ଆହୁରି ତୀବ୍ରତର ହେବ ମଦ ବିରୋଧୀ ଆନ୍ଦୋଳନ: ମୋନା


ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ୧୨ ଜଣ କାର୍ଯ୍ୟକର୍ତ୍ତାଙ୍କୁ ଆଜି ଏସଡିଜିଏମ୍ କୋର୍ଟ ପକ୍ଷରୁ ଜାମିନ ଦିଆଯାଇଛି । ଏହି ୧୨ ଜଣ କାର୍ଯ୍ୟକର୍ତ୍ତା ଗୁରୁବାର ଦିନ ସତସଙ୍ଗ ବିହାର ସମ୍ମୁଖରେ ରାସ୍ତା ବନ୍ଦ ଏବଂ ନବୀନ ନିବାସ ଘେରାଉ କାର୍ଯ୍ୟକ୍ରମରେ ସାମିଲ ଥିବା ଅଭିଯୋଗରେ ଏହି ଗିରଫଦାରୀ ହୋଇଥିଲା । ପ୍ରତ୍ୟେକ ୩୦ ହଜାରେ ଲେଖାଏଁ ବ୍ୟକ୍ତିଗତ ମୁଚାଲିକା ମାଧ୍ୟମରେ ଜେଲରୁ ମୁକୁଳିଛନ୍ତି । କର୍ମକର୍ତ୍ତାମାନେ ଜେଲରୁ ବାହାରିବା ପରେ ମଦ ବିରୋଧୀ ଆନ୍ଦୋଳନ ଆହୁରି ତୀବ୍ର ହେବ ଏବଂ ଏହି ଆନ୍ଦୋଳନକୁ ଗାଁ ଗାଁକୁ ନେଇଯିବାକୁ ଦମ୍ଭୋକ୍ତି ଭରିଛନ୍ତି ।
ଓଡ଼ିଶାରୁ ସମ୍ପୂର୍ଣ୍ଣ ରୂପେ ମଦକୁ ହଟାଇବା ଦାବି ନେଇ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର କର୍ମକର୍ତ୍ତାମାନେ ଗୁରୁବାର ଦିନ ସତସଙ୍ଗ ବିହାରଠାରେ ୫ ନଂ ଜାତୀୟ ରାଜପଥକୁ ଅବରୋଧ କରିବା ସହ ନବୀନ ନିବାସକୁ ଘେରାଉ କରିଥିଲେ । ଏହାକୁ ଭିତ୍ତି କରି ପୋଲିସ ତରଫରୁ ଅନେକ କାର୍ଯ୍ୟକର୍ତ୍ତାଙ୍କୁ ଅଟକ ରଖାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୨ ଜଣ କର୍ମକର୍ତ୍ତାଙ୍କୁ ଆଇପିସି ଦଫା ୧୪୩, ୨୪୮, ୩୨୩, ୩୯୪, ୨୮୩, ୩୩୨, ୩୫୩, ୫୦୬, ୧୪୭, ୧୪୯ରେ ମାମଲା ନଂ ୭୨/୧୯ ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା ।

ଗିରଫ ହୋଇଥିବା ଆନ୍ଦୋଳନକାରୀମାନଙ୍କ ମଧ୍ୟରେ ଥିଲେ କାହ୍ନୁଚରଣ ବେହୁରା, ସୌମ୍ୟରଞ୍ଜନ ମହାନ୍ତି, ସତ୍ୟବ୍ରତ ପୃଷ୍ଟି, ସମାଶ ଷଡ଼ଙ୍ଗୀ, ରାଜେଶ କେ ଦେଓ, ସ୍ମୃତିରଞ୍ଜନ ଭୂୟାଁ, ଶ୍ରୀକାନ୍ତ କୁମାର ନାୟକ, ସିରାଜୁର ରେହମାନ, ହିମାଂସୁ ଶେଖର ନାୟକ, ଉଦୟ ଧଳ, ଅକ୍ଷୟ କୁମାର ନାୟକ, ପିତାମ୍ବର ଭୂୟାଁ ଇତ୍ୟାଦି ଅନ୍ତର୍ଭୁକ୍ତ ।
ଅନ୍ୟ ପକ୍ଷରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର କର୍ମକର୍ତ୍ତାମାନେ ଏହି ଗିରଫଦାରିର ପ୍ରତିବାଦରେ ସ୍ଥାନୀୟ ସହିଦନଗର ଥାନା ସମ୍ମୁଖରେ ଓ ଲୋୟର ପିଏମଜିଠାରେ ସରକାର ଏବଂ ପ୍ରଶାସନ ବୁରୁଦ୍ଧରେ ସ୍ୱର ଉତ୍ତୋଳନ କରିଛନ୍ତି । ସେମାନେ ସରକାରଙ୍କ ଏହି ଦମନଲୀଳାକୁ ନିନ୍ଦା କରିଥିବାବେଳେ ଏହାର ପ୍ରତିବାଦସ୍ୱରୂପ ଆନ୍ଦୋଳନକୁ ପ୍ରତ୍ୟେକ ଗାଁକୁ ନେଇଯିବା ପାଇଁ ଦମ୍ଭୋକ୍ତି ଭରିଛନ୍ତି ।


Share It

Comments are closed.