ଓଡ଼ିଶାରେ ଶୁଭାରମ୍ଭ ହେଲା ଆଉ ୮୪ଟି ୧୦୮ ଆମ୍ବୁଲାନ୍ସ


ଭୁବନେଶ୍ୱର, ୧.୦୧.୨୦୨୧: ଓଡ଼ିଶାରେ ଜରୁରୀ ସ୍ୱାସ୍ଥ୍ୟସେବାକୁ ଆହୁରି ସୁଦୃଢ କରିବା ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ପକ୍ଷରୁ ନିଜସ୍ୱ ପାଣ୍ଠି ବ୍ୟୟରେ ଅତିରିକ୍ତ ୮୪ଟି ନୂତନ ୧୦୮ ଆମ୍ବୁଲାନ୍ସର ଶୁଭାରମ୍ଭ କରାଯାଇଛି । ମାନ୍ୟବର ମୂଖ୍ୟମନ୍ତ୍ରୀ, ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହି ନୂତନ ୧୦୮ ଆମ୍ବୁଲାନ୍ସ ଗୁଡ଼ିକୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ପତାକା ଦେଖାଇ ଭୁବନେଶ୍ୱରସ୍ଥିତ ପରିବହନ ଭବନଠାରେ ଉନ୍ମୋଚନ କରିଛନ୍ତି । ରାଜ୍ୟ ସରକାର ଏହି ଅତିରିକ୍ତ ଆମ୍ବୁଲାନ୍ସ ଗୁଡ଼ିକ ପାଇଁ ୫ ବର୍ଷ ନିମନ୍ତେ ୧୦୪ କୋଟି ଟଙ୍କା ବ୍ୟବସ୍ଥା କରିଥିବା ସହିତ ଏହି ନୂତନ ଆମ୍ବୁଲାନ୍ସ ରାଜ୍ୟର ୨୭ଟି ଜିଲ୍ଲାକୁ ଯୋଗାଇ ଦିଆଯାଉଛି । ୨୭ଟି ଜିଲ୍ଲା ମଧ୍ୟରୁ ବାଲେଶ୍ୱରକୁ ସର୍ବାଧିକ ୧୧ଟି ୧୦୮ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଛି । ଜିକିତ୍ସା ହେଲଥ କେୟାର ଲିମିଟେଡ଼ ଦ୍ୱାରା ପରିଚାଳିତ ଏହି ସେବା ଅନ୍ତର୍ଗତ ସମ୍ପ୍ରତି ଓଡ଼ିଶାର ୩୦ଟି ଜିଲ୍ଲାରେ ୫୧୮ଟି ୧୦୮ ଆମ୍ବୁଲାନ୍ସ ଏବଂ ଗର୍ଭବତୀ ମା’ ଓ ଅସୁସ୍ଥ ଶିଶୁଙ୍କୁ ଡ଼ାକ୍ତରଖାନା ନେବା ନିମନ୍ତେ ୫୦୦ ଟି ଜନନୀ ଏକ୍ସପ୍ରେସ ୧୦୨ ଆମ୍ବୁଲାନ୍ସ ପ୍ରଚଳନ କରାଯାଉଛି ।


