ଖୋଲିବ ସିଆଚେନ ଗ୍ଲାସିୟର, ଏବେ ଠାରୁ ଲୋକ ଜାଣିବେ ସେନାର ବୀରତ୍ୱର କାହାଣୀ


ବିଶ୍ୱର ସବୁଠାରୁ ଉଚ୍ଚତମ ଏବଂ ଭୟଙ୍କର ଯୁଦ୍ଧକ୍ଷେତ୍ର ଭାବେ ପରିଚିତ ଥିବା ସିଆଚେନ ଗ୍ଲାସିୟର ବର୍ତ୍ତମାନ ସାଧାରଣ ଲୋକମାନେ ଚାହିଁଲେ ବୁଲିବାକୁ ଯାଇ ପାରିବେ । ଏହାକୁ ନେଇ ଭାରତୀୟ ସେନାର ଦୁଇ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ବିଶ୍ୱର ସବୁଠାରୁ ଉଚ୍ଚତମ ଏବଂ ଭୟଙ୍କର ଯୁଦ୍ଧକ୍ଷେତ୍ର ଭାବେ ପରିଚିତ ଥିବା ସିଆଚେନ ଗ୍ଲାସିୟରକୁ ସାଧାରଣ ଲୋକମାନେ ଭ୍ରମଣରେ ଆସି ପାରିବାର ପ୍ରସ୍ତାବ ଉପରେ ବର୍ତ୍ତମାନ ଆଲୋଚନା ଚାଲିଛି । ପୂର୍ବରୁ ଏଠାକୁ ସାଧାରଣ ଲୋକମାନେ ଯାଇ ପାରୁ ନଥିଲେ ।

ପ୍ରକାଶ ଥାଉକି, ଭାରତ ସରକାର ଅଗଷ୍ଟ ୫ରେ ଧାରା ୩୭୦ ଉଚ୍ଛେଦ କରି ଲଦାଖକୁ ଏକ କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ଦେବା ପରେ ସେନା ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ସିଆଚେନ ଗ୍ଲାସିୟରରେ ପ୍ରବଳ ବରଫପାତ ମଧ୍ୟରେ ସେନାର ଯବାନମାନେ ସୀମା ସୁରକ୍ଷାରେ ନିୟୋଜିତ ହୋଇଥାନ୍ତି । ଏବେ ଲୋକମାନେ ସେଠାକୁ ଗଲେ, ଯବାନଙ୍କ ବୀରତ୍ୱ ସଂପର୍କରେ ଅବଗତ ହୋଇପାରିବେ । ଦେଶର ଯବାନମାନେ କେମିତି ନିଜ ଜୀବନକୁ ପାଣି ଛଡାଇ ସାଧାରଣ ଲୋକଙ୍କ ସୁରକ୍ଷାରେ ନିୟୋଜିତ ହୋଇଛନ୍ତି, ସେ କଥା ମଧ୍ୟ ସମସ୍ତେ ଜାଣିବେ ।

କଟତରେ ସ୍ଥଳସେନା ମୁଖ୍ୟ ଜେନେରାଲ ବିପିନ ରାୱତ ଲଦାଖ ଗସ୍ତରେ ଯାଇଥିଲେ । ଏହି ସମୟରେ ସିଆଚେନ ଗ୍ଲାସିୟରକୁ ଲୋକମାନେ ଭ୍ରମଣରେ ଆସିବା ଆବଶ୍ୟକ ବୋଲି ବିପିନ ପ୍ରସ୍ତାବ ଦେଇଥିଲେ । କେବଳ ସିଆଚେନ ନୁହେଁ ଲଦାଖର ଉଚ୍ଚ ପାହାଡିଆ ସ୍ଥାନରେ ଥିବା ସେନା ବାହିନୀର ଏକାଧିକ ପୋଷ୍ଟକୁ ଦେଖିବା ପାଇଁ ମଧ୍ୟ ଏବେ ସାଧାରଣ ଲୋକଙ୍କୁ ଅନୁମତି ମିଳିବ । ତେବେ କେଉଁ ପୋଷ୍ଟକୁ ସାଧାରଣ ଲୋକଙ୍କୁ ଅନୁମତି ମିଳିବ ଏବଂ କେଉଁ ପୋଷ୍ଟରେ କଟକଣା ରହିବ ସେ ସଂପର୍କରେ ଚୂଡାନ୍ତ ନିଷ୍ପତି ନିଆଯାଇ ନାହିଁ ।


Share It

Comments are closed.