ଆଜି ତୃତୀୟ ଟି-୨୦, ସିରିଜ ମୂଳ ପୋଛ ଲକ୍ଷ୍ୟରେ ଭାରତ


ଆଜି ତୃତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍ ଘରୋଇ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଖେଳାଯିବ । ଟିମ୍‌ ଇଣ୍ଡିଆ ଆଉ ଏକ ବିଜୟ ସହ ସିରିଜ ‘କ୍ଲିନ୍‌ ସୁଇପ’ କରିବାକୁ ଲକ୍ଷ୍ୟ ରଖିଛି । ଅନ୍ୟ ପଟରେ ଅଷ୍ଟ୍ରେଲିଆ ସମ୍ମାନ ବଞ୍ଚାଇବା ପାଇଁ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ ।

ପ୍ରଥମ ୨ଟି ମ୍ୟାଚ୍‌ ଜିତି ସିରିଜ କବ୍‌ଜା କରିସାରିଥିବା ଟିମ ଇଣ୍ଡିଆ ଆଜିର ମ୍ୟାଚ୍‌କୁ ହାଲ୍‌କା ଭାବେ ନେବ ନାହିଁ। ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆରେ ଟି-ଟ୍ୱେଣ୍ଟି ସିରିଜ ମୂଳପୋଛ କରିବାକୁ ବିରାଟ କୋହଲିଙ୍କ ନିକଟରେ ସୁଯୋଗ ରହିଛି। ଭାରତର ଦଳଗତ ପ୍ରଦର୍ଶନ ମଧ୍ୟ ଜାରି ରହିଛି। ତେଣୁ ଆଉ ଏକ ବିଜୟ ସୁଯୋଗ ହାତଛଡ଼ା କରିବାକୁ ଦଳ ଚାହିଁବ ନାହିଁ।ଟି ନଟରାଜନଙ୍କ ଶୃଙ୍ଖଳିତ ବୋଲିଂ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି। ନିୟମିତ ୟର୍କର ପକାଇବାର କ୍ଷମତା ତାଙ୍କ ନିକଟରେ ରହିଛି। ପ୍ରଥମ ୨ଟି ମ୍ୟାଚ୍‌ରେ ସେ ୫ଟି ୱିକେଟ୍‌ ଅକ୍ତିଆର କରିସାରିଛନ୍ତି । ଆଜିର ମ୍ୟାଚ୍‌ରେ ସେ ଘାତକ ବୋଲିଂ କରିବେ ବୋଲି ଆଶା କରାଯାଉଛି ।

ମଙ୍ଗଳବାର ଆରୋନ୍‌ ଫିଞ୍ଚ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଛି। ପ୍ରଥମ ଟି-ଟ୍ୱେଣ୍ଟିରେ ସେ ଆହତ ହୋଇ ଦ୍ୱିତୀୟ ମ୍ୟାଚ୍‌ ଖେଳିପାରି ନଥିଲେ। ବର୍ତ୍ତମାନ ସେ ଫିଟ୍‌ ହୋଇଛନ୍ତି । ଫିଞ୍ଚ ଖେଳିଲେ ଡାର୍ସି ସର୍ଟ ଏକାଦଶରୁ ବାଦ ପଡ଼ିବେ। ଟେଷ୍ଟ ସିରିଜକୁ ନଜରରେ ରଖି ଷ୍ଟିଭେନ ସ୍ମିଥ୍‌ଙ୍କୁ ମଧ୍ୟ ବିଶ୍ରାମ ଦେବାକୁ ଯୋଜନା କରାଯାଉଛି। ଫଳରେ ମାର୍କସ ଷ୍ଟଇନିସଙ୍କ ବ୍ୟାଟିଂ କ୍ରମରେ ପଦୋନ୍ନତି ହେବ। ଆଲେକ୍ସ କ୍ୟାରୀ ଏକାଦଶରେ ସ୍ଥାନ ପାଇବେ।

ଭାରତୀୟ ଦଳରେ ଆଜି କୌଣସି ପରିବର୍ତ୍ତନ ହେବାର ଆଶା ନାହିଁ । ଉଭୟ ମହମ୍ମଦ ସାମି ଓ ଜଶପ୍ରୀତ ବୁମରାଙ୍କୁ ଅତିରିକ୍ତ ବିଶ୍ରାମ ମିଳିବ । ତଥାପି ୫ଜଣ ବୋଲର ନେଇ ଭାରତ ଗ୍ରାଉଣ୍ଡକୁ ଓହ୍ଲାଇବ । ସର୍ଦୁଲ ଠାକୁର, ଦୀପକ ଚହର ଓ ଟି ନଟରାଜନ ପେସ୍‌ ବିଭାଗ ଏବଂ ୱାସିଂଟନ ସୁନ୍ଦର ଓ ୟୁଝବେନ୍ଦ୍ର ଚହଲ ସ୍ପିନ ବିଭାଗ ସମ୍ଭାଳିବେ ।

ରାଜୁତି କରିବେ ବ୍ୟାଟ୍ସମ୍ୟାନ: ସିଡନୀ ପିଚ୍‌ ବ୍ୟାଟ୍ସମ୍ୟାନଙ୍କୁ ସହାୟତା କରୁଥିବାରୁ ଆସନ୍ତା କାଲି ମଧ୍ୟ ଟସ୍‌ ପ୍ରମୁଖ ଭୂମିକା ଗ୍ରହଣ କରିବ । ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ଅଷ୍ଟ୍ରେଲିଆ ଦ୍ୱାରା ଧାର୍ଯ୍ୟ ୧୯୪ ରନ୍‌ର ବିଜୟ ଲକ୍ଷ୍ୟକୁ ଭାରତ ଅତି ସହଜରେ ହାସଲ କରିନେଇଥିଲା । ଆଜିର ମ୍ୟାଚ୍‌ରେ ମଧ୍ୟ ଟସ୍‌ ବିଜୟୀ ଦଳ ପ୍ରଥମେ ଫିଲ୍ଡିଂ କରିବା ଆଶା କରାଯାଉଛି ।

ସମ୍ଭାବ୍ୟ ଦଳ
ଅଷ୍ଟ୍ରେଲିଆ: ଆରୋନ ଫିଞ୍ଚ(ଅଧିନାୟକ)/ ଡାର୍ସି ସଟ୍‌ର୍, ମାଥ୍ୟୁ ୱେଡ୍‌, ଷ୍ଟିଭେନ ସ୍ମିଥ୍‌, ଗ୍ଲେନ ମ୍ୟାକ୍ସୱେଲ୍‌, ମୋଏଜସ ହେନରିକ୍ସ, ମାର୍କସ ଷ୍ଟଇନିସ, ସିନ ଆବୋଟ, ଡାନିଏଲ ସାମ୍ସ, ମିଚେଲ ସ୍ୱିପସନ, ଆଡାମ ଜାମ୍ପା, ଆଣ୍ଡ୍ର‌୍ୟୁ ଟାଏ ।

ଭାରତ: ଶିଖର ଧାୱନ, ଲୋକେଶ ରାହୁଲ, ବିରାଟ କୋହଲି(ଅଧିନାୟକ),ସଞ୍ଜୁ ସାମସନ, ଶ୍ରେୟାସ ଆୟର, ହାର୍ଦ୍ଦିକ ପାଣ୍ଡ୍ୟା, ସର୍ଦୁଲ ଠାକୁର, ୱାସିଂଟନ ସୁନ୍ଦର, ଦୀପକ ଚହର, ଟି ନଟରାଜନ, ୟୁଝବେନ୍ଦ୍ର ଚହଲ ।


Share It

Comments are closed.