ଗିରିରାଜଙ୍କ ଚେତାବନୀ ଦେଲେ ଶାହା


ଚାରି ଆଡେ ‘ଇଦ୍’କୁ ନେଇ ଉତ୍ସବ ପାଳନ ହେଉଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ବିହାରରେ ରାଜନୈତିକ ପାଣିପାଗ ଗରମ ରହିଛି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଦ୍ୱାରା ଆୟୋଜିତ ହୋଇଥିବା ଇଫତିଆର ପାର୍ଟିକୁ ନେଇ ବିଜେପି ଏବଂ ଜେଡିୟୁ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଗଲାଣି ।
ପ୍ରକାଶ ଥାଉକି, ନୀତିଶଙ୍କ ଦ୍ୱାରା ଆୟୋଜିତ ହୋଇଥିବା ଇଫତିଆର ପାର୍ଟିକୁ ନେଇ ବିଜେପି କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ ତାଙ୍କୁ କଟାକ୍ଷ କରିଥିଲେ । “କେତେ ଭଲ ଦୃଶ୍ୟ ହୁଅନ୍ତା ଯଦି ନବରାତ୍ରୀରେ ଏଭଳି ଆୟୋଜନା ହୁଅନ୍ତା ଏବଂ ସୁନ୍ଦର ଫଟୋ ଆସନ୍ତା, କିନ୍ତୁ ଆମ ନିଜ ଧର୍ମର ବ୍ୟକ୍ତି ହିଁ ପଛ ଘୁଞ୍ଚା ଦେଉଛନ୍ତି ଏବଂ ଖାଲି ଲୋକ ଦେଖାଣିଆ ଏହା କରୁଛନ୍ତି ।”

ଗିରିରାଜଙ୍କ ଏହି କଟାକ୍ଷ ପରେ ନୀତିଶ ତୁରନ୍ତ ଏହା ଜବାବ ଦେଇଥିଲେ ଏବଂ କହିଥିଲେ ଯେ, “କିଛି ଲୋକ ଚର୍ଚ୍ଚାରେ ରହିବା ପାଇଁ ଖାଲି ବୟାନବାଜି କରିଥାନ୍ତି । ଏବଂ ଏହି ଲୋକମାନେ ଏଥିପାଇଁ ଏହା କହିଥାନ୍ତି ଯେ, ଯେପରି ଆପଣ ଏହାକୁ ଖବର ରୂପେ ସଂପ୍ରସାରଣ କରିପାରିବେ । ”
କେବଳ ନୀତିଶ ନୁହନ୍ତି ଗିରିରାଜଙ୍କ ଏହି ବିବାଦୀୟ ମନ୍ତବ୍ୟ ଉପରେ ଏଲଜିପି ନେତା ଚିରାଗ ପାସୱାନ ମଧ୍ୟ କଡା ପ୍ରତିକ୍ରିୟା ରଖିଛନ୍ତି । ଲୋକସଭା ପରେ ଆଗକୁ ବିଧାନସଭା ନିର୍ବାଚନ ଥିବାବେଳେ ବିରଷ୍ଠ ବିଜେପି ନେତାଙ୍କ ଏହି ଧର୍ମାନ୍ତରିକରଣ ମନ୍ତବ୍ୟ ବର୍ତ୍ତମାନ ସମସ୍ତଙ୍କୁ ଚିନ୍ତାରେ ପକାଇଛି ।
ବିବାଦ କ୍ରମଶଃ ବଢୁଥିବାର ଦେଖି ବିଜେପି ଅଧ୍ୟକ୍ଷ ଅମିତ ଶାହା ଗିରିରାଜଙ୍କ ସହ ଏହି ଘଟଣା ସଂପର୍କରେ ଫୋନରେ କଥା ହୋଇଥିଲେ ଏବଂ କଡା ଚେତାବନୀ ମଧ୍ୟ ଦେଇଥିଲେ ଭବିଷ୍ୟତରେ ଏହିଭଳି ପୁଣିଥରେ ଯେପରି ନ ଆସେ ।


Share It

Comments are closed.