ବିଜୁ ବାବୁଙ୍କ ଭୂମିକାରେ ନଜର ଆସିବେ ଅନୁଭବ


ଓଲିଉଡ଼ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ଦ୍ୱାରା ଓଡ଼ିଶାର ପୂର୍ବତନ ମୂଖ୍ୟମନ୍ତ୍ରୀ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ଜୀବନୀ ଉପରେ ନିର୍ମାଣ ଚଳଚ୍ଚିତ୍ରକୁ ନେଇ ଏକ ବୃହତ ଘୋଷଣା କରାଯାଇଛି । କଟକ ଆନନ୍ଦ ଭବନ ସମ୍ମୁଖ ଖ୍ରୀଷ୍ଟିଆନ୍ ପଡ଼ିଆରେ ୫୦୦୦ରୁ ଉଦ୍ଧ୍ୱର୍ ମହିଳା ଓ ପୁରୁଷ ଉପସ୍ଥିତ ଥିବା ଏହି ସଭାରେ ଉକ୍ତ ଘୋଷଣା କରାଯାଇଛି । ଏହା ସହିତ ସିନେମାଟିର ପ୍ରଥମ ପୋଷ୍ଟର ମଧ୍ୟ ରିଲିଜ କରାଯାଇଛି ।
ସୂଚନାଯୋଗ୍ୟ ଯେ, ଓଡ଼ିଶାର ଭୂମିପୁତ୍ର ତଥା ପୂର୍ବତନ ମୂଖ୍ୟ ମନ୍ତ୍ରୀ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ଜୀବନୀ ଉପରେ ଆଧାର କରି ଏକ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରାଯାଉଛି, ଯାହାର ନାମ ରଖାଯାଇଛି ‘ବିଜୁବାବୁ’ । ସୁପରଷ୍ଟାର ଅନୁଭବ ମହାନ୍ତି ଏଥିରେ ପ୍ରମୂଖ ଭୂମିକାରେ ନଜରରେ ଆସୁଥିବାବେଳେ ଏଥିରେ ବିଶାଳ ମୋର୍ଯ୍ୟ ଓ ଦେବୀପ୍ରସାଦ ଲେଙ୍କା ନିର୍ଦ୍ଦେଶନା ଦେଇଛନ୍ତି । ଡଃ ନୀଳମାଧବ ପଣ୍ଡା, ଅକ୍ଷୟ ପରିଜା ଓ ପ୍ରଶାନ୍ତ ବେହେରାଙ୍କ ଦ୍ୱାରା ପ୍ରଯୋଜିତ ଏହି ଫିଲ୍ମ ଏପ୍ରିଲ ୧ ସୁଦ୍ଧା ମୁକ୍ତି ଲାଭ କରିବାର ଯୋଜନା ରହିଛି । ଏଥିରେ ମାନବ ରଥ, ଅନୁଜ ତ୍ୟାଗୀ, ବର୍ଣ୍ଣାଳୀ ରଥ ପ୍ରମୂଖ ସହ-ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି । ଏହାର ସଂଗୀତଗୁଡ଼ିକୁ ସଜ୍ଜାଉଛନ୍ତି ସଂଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ । ତେବେ ଚଳଚ୍ଚିତ୍ରଟି ନାୟିକାଙ୍କୁ ଏପର୍ଯ୍ୟନ୍ତ ଚୟନ କରାଯାଇ ନାହିଁ, କିନ୍ତୁ ଖୁବ୍ ଶୀଘ୍ର ଚୟନ କାର୍ଯ୍ୟ ଶେଷ ହେଉଛି ।

ସିନେ ପ୍ରଯୋଜକ ପ୍ରଶାନ୍ତ ପରିଜା ଏହି ଅବସରରେ ପ୍ରକାଶ କରିଛନ୍ତି ଯେ, “ବିଜୁବାବୁ ହେଉଛନ୍ତି ଓଡ଼ିଶାର ଜଣେ କିମ୍ବଦନ୍ତୀ ପୁରୁଷ । ଏହି ଚଳଚ୍ଚିତ୍ର ମାଧ୍ୟମରେ ବିଜୁବାବୁଙ୍କ ଆଦର୍ଶ, ମହାନତା, ନିର୍ଭିକତା ଆଦି ପ୍ରତିଫଳିତ ହେବ । ଓଡ଼ିଶାବାସୀମାନେ ବିଜୁବାବୁଙ୍କ ସମ୍ପର୍କରେ ଅନେକ ତଥ୍ୟ ଏହି ଚଳଚ୍ଚିତ୍ର ମାଧ୍ୟମରେ ଜାଣିବାକୁ ପାଇବେ । ଆମେ ଆଶା କରୁଛୁ ଯେ, ଆଜିର ଯୁବପିଢ଼ିଙ୍କୁ ଏହି ଚଳଚ୍ଚିତ୍ର ଖୁବ୍ ପ୍ରେରଣା ଯୋଗାଇବ ।”


Share It

Comments are closed.