ଆସୋଚାମ ପକ୍ଷରୁ ଓଡ଼ିଶା ସିଏସଆର ଏବଂ ସ୍ଥାୟୀତ୍ୱ ଉତ୍କର୍ଷ ପୁରସ୍କାର ସମାରୋହ ଅନୁଷ୍ଠିତ


ଭୁବନେଶ୍ୱର: ଆସୋସିଏଟେଡ୍ ଚାମ୍ବର୍ସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଅଫ ଇଣ୍ଡିଆ (ଆସୋଚାମ୍‌) ପକ୍ଷରୁ ଓଡ଼ିଶା ସିଏସଆର ଏବଂ ସଷ୍ଟେନେବିଲିଟି ଏକ୍ସଲେନ୍ସ ଆୱାର୍ଡ ସମାରୋହ ଅନୁଷ୍ଠିତ ହୋଇଯାଇଛି । କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସଆର)ର ଚାମ୍ପିୟନମାନଙ୍କୁ ସ୍ୱୀକୃତି ଦେବା ଦିଗରେ ଏହି ସମ୍ମାନଜନକ କାର୍ଯ୍ୟକ୍ରମ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ସୃଷ୍ଟି କରିଛି, ଯାହା ଓଡ଼ିଶାର ବ୍ୟବସାୟିକ ଦୃଶ୍ୟପଟକୁ ନୂଆ ରୂପ ଦେବାର ପ୍ରତିଶ୍ରୁତି ଦେଇଛି । ଚଳିତ ବର୍ଷର \”ଏକ ସ୍ଥାୟୀ ଭବିଷ୍ୟତ ପାଇଁ ମିଳିତ ସମୃଦ୍ଧି ପାଳନ’ ବିଷୟବସ୍ତୁ ଅର୍ଥନୈତିକ ପ୍ରଗତି, ସାମାଜିକ କଲ୍ୟାଣ ଏବଂ ପରିବେଶ ପରିଚାଳନାର ଗୁରୁତ୍ୱପୂର୍ଣ୍ଣ ପାରସ୍ପରିକ ସମ୍ପର୍କକୁ ସୂଚାଉଛି । ଏଥିରେ ଓଡ଼ିଶାର ସ୍ଥାୟୀ ଭବିଷ୍ୟତ ଗଠନରେ ବ୍ୟବସାୟୀଙ୍କ ସାମୂହିକ ଦାୟିତ୍ୱ ଉପରେ ଆଲୋକପାତ କରାଯାଇଛି । ଏହି କାର୍ଯ୍ୟକ୍ରମରେ କର୍ପୋରେଟ୍ ଦାୟିତ୍ୱ ଏବଂ ସ୍ଥାୟୀତ୍ୱ ବ୍ୟବସାୟୀମାନଙ୍କ ଦୃଷ୍ଟାନ୍ତମୂଳକ ଅବଦାନକୁ ସମ୍ମାନିତ କରାଯାଇଛି ।

ମାନ୍ୟବର ଶିଳ୍ପମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ କହିଛନ୍ତି, “ଆମ ସରକାର ରାଜ୍ୟର ଶିଳ୍ପ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ । ସମାଜର ଉନ୍ନତି ପାଇଁ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସଆର) ଅତ୍ୟନ୍ତ ଜରୁରୀ । ପ୍ରାନ୍ତବର୍ତୀ ଅଂଚଳର ବିକାଶ କରିବା କଂପାନିଗୁଡ଼ିକର ଦାୟିତ୍ୱ । ମୁଁ ଜାଣିଛି ଯେ ପ୍ରତ୍ୟେକ କର୍ପୋରେଟ ସଂସ୍ଥା ସିଏସଆର କାର୍ଯ୍ୟକଳାପରେ ନିବେଶ କରୁଛନ୍ତି । ସିଏସଆର ଖର୍ଚ୍ଚ କେବଳ ଅନୁପାଳନରେ ସୀମିତ ରହିବା ଉଚିତ ନୁହେଁ; ଏହା ଉକ୍ତ ଅଂଚଳରେ ମହିଳା ସଶକ୍ତୀକରଣ, ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ଉପରେ ଧ୍ୟାନ ଦେବା ଉଚିତ୍ । ବହୁରାଷ୍ଟ୍ରୀୟ କମ୍ପାନି, ବିଶେଷ କରି ଓଡ଼ିଶାରୁ ଯଥେଷ୍ଟ ଲାଭ ପାଉଥିବା କମ୍ପାନିମାନେ ଏଠାରେ ଅଧିକ ପାଣ୍ଠି ଆବଂଟନ କରିବା ଉଚିତ ।”

ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ମନ୍ତ୍ରଣାଳୟ, ଫରେଷ୍ଟ(ସି) ଉପମହାନିର୍ଦ୍ଦେଶକ ଶ୍ରୀ ଏ.ଟି.ମିଶ୍ର କହିଛନ୍ତି ଯେ, “ସିଏସଆର ସ୍କୁଲ କୋଠା କିମ୍ବା ଡାକ୍ତରଖାନା ନିର୍ମାଣ ଠାରୁ ଆଗକୁ ଯିବା ଉଚିତ; ଆମକୁ ଫଳାଫଳ ଉପରେ ଧ୍ୟାନ ଦେବା ଏବଂ ନିରନ୍ତର ଉନ୍ନତି ପାଇଁ ପ୍ରୟାସ କରିବା ଆବଶ୍ୟକ । ପୃଥିବୀ ଉପରେ ଶିଳ୍ପର ପ୍ରଭାବକୁ ହ୍ରାସ କରିବା ପାଇଁ ଆମକୁ ଅଧିକ ବୃକ୍ଷରୋପଣ ଏବଂ ସ୍ଥାୟୀ ପଦକ୍ଷେପ ର ଆବଶ୍ୟକତା ରହିଛି ।” ଆସୋଚାମ୍ ଓଡ଼ିଶାର ଅଧ୍ୟକ୍ଷ ଶ୍ରୀ ପଙ୍କଜ ଲୋଚନ ମହାନ୍ତି ସ୍ୱାଗତ ଭାଷଣ ଦେଇ କହିଛନ୍ତି, ଆସୋଚାମ୍ ବିଶ୍ୱାସ କରେ ଯେ ଅଭିବୃଦ୍ଧିର ଚାରୋଟି ପ୍ରମୁଖ ସ୍ତମ୍ଭ ହେଉଛି ସ୍ଥାୟୀତ୍ୱ, ସଶକ୍ତୀକରଣ, ଉଦ୍ୟୋଗ ଏବଂ ଡିଜିଟାଲାଇଜେସନ୍ । ଏଗୁଡ଼ିକ ହେଉଛି ଭବିଷ୍ୟତ ପାଇଁ ପ୍ରସ୍ତୁତ ଅର୍ଥନୀତିର ମୂଳଦୁଆ । ଅର୍ଥନୈତିକ ବିକାଶ ଏବଂ ସାମାଜିକ ଦାୟିତ୍ୱବୋଧକୁ ସନ୍ତୁଳିତ କରିବା ପାଇଁ ଆମେ ସରକାର, ସମୁଦାୟ ଏବଂ ଶିଳ୍ପ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରୁଛୁ ।

ଆସୋଚାମ ଓଡ଼ିଶା ରାଜ୍ୟ ସିଏସଆର ଆଣ୍ଡ ସଷ୍ଟେନେବିଲିଟି କାଉନସିଲର ଅଧ୍ୟକ୍ଷ ପ୍ରଶାନ୍ତ ହୋତା କହିଛନ୍ତି, ଲାଭ ଏବଂ ଲାଭାଂଶ ଉପରେ ଧ୍ୟାନ ଦେଉଥିବା ଶିଳ୍ପଗୁଡିକ ସ୍ଥାୟୀତ୍ୱ ଏବଂ ପୃଥିବୀକୁ ପ୍ରାଥମିକତା ଦେବା ଉଚିତ୍ । ଏଥିପାଇଁ ଆମକୁ ଏକ ଜୀବନ୍ତ, ଦକ୍ଷ ଏବଂ ଯଥାର୍ଥ ମଡେଲ ପ୍ରସ୍ତୁତ କରିବାକୁ ପଡ଼ିବ ଏବଂ ସରକାର ନିଜର ଭୂମିକା ନିର୍ବାହ କରିବା ଦରକାର । ଧନ୍ୟବାଦ ଅର୍ପଣ କରି ଆସୋଚାମ ପୂର୍ବ ଏବଂ ଉତର ପୂର୍ବର ବରିଷ୍ଠ ନିର୍ଦ୍ଦେଶକ ଶ୍ରୀମତୀ ପରମିନ୍ଦର ଜିତ କୌର କହିଛନ୍ତି, ସିଏସଆର କେବଳ ଏକ ଦାୟିତ୍ୱ ନୁହେଁ; ଏହା ସାମାଜିକ ଏବଂ ପରିବେଶ ପରିବର୍ତନର ଏକ ମୌଳିକ ଚାଳକ । ଆମେ ସମସ୍ତେ ମିଳିମିଶି ଓଡ଼ିଶାର ଏକ ସ୍ଥାୟୀ ଓ ସମୃଦ୍ଧ ଭବିଷ୍ୟତ ଗଠନ କରିପାରିବା ।

ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଏସବିଆଇର ମୁଖ୍ୟ ମହାପ୍ରବନ୍ଧକ ଦିନେଶ ପୃଥି, ଆସୋଚାମ୍ ଓଡ଼ିଶା ରାଜ୍ୟ ଖଣି ଓ ଇସ୍ପାତ ପରିଷଦର ଅଧ୍ୟକ୍ଷ ପ୍ରବୋଧ ମହାନ୍ତି ଏବଂ ଏଚସିଏଲ ଟେକ୍ ସିଏସଆର ପରାମର୍ଶଦାତା ଡା. ସୁରଭି ଯାଦବ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । ଏହି ବିଶିଷ୍ଟ ବ୍ୟକ୍ତିଗଣ ସମାଜରେ ସାମଗ୍ରିକ ଏବଂ ସକାରାତ୍ମକ ପରିବର୍ତନ ଆଣିବା ଲାଗି ସିଏସଆର କାର୍ଯ୍ୟକଳାପଗୁଡ଼ିକର ରୂପାନ୍ତରିତ ଶକ୍ତି ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଦୁଇଟି ବୁଝାମଣାପୂର୍ଣ୍ଣ ପ୍ୟାନେଲ୍ ଆଲୋଚନା ହୋଇଥିଲା, ଯେଉଁଥିରେ ଚିନ୍ତାଧାରାର ନେତାମାନଙ୍କୁ ସେମାନଙ୍କ ଦୃଷ୍ଟିକୋଣ ଏବଂ ଅଭିନବ ରଣନୀତି ବାଂଟିବା ପାଇଁ ଏକ ମଂଚ ପ୍ରଦାନ କରାଯାଇଥିଲା । ଏହି ଅଧିବେଶନରେ ଅତ୍ୟାଧୁନିକ ଆଭିମୁଖ୍ୟ ଏବଂ ସର୍ବୋତମ ଅଭ୍ୟାସ ବିଷୟରେ ଆଲୋଚନା କରାଯାଇଥିଲା ଯାହାକୁ ବ୍ୟବସାୟୀମାନେ ସିଏସଆର ପଦକ୍ଷେପ ମାଧ୍ୟମରେ ସ୍ଥାୟୀ ଅଭିବୃଦ୍ଧି କୁ ତ୍ୱରାନ୍ୱିତ କରିବା ପାଇଁ ଗ୍ରହଣ କରିପାରିବେ ।

ସେହିଭଳି ଓଡ଼ିଶାରେ ଜଳବାୟୁ ପରିବର୍ତନ ଓ ପରିବେଶ ଆହ୍ୱାନର ମୁକାବିଲା ନିମନ୍ତେ ସ୍ଥିରତା ସୃଷ୍ଟି ରଣନୀତିର ଜରୁରୀ ଆବଶ୍ୟକତା ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଉଭୟ ଆଲୋଚନାରେ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ରେ ସହଯୋଗ, ଉଦ୍ଭାବନ ଏବଂ ରଣନୀତିକ ଯୋଜନାର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।ଅଂଶୀଦାରମାନଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ବିଭିନ୍ନ ସିଏସ୍‌ଆର୍ କାର୍ଯ୍ୟକ୍ରମକୁ ନେଇ ଏକ ପ୍ରଦର୍ଶନୀ ମଧ୍ୟ ସ୍ଥାପନ କରାଯାଇଥିଲା । ସମଗ୍ର ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିବିଧ ଏବଂ ପ୍ରଭାବଶାଳୀ ସିଏସଆର ପ୍ରକଳ୍ପ ଗୁଡ଼ିକ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ନିରନ୍ତର ବିକାଶ ପାଇଁ ଆନ୍ଦୋଳନରେ ସାମିଲ ହେବା ପାଇଁ ଅଧିକ ବ୍ୟବସାୟୀଙ୍କୁ ଉତ୍ସାହିତ କରିବା ଏହି ପ୍ରଦର୍ଶନୀର ଉଦ୍ଦେଶ୍ୟ ।

ପୁରସ୍କାର ସମାରୋହ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା । ଏହା ସକାରାତ୍ମକ ସାମାଜିକ ଏବଂ ପରିବେଶ ପରିବର୍ତନକୁ ପ୍ରୋତ୍ସାହିତ କରୁଥିବା ସଂଗଠନଗୁଡିକର ସମର୍ପଣ ଏବଂ ଅଭିନବତା ଉପରେ ଆଲୋକପାତ କରିଥିଲା । ସିଏସଆର ଏବଂ ସ୍ଥାୟୀତ୍ୱରେ ଉଲ୍ଲେଖନୀୟ ଅବଦାନ ପାଇଁ ମନୋନୀତ ହୋଇଥିବା ଏହି ପୁରସ୍କାର ବିଜେତାମାନେ ଅନ୍ୟ ବ୍ୟବସାୟ ପାଇଁ ପ୍ରେରଣାଦାୟକ ଆଦର୍ଶ ହେବେ ।


Share It

Comments are closed.