ଆଇପିଏଲରୁ ସନ୍ୟାସ ଘୋଷଣା କଲେ ଅମ୍ବାତି ରାୟୁଡୁ, ପରବର୍ତ୍ତୀ ସମୟରେ ପୁଣି ଡିଲିଟ କଲେ ଟୁଇଟ


ଚେନ୍ନାଇ ସୁପର କିଙ୍ଗସ୍‌କୁ ନିଜର ବ୍ୟାଟିଂ ଦମ୍‌ରେ ମ୍ୟାଚ୍ ଜିତାଉଥିବା ଅମ୍ବାତି ରାୟୁଡୁଙ୍କ ସନ୍ୟାସ ଘୋଷଣା। ରାୟୁଡୁ ୨୦୨୨ ପରେ ଏହି ଲିଗ୍‌କୁ ଅଲବିଦା କରିବାର ନିଷ୍ପତ୍ତି ନେଇଛନ୍ତି। ଚଳିତ ସିଜିନ୍‌ରେ ଚେନ୍ନାଇ ସୁପରକିଙ୍ଗ୍‌ସର ପ୍ରଦର୍ଶନ ଖରାପ ରହିଥିଲା। ଟିମ୍ ପ୍ଲେ ଅଫ୍‌ ଦୌଡରୁ ବାହାରି ସାରିଛି। ରାୟୁଡୁଙ୍କ ପ୍ରଦର୍ଶନ ମଧ୍ୟ ଚଳିତ ସିଜିନ୍‌ରେ କିଛି ଖାସ୍ ନଥିଲା। ସେଥିପାଇଁ ୩୬ ବର୍ଷୀୟ ଏହି ବ୍ୟାଟସମ୍ୟାନ୍ ଏବେ ଆଇପିଏଲକୁ ଅଲବିଦା କରିବାର ନିଷ୍ପତ୍ତି ନେଇଛନ୍ତି।

ଆଇପିଏଲ ୨୦୨୨ ରେ ଚେନ୍ନାଇ ସୁପରକିଙ୍ଗସ୍‌ର ଦୁଇଟି ମ୍ୟାଚ୍ ବାକି ରହିଛି। ୧୫ ମେ’ ଗୁଜରାଟ ଟାଇଟନ୍ସ ଓ ୨୦ ରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ନିଜର ଶେଷ ମ୍ୟାଚ୍ ଖେଳିବେ ରାୟୁଡୁ। ଅର୍ଥାତ ମୁମ୍ବାଇର ବ୍ରେବୋର୍ନ ଷ୍ଟାଡିୟମ୍‌ରେ ରାୟୁଡୁ ନିଜର କ୍ୟାରିୟରର ଶେଷ ଆଇପିଏଲ ମ୍ୟାଚ୍ ଖେଳିବେ। ଆଇପିଏଲ ୨୦୨୨ ରେ ଯଦିଓ ରାୟୁଡୁଙ୍କୁ ଚେନ୍ନାଇ ସୁପରକିଙ୍ଗସ୍‌ ରିଟେନ୍ କରିନଥିଲା, କିନ୍ତୁ ଅକ୍ସନ୍‌ରେ ଏହି ଖେଳାଳିଙ୍କୁ ଟିମ୍ ୬.୭୫ କୋଟି ଟଙ୍କାରେ କିଣିଥିଲା। ଅମ୍ବାତି ରାୟୁଡୁ ଆଇପିଏଲ ୨୦୨୨ ରେ ଏପର୍ଯ୍ୟନ୍ତ ଖେଳାଯାଇଥିବା ୧୨ଟି ମ୍ୟାଚ୍‌ରେ ୨୭.୧୦ ଆଭରେଜ୍‌ରେ ୨୭୧ ରନ୍ କରିଥିଲେ। ଏହି ସିଜିନ୍‌ରେ ତାଙ୍କ ବ୍ୟାଟ୍‌ରୁ ଗୋଟିଏ ଅର୍ଦ୍ଧଶତକ ହୋଇଛି।

