ହିନ୍ଦୁଜା ଗ୍ରୁପ୍ ପକ୍ଷରୁ ଚର୍ଚ୍ଚିଲଙ୍କ ପୁରୁଣା ଯୁଦ୍ଧ କାର୍ଯ୍ୟାଳୟକୁ ବିଳାସପୂର୍ଣ୍ଣ ହୋଟେଲ ଭାବେ ଉଦ୍‌ଘାଟନ


ଭୁବନେଶ୍ୱର: ହିନ୍ଦୁଜା ଗ୍ରୁପ୍ ପକ୍ଷରୁ ବ୍ରିଟେନର ଦ୍ୱିତୀୟ ବିଶ୍ୱଯୁଦ୍ଧ ଯୁଗର ପ୍ରଧାନମନ୍ତ୍ରୀ ୱିନ୍‌ଷ୍ଟନ ଚର୍ଚ୍ଚିଲଙ୍କ ପୁରୁଣା ଯୁଦ୍ଧ କାର୍ଯ୍ୟାଳୟ (ଓଡବ୍ଲୁଓ)କୁ ଏକ ନୂଆ ବିଳାସପୂର୍ଣ୍ଣ ହୋଟେଲ ଭାବେ ଉଦ୍‌ଘାଟନ କରାଯାଇଛି । ହିନ୍ଦୁଜା ଗ୍ରୁପ୍ ଏବଂ ରାଫଲସ୍ ହୋଟେଲ୍ ଆଣ୍ଡ ରିସୋର୍ଟର ମିଳିତ ଉଦ୍ୟମରେ ଏହି କାର୍ଯ୍ୟାଳୟକୁ ସୁନ୍ଦର ହୋଟେଲରେ ପରିଣତ କରାଯାଇଛି । ହିନ୍ଦୁଜା ଗ୍ରୁପ୍ ଅଧ୍ୟକ୍ଷ ଜିପି ହିନ୍ଦୁଜାଙ୍କ ସହ ହୋଟେଲ ପରିଦର୍ଶନ କରିବା ପରେ ରାଜା ତୃତୀୟ ଚାର୍ଲସଙ୍କ ଭଉଣୀ ରାଜକୁମାରୀ ଆନ୍ ଆନୁଷ୍ଠାନିକ ଭାବେ ଓଡବ୍ଲ୍ୟୁଓର ଫଳକ ଉନ୍ମୋଚନ କରିଥିଲେ । ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ସହ ସାଂସଦ, ଉଦ୍ୟୋଗୀ, ହୋଟେଲ ବ୍ୟବସାୟୀ ଏବଂ ଚଳଚ୍ଚିତ୍ର ଓ ଟେଲିଭିଜନର ତାରକାମାନେ ଏହି ସମାରୋହରେ ସାମିଲ ହୋଇଥିଲେ ।
ହିନ୍ଦୁଜା ଗ୍ରୁପର ଅଧ୍ୟକ୍ଷ ଜିପି ହିନ୍ଦୁଜା କହିଛନ୍ତି ଯେ, ‘ଭାରତ ଓ ବ୍ରିଟେନ୍ ମଧ୍ୟରେ ଆମେ କ\’ଣ ଭଲ କରିପାରିବୁ ସେଥିପାଇଁ ଆମେ ସର୍ବଦା କାର୍ଯ୍ୟ କରୁଛୁ । କାରଣ ଆମେ ବିଶ୍ୱାସ କରୁ ଯେ ଆୟୋଜକ ଦେଶ ଏବଂ ମାତୃଭୂମି ମଧ୍ୟରେ ସେତୁ ଭାବରେ କାର୍ଯ୍ୟ କରିବା ଆମର ଦାୟିତ୍ୱ । ଏହି ପୁରୁଣା ଯୁଦ୍ଧ କାର୍ଯ୍ୟାଳୟକୁ ହୋଟେଲ୍ରେ ରୂପାନ୍ତରୀତ କରିବା ପାଇଁ ଆମକୁ ୮ ବର୍ଷ ସମୟ ଲାଗିଥିଲା । ଏହି ଐତିହାସିକ କୋଠା ବିଶ୍ୱଯୁଦ୍ଧ ନୁହେଁ ବରଂ ଶାନ୍ତି ଏବଂ ସାନ୍ତ୍ୱନାର ପ୍ରତୀକରେ ପରିଣତ ହୋଇଛି । ଏହି ହୋଟେଲ୍ ହିନ୍ଦୁଜା ଗ୍ରୁପର ଐତିହ୍ୟର ପ୍ରତିନିଧିତ୍ୱ କରିବ ଏବଂ ଲଣ୍ଡନର ପ୍ରମୁଖ ଗନ୍ତବ୍ୟସ୍ଥଳ ଭାବେ ଉଭା ହେବ । ’’
କୋଠାକୁ ହୋଟେଲ୍‌ରେ ପରିଣତ କରିବା ଦାୟିତ୍ୱ ନେଇଥିବା ସଞ୍ଜୟ ହିନ୍ଦୁଜା କହିଛନ୍ତି ଯେ, \” ଏହି ଭବ୍ୟ କୋଠାର ଆକାର ଏବଂ ସୌନ୍ଦର୍ଯ୍ୟ ଦେଖି ଆମ ଦଳ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ଏହାର ପୂର୍ବ ଗୌରବକୁ ଫେରାଇ ଆଣିବା ଏବଂ ଏହାର ଐତିହ୍ୟକୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଏଥିରେ ନୂତନ ଜୀବନ୍ୟାସ କରିବାର କୌଣସି ଉଦ୍ଦ୍ୟମକୁ ଆମେ ଅଣଦେଖା କରିନାହୁଁ । ଏହା ଉଭୟ କାଳଜୟୀ ଏବଂ ଅତୁଳନୀୟ ହେବ ।’’
ଓଡବ୍ଲ୍ୟୁଓର ଭବ୍ୟ ଉଦଘାଟନୀ ସମାରୋହରେ ଲଣ୍ଡନର ମେୟର ସାଦିକ ଖାନ୍‌, ବ୍ରିଟିଶ ଅଭିନେତା ତଥା ହାସ୍ୟ ଅଭିନେତା ଆଦିଲ ରାୟ, ବ୍ରିଟିଶ ଟେଲିଭିଜନ ଉପସ୍ଥାପକ ନାଟାଲି ପିଙ୍କମ୍ୟାନ୍‌, ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଏବଂ ପତ୍ନୀ ଟ୍ୱିଙ୍କଲ ଖାନ୍ନା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ରାଜ ପରିବାରର ସଦସ୍ୟମାନଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା ।
ପୁରୁଣା ଯୁଦ୍ଧ କାର୍ଯ୍ୟାଳୟକୁ ହୋଟେଲରେ ରୁପାନ୍ତରୀତ କରିବା ପରେ ସେଥିରେ ୮୫ଟି କୋଠରି, ୯ଟି ନୂଆ ରେସ୍ତୋରାଁ ଏବଂ ତିନୋଟି ବାର୍ ରହିଛି । ଏହାର ଛାତ ଉପରୁ ବକିଂହାମ୍ ରାଜପ୍ରାସାଦର ମନୋରମ ଦୃଶ୍ୟକୁ ଉପଭୋଗ କରିହେବ ।


Share It

Comments are closed.