ଚୀନ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ : ୩୬ ମୃତ୍ୟୁ


ସେଣ୍ଟ୍ରାଲ ଚାଇନାର (Central China) ହେନାନ (Henan) ପ୍ରଦେଶରେ ଅଗ୍ନିକାଣ୍ଡରେ ପ୍ରାୟ ୩୬ ଜଣଙ୍କର ମୃତ୍ୟୁ ହୋଇଛି । ଅନାଙ୍ଗ ସହରର ଏକ କାରଖାନାରେ ଏହି ଘଟଣା ଘଟିଛି । ମଙ୍ଗଳବାର ଚୀନ୍ ଗଣମାଧ୍ୟମ (Chinese media) ଏହି ବିଷୟରେ ସୂଚନା ଦେଇଛି । ଅଗ୍ନିକାଣ୍ଡରେ ଅନ୍ୟ ଦୁଇ ଜଣ ଆହତ ହୋଇଥିବାବେଳେ ଦୁଇ ଜଣଙ୍କ ସନ୍ଧାନ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିପାରି ନାହିଁ ।

ସୋମବାର ଅପରାହ୍ନ ପ୍ରାୟ ୪ ଟା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଏହାକୁ ଲିଭାଇବା ପାଇଁ ଅଗ୍ନିଶମ କର୍ମଚାରୀଙ୍କୁ ଅନେକ ଘଣ୍ଟା ପରିଶ୍ରମ କରିବାକୁ ପଡିଛି । ୨୦୦ ରୁ ଅଧିକ ରିଲିଫ କର୍ମଚାରୀ ଓ ପ୍ରାୟ ୬୦ ଅଗ୍ନିଶମ କର୍ମଚାରୀ ନିଆଁ ଲିଭାଇବାରେ ନିୟୋଜିତ ଥିଲେ । ରିପୋର୍ଟରେ ଦର୍ଶାଯାଇଛି ଯେ ଅନାଙ୍ଗ ସହରର ଏକ ହାଇ-ଟେକ୍ନୋଲୋଜି ଅଞ୍ଚଳ ୱେନଫେଙ୍ଗ ଜିଲ୍ଲାର କାଏସିଣ୍ଡା ଟ୍ରେଡିଂ କୋ ଲିମିଟେଡରେ ଏହି ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣା ପରେ ଅନେକ ଘଣ୍ଟା ଧରି ଏହି ଅଞ୍ଚଳରେ ହଙ୍ଗାମା ହୋଇଥିଲା ।

ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ ଅଗ୍ନିଶମ ବାହିନୀ ଦଳ ୬୩ ଟି ଗାଡି ଘଟଣାସ୍ଥଳକୁ ପଠାଇଥିଲେ । ସ୍ଥାନୀୟ ସମୟ ରାତି ୮ ଟା ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇଥିଲା ଓ ରାତି ୧୧ ଟା ସୁଦ୍ଧା ସମ୍ପୂର୍ଣ୍ଣ ନିଆଁ ଲିଭାଯାଇଥିଲା । ଏହି ଦୁର୍ଘଟଣାରେ ୩୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ସାମାନ୍ୟ ଆଘାତ ସହ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବର୍ତ୍ତମାନ ଡାକ୍ତରଙ୍କ କହିବାନୁସାର ଆହତ ମାନଙ୍କର ଅବସ୍ଥା ଭଲ ରହିଛି । ମାର୍ଚ୍ଚ ୨୦୧୯ ରେ, ସାଂଘାଇ ଠାରୁ ୨୬୦ କିଲୋମିଟର ଦୂରରେ ଥିବା ୟାନଚେଙ୍ଗରେ ଥିବା ଏକ ରାସାୟନିକ କାରଖାନା ବିସ୍ଫୋରଣ ହୋଇ ୭୮ ଜଣଙ୍କର ମୃତ୍ୟୁ ଘଟିଥିଲା ​​ଏବଂ ଅନେକ କିଲୋମିଟର ବ୍ୟାସାର୍ଦ୍ଧରେ ଘର ନଷ୍ଟ ହୋଇଯାଇଥିଲା । ଏବଂ ୨୦୧୫ ରେ, ଚାଇନାର ସବୁଠାରୁ ବଡ ଶିଳ୍ପ ଦୁର୍ଘଟଣା ମଧ୍ୟରୁ ଉତ୍ତର ତିଆନ୍ଜିନରେ ଥିବା ଏକ ରାସାୟନିକ ଗୋଦାମରେ ହୋଇଥିବା ବିସ୍ଫୋରଣରେ ୧୬୫ ଜଣଙ୍କର ମୃତ୍ୟୁ ଘଟିଥିଲା ।


Share It

Comments are closed.