କର୍କଟ ରୋଗୀଙ୍କୁ ରକ୍ତ ଦାନକରି ମାନବିକତାର ପରିଚୟ ଦେଲେ ଆମ୍ବୁଲାନ୍ସ କର୍ମଚାରୀ


ବିଭିନ୍ନ ସମୟରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ଅନେକ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟ କରିଆସିଥିବାବେଳେ ନିକଟରେ ଆମ୍ବୁଲାନ୍ସ କର୍ମଚାରୀଙ୍କର ଏହିପରି ଏକ ମହତ କାର୍ଯ୍ୟ କୋରାପୁଟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଗରୁ ରୋଗୀଙ୍କ ବହୁ ମୂଲ୍ୟ ଜିନିଷ ଫେରାଇବାଠାରୁ ଆରମ୍ଭକରି ରୋଗୀଙ୍କୁ କାନ୍ଧରେ ସ୍ୱାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ବୋହିବା ନେଇ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟ କରିଆସିଛନ୍ତି ଜିକିତ୍ସା ହେଲଥ କେୟାର ଦ୍ୱାରା ପରିଚାଳିତ ୧୦୮ ଏବଂ ୧୦୨ ଆମ୍ବୁଲାନ୍ସର କର୍ମଚାରୀମାନେ । ନିକଟରେ ଅର୍ଥାତ୍ ଗତ ୧୯ ଜୁନ୍ ପୂର୍ବାହ୍ନରେ ଜୟପୂର ଏସଡ଼ିଏଚରୁ କୋରାପୁଟ ଡ଼ିଏଚଏଚକୁ ଏକ କର୍କଟ ରୋଗୀଙ୍କୁ ରେଫର କେସ ପାଇଁ ୧୦୮ କାର୍ଯ୍ୟାଳୟକୁ ଫୋନ୍ ଆସିଥିଲା । ସୂଚନା ପାଇବା ପରେ କାର୍ଯ୍ୟାଳୟ ତରଫରୁ ଏକ ଜବ ଆଇଡ଼ି ସୃଷ୍ଟି କରାଯାଇ ଲମତାପୁଟ ସିଏଚସିରୁ ଏକ ୧୦୮ ଆମ୍ବୁଲାନ୍ସକୁ ପଠାଯାଇଥିଲା ।

ଆମ୍ବୁଲାନ୍ସଟି ମାତ୍ର ୧୫ ମିନଟ୍ ସମୟ ମଧ୍ୟରେ ରୋଗୀଙ୍କ ନିକଟରେ ପହଞ୍ଚିଥିବାବେଳେ ରୋଗୀକୁ କୋରାପୁଟ ଡ଼ିଏଚଏଚକୁ ସ୍ଥାନାନ୍ତର କରିଥିଲା । ସେଠାରେ ଡ଼ା. ବି ପଟ୍ଟନାୟକ ରୋଗୀକୁ ଦେଖିବା ସହ ତାଙ୍କର ଅତିଶୟ ଖରାପ ସ୍ୱାସ୍ଥ୍ୟ ଅବସ୍ଥାକୁ ଦେଖି ତୁରନ୍ତ ରକ୍ତ ଆବଶ୍ୟକତା ଅଛିବୋଲି ପରାମର୍ଶ ଦେଇଥିଲେ । ସୂଚନା ମୁତାବକ ଉକ୍ତ ରୋଗୀଙ୍କ ନାମ ମୋତି ବିଶୋଇ ଥିବାବେଳେ ତାଙ୍କ ସମ୍ପର୍କିୟ ଚନ୍ଦ୍ରଶେଖର ବିଶୋଇ ସେଠାରେ ଉପସ୍ଥିତ ଥିଲେ । ପରିସ୍ଥିତିର ଗମ୍ଭୀରତାକୁ ହୃଦୟଙ୍ଗମ କରି ସେଠାରେ ଉପସ୍ଥିତ ଥିବା ୧୦୮ ଆମ୍ବୁଲାନ୍ସର ପାଇଲଟ, ସନ୍ତୋଷ କୁମାର ପ୍ରଧାନ ସହାୟତାର ହାତ ବଢାଇବା ସହ ଉକ୍ତ ମହିଳା ରୋଗୀଙ୍କୁ ରକ୍ତ ଦାନ କରିଥିଲେ । ୧୦୮ ଆମ୍ବୁଲାନ୍ସ ପାଇଲଟଙ୍କର ଏତାଦୃଶ୍ୟ ମହାନ କାର୍ଯ୍ୟ ପାଇଁ ଜିକିତ୍ସା ହେଲ୍ଥ କେୟାରର ରାଜ୍ୟ ମୁଖ୍ୟ ଶ୍ରୀ ସବ୍ୟସାଚୀ ବିଶ୍ୱାଳ ପ୍ରଶଂସା କରିଥିବାବେଳେ ଉକ୍ତ ଅଞ୍ଚଳରେ ତାଙ୍କ କାର୍ଯ୍ୟକୁ ସ୍ଥାନୀୟ ବୁଦ୍ଧିଜିବୀ ଏବଂ ଲୋକଙ୍କ ଦ୍ୱାରା ଆଦୃତ କରାଯାଇଛି ।


Share It

Comments are closed.