୨୦୧୩ ରୁ ଜିମ୍ବାଓ୍ବେ ବିପକ୍ଷରେ ଓ୍ବାନଡେ କ୍ରିକେଟରେ ସେ ଡେବ୍ୟୁ କରିଥିଲେ। ସେ ୫୫ଟି ଓ୍ବାନଡେ ମ୍ୟାଚ୍‌ରେ ୧୬୯୪ ରନ୍‌ କରିଥିଲେ, ଯେଉଁଥିରେ ୩ଟି ଶତକ ଓ ୧୦ଟି ଅର୍ଦ୍ଧଶତକ ରହିଛି। ସେଭଳି ଇଂଲଣ୍ଡ ବିପକ୍ଷରେ ୨୦୧୬ ରେ ଟି-୨୦ କ୍ରିକେଟରେ ଡେବ୍ୟୁ କରିଥିବା ବୋଲର ରାୟୁଡୁ ୬ଟି ଟି-୨୦ ମ୍ୟାଚ୍‌ରେ ୪୨ ରନ୍ କରିଛନ୍ତି। ରାୟୁଡୁ ଏପର୍ଯ୍ୟନ୍ତ ୧୮୭ଟି ଆଇପିଏଲ ମ୍ୟାଚ୍‌ରେ ୨୯.୨୮ ଆଭରେଜ୍‌ରେ ୪୧୮୭ ରନ୍ କରିଛନ୍ତି। ତାଙ୍କର ବ୍ୟାଟ୍‌ରୁ ୨୨ଟି ଅର୍ଦ୍ଧଶତକ ହୋଇଛି। ୨୦୧୮ ରେ ତାଙ୍କର ପ୍ରଦର୍ଶନ ସବୁଠୁ ଭଲ ଥିଲା। ୧୬ ମ୍ୟାଚ୍‌ରେ ୪୩ରୁ ଅଧିକ ଆଭରେଜ୍‌ରେ ୬୦୨ ରନ୍‌ କରି ଚେନ୍ନାଇ ସୁପରକିଙ୍ଗସ୍‌କୁ ତୃତୀୟ ଥର ଆଇପିଏଲ ଜିତାଇଥିଲେ। ରାୟୁଡୁ ୫ ଥର ଆଇପିଏଲ ଚମ୍ପିଆନ୍ ହେବାର ଗୌରବ ହାସଲ କରିଛନ୍ତି।

୨୦୧୯ ରେ ଯେତେବେଳେ ରାୟୁଡୁଙ୍କୁ ବିଶ୍ବକପ୍ ଖେଳିବାର ସୁଯୋଗ ମିଳିନଥିଲା, ତାଙ୍କ ସ୍ଥାନରେ ଅନ୍ୟ ଖେଳାଳିଙ୍କୁ ଟିମ୍‌ରେ ସାମିଲ କରାଯାଇଥିଲା। ସେ ସେତେବେଳେ ୪ ନମ୍ବର ସ୍ଥାନରେ ଖେଳିବାର ଦାବିଦାର ଥିଲେ। ତାଙ୍କୁ ଦଳରେ ସ୍ଥାନ ନଦେବା ଯୋଗୁଁ ଟିମ୍‌କୁ ଏହାର ପରିଣାମ ଭୋଗିବାକୁ ପଡିଥିଲା ଓ ନ୍ୟୁଜିଲାଣ୍ଡ ବିପକ୍ଷ ସେମି ଫାଇନାଲରେ ହାରି ଯାଇଥିଲା। ଏହାପରେ ରାଇଡୁ କ୍ରିକେଟର ସବୁ ଫର୍ମାଟରୁ ସନ୍ୟାସ ନେବାର ଘୋଷଣା କରିଥିଲେ,ତେବେ ଆଉ କିଛି ଦିନ ପରେ ପୁଣି କ୍ରିକେଟ ଖେଳିବେ ବୋଲି ସେ ନିଷ୍ପତ୍ତି ନେଇଥିଲେ।


Share It

Comments are closed.