ପ୍ଲାଜମା ଦାତାମାନଙ୍କୁ ୫୦୦୦ଟଙ୍କାର ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିବେ ଆନ୍ଧ୍ର ସରକାର


କୋଭିଡ-୧୯ ରେ ଆରୋଗ୍ୟ ହୋଇଥିବା ରୋଗୀଙ୍କ ଦ୍ୱାରା ପ୍ଲାଜମା ଦାନକୁ ପ୍ରୋତ୍ସାହିତ କରିବା ପାଇଁ ଆନ୍ଧ୍ରପ୍ରଦେଶ ସରକାର ଦାତାମାନଙ୍କୁ ନଗଦ ପ୍ରୋତ୍ସାହନ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଶଯ୍ୟା ଉପଲବ୍ଧତା ତଥା ସଂକ୍ରମିତ ଲୋକଙ୍କୁ ଯତ୍ନ ନେବା ପାଇଁ ସରକାର ମଧ୍ୟ ପଦକ୍ଷେପ ଗ୍ରହଣ କରୁଛନ୍ତି।

ଶୁକ୍ରବାର ଦିନ କୋଭିଡ-୧୯ର ପ୍ରତିକାର ପଦକ୍ଷେପ ଉପରେ ଏକ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ୱାଇ.ଏସ୍. ଜଗନ୍ ମୋହନ ରେଡ୍ଡୀ ନିର୍ଦ୍ଦେଶ ଦେଇଛନ୍ତି ଯେ କୋଭିଡ-୧୯ ରୁ ସୁସ୍ଥ ହୋଇଥିବା ପ୍ରତ୍ୟେକ ପ୍ଲାଜମା ଦାତାଙ୍କୁ ୫୦୦୦ ଟଙ୍କା ପ୍ରଦାନ କରାଯାଉ। ଉନ୍ନତ ଚିକିତ୍ସା ସୁବିଧା ପାଇଁ ଏସଓପି ପ୍ରସ୍ତୁତ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ପ୍ରତ୍ୟେକ ଜିଲ୍ଲାର କୋଭିଡ୍ ଚିକିତ୍ସା ପାଇଁ ଚିହ୍ନଟ ହୋଇଥିବା ଡାକ୍ତରଖାନାଗୁଡ଼ିକରେ ଶଯ୍ୟା ଶକ୍ତି ଏବଂ ହେଲ୍ପ ଡେସ୍କର ସବିଶେଷ ତଥ୍ୟ ଖୋଜିଛନ୍ତି।

ଡାକ୍ତରଖାନାର ଏକ କଳା ବୋର୍ଡରେ ଏବଂ ଯେଉଁଠାରେ ସମ୍ଭବ ଡିଜିଟାଇଜଡ୍ ଫର୍ମରେ ସମସ୍ତ ବିବରଣୀ ପ୍ରଦର୍ଶନ କରିବାକୁ ସେ ଆହ୍ବାନ କରିଛନ୍ତି।

ବୈଠକରେ ଚିକିତ୍ସା ଓ ସ୍ୱାସ୍ଥ୍ୟମନ୍ତ୍ରୀ ଆଲା ନାନି, ସ୍ୱତନ୍ତ୍ର ମୁଖ୍ୟ ଶାସନ ସଚିବ (ଚିକିତ୍ସା ଏବଂ ସ୍ୱାସ୍ଥ୍ୟ) ଜବାହର ରେଡ୍ଡୀ ଏବଂ ଅନ୍ୟ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ରାଜ୍ୟର ୧୩୮ ଟି କୋଭିଡ ହସ୍ପିଟାଲରେ ଔଷଧ, ଚିକିତ୍ସା, ଖାଦ୍ୟ ଏବଂ ସ୍ୱଚ୍ଛତା ଭଳି ଚାରୋଟି ଦିଗ ଉପରେ କଡା ନଜର ରଖିବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅଧିକାରୀ ଜଣାଇଛନ୍ତି ଯେ ବର୍ତ୍ତମାନ ୧୩୮ ଡାକ୍ତରଖାନାରେ ୩୬,୭୭୮ ଶଯ୍ୟା ଉପଲବ୍ଧ |


Share It

Comments are closed.