ପୁଣି ବର୍ବରତାର ସୀମା ଲଂଘିଲେ ଆତଙ୍କବାଦୀ: ଏକାସାଙ୍ଗରେ ୧୧୦ଜଣଙ୍କ ମୁଣ୍ଡକାଟି କଲେ ହତ୍ୟା


ନାଇଜେରିଆରେ ଏକ ବଡ଼ ଆତଙ୍କବାଦୀ ଘଟଣାରେ ଅତି କମରେ ୧୧୦ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରୁ ଅଧିକାଂଶ କୃଷକ ଏବଂ ମତ୍ସ୍ୟଜୀବୀ ରହିଥିବା ଜଣାପଡ଼ିଛି। ଆତଙ୍କବାଦୀମାନେ ଲୋକଙ୍କ ମୁଣ୍ଡ କାଟିଦେଇଛନ୍ତି। ଡେଲି ମେଲର ରିପୋର୍ଟ ଅନୁଯାୟୀ, ଏହି ଆକ୍ରମଣ ପାଇଁ ବୋକୋ ହାରାମ ଦାୟୀ ବୋଲି ଜଣାପଡିଛି।

ହତ୍ୟା କରିବା ପରେ ଆତଙ୍କବାଦୀମାନେ ମୃତକଙ୍କ ପତ୍ନୀ ଓ ଝିଅଙ୍କୁ ଅପହରଣ କରି ନେଇଛନ୍ତି। ନାଇଜେରିଆର ବୋନୋ ରାଜ୍ୟରେ ଏହି ଘଟଣା ଘଟିଛି । ରବିବାର ମୃତକଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା ।

ଏଏଫପିର ରିପୋର୍ଟ ଅନୁସାରେ, ନାଇଜେରିଆରେ ସଂଯୁକ୍ତ ରାଷ୍ଟ୍ରର ସହଯୋଗୀ ଏଡଓ୍ୱାର୍ଡ କେଲେନଙ୍କ କହିବାନୁସାରେ ୧୧୦ଜଣଙ୍କୁ ହତ୍ୟା କରାଯାଇଛି । ଏହାସହ ଅନେକ ଆହତ ମଧ୍ୟ ହୋଇଛନ୍ତି । ସେ ଆହୁରି କହିଛନ୍ତି ଯେ, ଏହା ନିର୍ଦ୍ଦୋଷ ନାଗରିକଙ୍କୁ ହତ୍ୟା କରାଯିବା ନେଇ ପ୍ରଥମ ଘଟଣା । ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି । କୁହାଯାଉଛି ଯେ, ଆତଙ୍କବାଦୀମାନେ ବନ୍ଧୁକ ଧରି ମୋଟରସାଇକେଲରେ ଆସିଥିଲେ । ପ୍ରଥମେ ୪୩ଟି ମୃତଦେହ ମିଳିଥିଲା । ପରେ ଶନିବାର ଆଉ ୭୦ଟି ମୃତଦେହ ଉଦ୍ଧାର ହୋଇଛି ।

ନାଇଜେରିଆ ରାଷ୍ଟ୍ରପତି ମହମ୍ମଦ ବୁହାରୀ କହିଛନ୍ତି ଯେ,ଏହି ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଗତ ମାସରେ ମଧ୍ୟ ଆତଙ୍କବାଦୀମାନେ ୨୨ଜଣ କୃଷକଙ୍କୁ ହତ୍ୟା କରିଥିଲେ ।


Share It

Comments are closed.