲା। ‘

ପୂର୍ବରୁ କ’ଣ ଥିଲା ନିୟମ ?
ପୂର୍ବରୁ ବାଂଲାଦେଶର ମହିଳା ସୈନ୍ୟ ବାହିନୀକୁ ୟୁନିଫର୍ମ ସହ ହିଜାବ ପିନ୍ଧିବାକୁ ଅନୁମତି ନଥିଲା। ବିଭିନ୍ନ ୟୁନିଫର୍ମ (ଲଢ଼ୁଆ ୟୁନିଫର୍ମ, ୱାର୍କିଂ ୟୁନିଫର୍ମ, ଶାଢ଼ି) ସହିତ ହିଜାବର ନମୁନା ଦାଖଲ କରିବାକୁ ଆଡଜୁଟାଣ୍ଟଙ୍କ କାର୍ଯ୍ୟାଳୟ ନିର୍ଦ୍ଦେଶ ଦେଇଛି। ନମୁନାରେ କପଡ଼ା, ରଙ୍ଗ ଏବଂ ମାପ ମଧ୍ୟ ଅନ୍ତର୍ଭୁକ୍ତ କରିବାକୁ କୁହାଯାଇଛି। ପ୍ରସ୍ତାବିତ ହିଜାବ ପିନ୍ଧିଥିବା ମହିଳା ଯବାନଙ୍କ ରଙ୍ଗୀନ ଫଟୋ ସେପ୍ଟେମ୍ବର ୨୬ ତାରିଖ ଗୁରୁବାର ସୁଦ୍ଧା ସଂପୃକ୍ତ ବିଭାଗକୁ ଦାଖଲ କରିବାକୁ ପଡ଼ିବ।


Share It

Comments are closed.