ଏହି ଅବସରରେ ଉପସ୍ଥିତରହି ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ, ଶ୍ରୀଯୁକ୍ତ ନବ କିଶୋର ଦାଶ କହିଛନ୍ତି ଯେ, \”ରେସପନ୍ସ ଟାଇମରେ ଉନ୍ନତି ଏବଂ ଆମ୍ବୁଲାନ୍ସ ଉପଲବ୍ଧ ନଥିବା କାରଣରୁ ବାତିଲ ହେଉଥିବା କଲ୍ ସଂଖ୍ୟାକୁ ହ୍ରାସ କରିବା ନିମନ୍ତେ ଏହି ଅତିରିକ୍ତ ୮୪ଟି ଆମ୍ବୁଲାନ୍ସ ଗୁଡ଼ିକୁ ବିଭିନ୍ନ ଜିଲ୍ଲା ଗୁଡ଼ିକୁ ଯୋଗାଇ ଦିଆଯାଇଛିି । ଉପକୂଳରୁ ଆରମ୍ଭକରି ଉପାନ୍ତ ଅଞ୍ଚଳ ପର୍ଯ୍ୟନ୍ତ ସମସ୍ତ ଗରିବ ଏବଂ ଆଦିବାସୀ ଅଧ୍ୟୁଷିତ ଜନସାଧାରଣଙ୍କୁ ମାଗଣା ଆମ୍ବୁଲାନ୍ସ ସେବା ଯୋଗାଇଦେବା ଲକ୍ଷ୍ୟକୁ ପୂରଣ କରିବା ପାଇଁ ରାଜ୍ୟ ସରକାର ସର୍ବଦା ପ୍ରତିଶୃତିବଦ୍ଧ ।\’
ଏହି ପରିପ୍ରେକ୍ଷୀରେ ୧୦୮ ଆମ୍ବୁଲାନ୍ସକୁ ପରିଚାଳନା କରୁଥିବା ସଂସ୍ଥା, ଜିକିତ୍ସା ହେଲ୍‌ଥ କେୟାର ଲିମିଟେଡର ଓଡ଼ିଶା ମୂଖ୍ୟ, ଶ୍ରୀଯୁକ୍ତ ସବ୍ୟସାଚୀ ବିଶ୍ୱାଳ କହିଛନ୍ତି ଯେ, \”ନୂତନ ୧୦୮ ଆମ୍ବୁଲାନ୍ସର ଶୁଭାରମ୍ଭ କେବଳଯେ ଜରୁରୀ ସ୍ୱାସ୍ଥ୍ୟ ସେବାକୁ ଆହୁରି ସୁଗମ କରିବ ତାହା ନୁହଁ ଏହା ଆହୁରି ମଧ୍ୟ ନୂତନ କର୍ମନିଯୁକ୍ତି ସୃଷ୍ଟି କରିପାରିଛି । ଯାହାକି ପ୍ରତିଟି ଆମ୍ବୁଲାନ୍ସ ପିଛା ଗୋଟିଏ ସିଫ୍ଟରେ ୩ ଜଣ କରି ୨ଟି ସିଫ୍ଟରେ ମୋଟ ୫୦୪ଜଣ ଚୁକ୍ତିଭିତିକ ନିଯୁକ୍ତି ପାଇପାରିଛନ୍ତି । ଡ଼ବ୍ଲୁଏଚଓ ଷ୍ଟାଣ୍ଡାର୍ଡ଼ ଅନୁଯାୟୀ ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ ୧ଟି ଆମ୍ବୁଲାନ୍ସ ଆବଶ୍ୟକ ଥିବାବେଳେ ଓଡ଼ିଶାରେ ଏହା ପ୍ରତି ୪୨ ହଜାର ଜନ ସଂଖ୍ୟାରେ ଗୋଟିଏ ଆମ୍ବୁଲାନ୍ସ ଉପଲବ୍ଧ । ଏହି ଅତିରିକ୍ତ ଆମ୍ବୁଲାନ୍ସ ଗୁଡ଼ିକର ଶୁଭାରମ୍ଭ ଦ୍ୱାରା ରେସପନ୍ସ ଟାଇମରେ ଆହୁରି ଉନ୍ନତି ହେବା ସହିତ ଗୋଟିଏବି କଲ ଯେପରି ବାତିଲ ନହୁଏ ସେ ଦିଗରେ ଆମ୍ଭେମାନେ ଅଧିକ ସଫଳ ହୋଇପାରିବୁ ।\’
ଏହି ନୂତନ ଆମ୍ବୁଲାନ୍ସ ଗୁଡ଼ିକର ଶୁଭାରମ୍ଭ ଅବସରରେ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟର ଅତିରିକ୍ତ ମୁଖ୍ୟ ସଚିବ, ଶ୍ରୀଯୁକ୍ତ ପି.କେ. ମହାପାତ୍ର, ମିଶନ ନିର୍ଦ୍ଦେଶିକା-ଜାତୀୟ ସ୍ୱାସ୍ଥ୍ୟ ମିଶନ, ଶ୍ରୀମତି ସାଳିନୀ ପଣ୍ଡିତ ପ୍ରମୂଖ ଉପସ୍ଥିତ ଥିଲେ ।
ପ୍ରକାଶଯୋଗ୍ୟ ଯେ, ରାଜ୍ୟ ସରକାରଙ୍କ ଦ୍ୱାରା ୨୦୧୩ ମାର୍ଚ୍ଚ ୫ ତାରିଖରୁ ରାଜ୍ୟରେ ଜରୁକାଳୀନ ୧୦୮ ଆମ୍ବୁଲାନ୍ସ ସେବା ରାଜ୍ୟବାସୀଙ୍କୁ ମାଗଣାରେ ଅବିରତ ସ୍ୱାସ୍ଥ୍ୟ ସେବା ଯୋଗାଇଆସୁଛି । ୧୦୮ ଆମ୍ବୁଲାନ୍ସ ସେବା ଦ୍ୱାରା ବିଗତ ୭ବର୍ଷ ମଧ୍ୟରେ ୩୨ଲକ୍ଷରୁ ଉର୍ଦ୍ଧ ଲୋକଙ୍କୁ ଆମ୍ବୁଲାନ୍ସ ସେବା ଏବଂ ୨୯ଲକ୍ଷରୁ ଉର୍ଦ୍ଧ ଗର୍ଭବତୀ ଏବଂ ଶିଶୁଙ୍କୁ ୧୦୨ ଆମ୍ବଲାନ୍ସ ସେବା ପ୍ରଦାନ କରିସାରିଲେଣି । ଏପରିକି ରାଜ୍ୟର ବିଭିନ୍ନ ବିଛିନ୍ନାଂଚଳରେ ୬ଟି ୧୦୮ ବୋଟ ଆମ୍ବୁଲାନ୍ସ ସେବା ମଧ୍ୟ ଯୋଗାଇଦିଆଯାଇଛି । ୧୦୮ ଆମ୍ବୁଲାନ୍ସ ସେବା ଜିକିତ୍ସା ହେଲଥ କେୟାର ଲିଃ. ଅଧିନରେ ଭୁବନେଶ୍ୱରସ୍ଥିତ ଷ୍ଟେଟ ଅଫ ଦି ଆର୍ଟ କେନ୍ଦ୍ରରୁ ପରିଚାଳିତ ହେଉଛି ।


Share It

Comments are closed.