ପାକିସ୍ତାନରୁ ମିଳିଲା ଭଗବାନ ବିଷ୍ଣଙ୍କ ୧୩ ଶହ ବର୍ଷ ପୁରୁଣା ପ୍ରଚୀନ ମନ୍ଦିର, କ’ଣ ରହିଛି ଏହାର ଇତିହାସ ଜାଣନ୍ତୁ


ଉତ୍ତର ପଶ୍ଚିମ ପାକିସ୍ତାନର ସ୍ୱାଟ ଜିଲ୍ଲାର ଏକ ପର୍ବତରେ ପାକିସ୍ତାନୀ ଏବଂ ଇଟାଲୀୟ ପ୍ରତ୍ନତାତ୍ତ୍ୱିକ ବିଶେଷଜ୍ଞମାନେ ୧୩୦୦ ବର୍ଷ ପୁରୁଣା ଏକ ହିନ୍ଦୁ ମନ୍ଦିର ଆବିଷ୍କାର କରିଛନ୍ତି । ବାରିକୋଟ ଗୁଣ୍ଡାଇରେ ଖନନ ସମୟରେ ବିଶେଷଜ୍ଞମାନେ ଏହି ମନ୍ଦିର ପାଇଛନ୍ତି । ଖାଇବର ପାଖ୍ଟନଖୱା ପ୍ରତ୍ନତତ୍ତ୍ୱ ବିଭାଗର ଫଜଲେ ଖାଲିକ୍ କହିଛନ୍ତି ଯେ ଏହି ମନ୍ଦିର ଭଗବାନ ବିଷ୍ଣୁଙ୍କର ଅଟେ । ସେ କହିଛନ୍ତି ଯେ ୧୩୦୦ ବର୍ଷ ପୂର୍ବେ ହିନ୍ଦୁ ସାମ୍ରାଜ୍ୟ କାଳରେ ହିନ୍ଦୁମାନେ ଏହି ମନ୍ଦିର ନିର୍ମାଣ କରିଥିଲେ ।

ହିନ୍ଦୁ ଶାହି କିମ୍ବା କାବୁଲ ଶାହି (ଖ୍ରୀଷ୍ଟପୂର୍ବ ୮୫୦-୧୦୨୬) ଏକ ହିନ୍ଦୁ ରାଜବଂଶ ଥିଲା ଯାହା କାବୁଲ ଉପତ୍ୟକା (ପୂର୍ବ ଆଫଗାନିସ୍ତାନ), ଗାନ୍ଧର (ଆଧୁନିକ ପାକିସ୍ଥାନ) ଏବଂ ବର୍ତ୍ତମାନର ଉତ୍ତର-ପଶ୍ଚିମ ଭାରତ ଉପରେ ଶାସନ କରିଥିଲା । ଖନନ ସମୟରେ ପ୍ରତ୍ନତତ୍ତ୍ୱବିତ୍ମାନେ ମନ୍ଦିର ନିକଟରେ କ୍ୟାମ୍ପ ଏବଂ ୱାଚର ଟାୱାର ମଧ୍ୟ ପାଇଛନ୍ତି। ଏହା ବ୍ୟତୀତ ବିଶେଷଜ୍ଞମାନେ ମନ୍ଦିର ନିକଟରେ ଏକ ଜଳ ପୁଷ୍କରିଣୀ ମଧ୍ୟ ପାଇଛନ୍ତି, ଯାହାକୁ ପୂଜା ପୂର୍ବରୁ ସ୍ନାନ କରିବା ପାଇଁ ହିନ୍ଦୁମାନେ ବ୍ୟବହାର କରିଥିଲେ। ଫଜଲ ଖାଲିକ କହିଛନ୍ତି, ସ୍ୱାଟ ଜିଲ୍ଲାରେ ହଜାର ହଜାର ବର୍ଷ ପୁରୁଣା ପ୍ରତ୍ନତାତ୍ତ୍ୱିକ ସ୍ଥାନ ରହିଛି ଏବଂ ଏହି ଅଞ୍ଚଳରେ ପ୍ରଥମ ଥର ପାଇଁ ହିନ୍ଦୁ ରାଜକୀୟ ସମୟର ଚିହ୍ନ ରହିଛି।’ ଇଟାଲୀ ପ୍ରତ୍ନତାତ୍ତ୍ୱିକ ମିଶନର ମୁଖ୍ୟ ଡ.ଲୁକା କହିଛନ୍ତି ଯେ ସ୍ୱାଟ ଜିଲ୍ଲାରେ ମିଳିଥିବା ଗାନ୍ଧର ସଭ୍ୟତାର ଏହା ହେଉଛି ପ୍ରଥମ ମନ୍ଦିର ।

ସ୍ୱାଟ ଜିଲ୍ଲା ପାକିସ୍ତାନର ଶ୍ରେଷ୍ଠ ୨୦ଟି ପର୍ଯ୍ୟଟନ ସ୍ଥଳ ମଧ୍ୟରୁ ଅନ୍ୟତମ, ଯେଉଁଠାରେ ପ୍ରାକୃତିକ ସୌନ୍ଦର୍ଯ୍ୟ, ଧାର୍ମିକ ପର୍ଯ୍ୟଟନ, ସାଂସ୍କୃତିକ ପର୍ଯ୍ୟଟନ ଏବଂ ପ୍ରତ୍ନତାତ୍ତ୍ୱିକ ସ୍ଥାନ ପରି ସମସ୍ତ ପ୍ରକାର ପର୍ଯ୍ୟଟନ ସ୍ଥାନ ରହିଛି । ସ୍ୱାଟ ଜିଲ୍ଲାରେ ବୌଦ୍ଧ ଧର୍ମର ଅନେକ ଧାର୍ମିକସ୍ଥଳ ମଧ୍ୟ ରହିଛି ।


Share It

Comments are closed.