ରାହୁଲ ଗାନ୍ଧୀଙ୍କୁ ଶଙ୍କରାଚାର୍ଯ୍ୟଙ୍କ ସହ ତୁଳନା କଲେ ଫାରୁକ୍ ଅବଦୁଲ୍ଲା


କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡ ଯାତ୍ରା ଗୁରୁବାର ଜାମ୍ମୁକାଶ୍ମୀରରେ ପ୍ରବେଶ କରିଛି । ତେବେ ଜାମ୍ମୁରେ ଏହି ଯାତ୍ରା ପ୍ରବେଶ କରିବା ମାତ୍ରକେ ପୂର୍ବ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା ରାହୁଲ ଗାନ୍ଧୀଙ୍କ ପ୍ରଂଶସା କରିଛନ୍ତି । ରାହୁଲ ଗାନ୍ଧୀଙ୍କୁ ଫାରୁକ୍ ଅବଦୁଲ୍ଲା ଶଙ୍କରାଚାର୍ଯ୍ୟଙ୍କ ସହ ତୁଳନା କରିଥିବାବେଳେ, କନ୍ୟାକୁମାରୀରୁ କାଶ୍ମୀର ଯାତ୍ରା ବାହାର କରିଥିବା ସେ ହେଉଛନ୍ତି ଦ୍ୱିତୀୟ ବ୍ୟକ୍ତି ବୋଲି ଫାରୁକ୍ କହିଛନ୍ତି ।

ସମାଚାର ଏଜେନ୍ସି ଏଏନଆଇ ମୁତାବକ, ଫାରୁକ୍ ଅବଦୁଲ୍ଲା କହିଛନ୍ତି, ବହୁ ବର୍ଷ ତଳେ ଶଙ୍କରାଚାର୍ଯ୍ୟ ଏଠାକୁ ଆସିଥିଲେ । ସେତେବେଳେ ସେଠାରେ ସଡକ ନଥିଲା, କେବଳ ଜଙ୍ଗଲ ଥିଲା । କନ୍ୟାକୁମାରୀରୁ ଚାଲି ଚାଲି ସେ କାଶ୍ମୀର ଯାଇଥିଲେ । ତେବେ ରାହୁଲ ଗାନ୍ଧୀ ହେଉଛନ୍ତି ଦ୍ୱିତୀୟ ବ୍ୟକ୍ତି ଯିଏକି କନ୍ୟାକୁମାରୀରୁ କାଶ୍ମୀରରେ ପହଞ୍ଚିଛନ୍ତି ।
ତେବେ ଫାରୁକ୍ ଅବଦୁଲ୍ଲା ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଯାତ୍ରାର ଉଦ୍ଦେଶ୍ୟ ଦେଶକୁ ଏକଜୁଟ୍ କରିବା । ଏ ହେଉଛି ଗାନ୍ଧୀ ଆଉ ରାମଙ୍କ ଦେଶ । ଏହି ଦେଶରେ ଆମ ସମସ୍ତେ ଏକ ଅଟୁ । ତେଣୁ ଏହି ଯାତ୍ରାର ଉଦ୍ଦେଶ୍ୟ ହେଉଛି ଭାରତକୁ ଏକ କରି ରଖିବା । ଅନ୍ୟପଟେ ଭାରତରେ ଏବେ ଘୃଣାଭାବ ସୃଷ୍ଟି କରାଯାଉଛି । ଧର୍ମକୁ ନେଇ ଲୋକଙ୍କ ଭିତରେ କଳହ ସୃଷ୍ଟି କରାଯାଉଛି ବୋଲି ସେ କହିଛନ୍ତି ।

ସେପଟେ ରାହୁଲ ଗାନ୍ଧୀ ଜମ୍ମୁ-କଶ୍ମୀରର କାଠୁଆରେ ନିଜର ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ କରିଥିବା ବେଳେ ପ୍ରଥମ କରି ଜ୍ୟାକେଟ୍‌ ପିନ୍ଧିଥିବାର ନଜର ଆସିଛନ୍ତି । ପୂର୍ବରୁ ହାଡ଼ଭଙ୍ଗା ଶୀତରେ ବି ରାହୁଲ କେବଳ ଖଣ୍ଡିଏ ଟି-ସାର୍ଟ ପିନ୍ଧି ଯାତ୍ରାରେ ଚାଲୁଥିବା ନଜର ଆସିଥିଲେ। କନ୍ୟାକୁମାରୀରେ ଯାତ୍ରା ଆରମ୍ଭ ହେବାକୁ ନେଇ ପଞ୍ଜାବ-ହିମାଚଳ ପର୍ଯ୍ୟନ୍ତ ରାହୁଲଙ୍କୁ କେବଳ ଟି-ସାର୍ଟରେ ଦେଖିବାକୁ ମିଳିଥିଲା। ଯାହାକୁ ନେଇ ସେ ଖୁବ୍ ଚର୍ଚ୍ଚାରେ ରହିଥିଲେ।


Share It

Comments are closed.