ସାତ ବର୍ଷ ପରେ ନ୍ୟାୟ ପାଇଲେ ନିର୍ଭୟା, ଅତ୍ୟନ୍ତ ଭାବୁକ ହୋଇ କିଛି ଏପରି କହିଲେ ନିର୍ଭୟାଙ୍କ ମା’


ନିର୍ଭୟା ଗଣଦୁଷ୍କର୍ମର ଅପରାଧୀମାନଙ୍କୁ ଅଦାଲତରେ ଡେଥ ୱାରେଣ୍ଟ ମିଳିବା ପରେ ତାଙ୍କ ମାଙ୍କ ଆଖିରେ ଖୁସିର ଅଶ୍ରୁ ଝଲସି ଉଠିଛି । ନିଜ କୋହଭରା କଣ୍ଠରେ ସେ କହିଛନ୍ତି ଯେ ଶେଷରେ ମୋ ଝିଅକୁ ନ୍ୟାୟ ମିଳିଗଲା । ଏବେ ତାର ଆତ୍ମାକୁ ଶାନ୍ତି ମିଳିବ । କେବଳ ଏବେ ୨୨ ଜାନୁଆରୀ ସକାଳର ଅପେକ୍ଷା ରହିବ, ଯେବେ ସେହି ଚାରିଜଣ ପିଶାଚଙ୍କୁ ଫାଶି ଖୁଣ୍ଟରେ ଝୁଲାଯିବ ।

ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ ନିର୍ଭୟାଙ୍କର ମା, ଆଶା ଦେବୀ କହିଛନ୍ତି ଯେ ଅଦାଲତର ବିଚାରରେ ଦେଶର ମହିଳାମାନଙ୍କୁ ନ୍ୟାୟ ମିଳିପାରିଛି । ଏବେ ସେ ଚାରିଜଣ କିଛି ମଧ୍ୟ କରିନିଅନ୍ତୁ କିନ୍ତୁ ସେମାନଙ୍କର ଅନ୍ତିମ ସମୟ ଆସିଯାଇଛି । ନିର୍ଭୟାଙ୍କର ମା ପ୍ରକାଶ କରିଛନ୍ତି ଯେ ତାଙ୍କର ଇଚ୍ଛା ରହିଛି ସେ ସେହି ଚାରିଜଣ ଦୋଷୀଙ୍କୁ ନିଜ ଆଖି ସାମ୍ନାରେ ଜୀବନ ହାରିବାର ଦେଖିବାକୁ ଚାହୁଁଛନ୍ତି । ଆଶା ଦେବୀଙ୍କ କହିବା ଅନୁଯାୟୀ ସେ ଜଲଦୀ ନିଜ ଓକିଲଙ୍କ ସହ କଥା ହୋଇ ଏଥିପାଇଁ ଲିଖିତ ଦରଖାସ୍ତ ଦେବେ ।

ସେ ପ୍ରକାଶ କରିଛନ୍ତି ଯେ ତାଙ୍କର ଏହି ଲଢ଼େଇ ସେପର୍ଯ୍ୟନ୍ତ ଜାରି ରହିବ ଯେପର୍ଯ୍ୟନ୍ତ ତାଙ୍କ ଝିଅର ଅପରାଧିମାନେ ଫାଶି ଖୁଣ୍ଟରେ ଝୁଲିଯାଇ ନାହାନ୍ତି । ଚାରିଜଣ ପିଶାଚଙ୍କୁ ଫାଶି ହେବା ପରେ ଏହି ନ୍ୟାୟ ସମସ୍ତଙ୍କ ପାଇଁ ନଜିର ହୋଇଯିବ । ଏହା ପରଠାରୁ ଅପରାଧୀମାନେ ମହିଳାମାନଙ୍କ ସହ ଏହି ପାଶବିକତା କରିବା ପୂର୍ବରୁ ନିଶ୍ଚିତ ଚିନ୍ତା କରିବେ । ଆଶାଦେବୀ କହିଛନ୍ତି ଯେ ପୁରାଦେଶ ତାଙ୍କର ଏହି ସଂଘର୍ଷରେ ତାଙ୍କ ସହ ଠିଆହୋଇଛନ୍ତି ଏଥିପାଇଁ ସେ ଦେଶର ପ୍ରତ୍ୟେକ ନାଗରୀକଙ୍କୁ ଧନ୍ୟବାଦ ଜଣାଉଛନ୍ତି । ଦୋଷୀମାନଙ୍କର ପରିବାର ବିଷୟରେ ପଚାରିବାରୁ ଆଶା ଦେବୀ କହିଲେ ଯେ ଚାରି ଦୋଷୀଙ୍କୁ ଦଣ୍ଡ ମିଳିବା ଜରୁରୀ ଅଟେ, କିନ୍ତୁ ସେମାନଙ୍କ ପରିବାର ବିଷୟରେ ସେ କୌଣସି ଟିପ୍ପଣୀ ଦେଇନାହାନ୍ତି ।


Share It

Comments are closed.