ବାନ୍ଦ୍ରା ଷ୍ଟେସନରେ ଘରକୁ ଯିବାପାଇଁ ପ୍ରବାସୀ ଶ୍ରମିକଙ୍କ ଭିଡ଼, ଭ୍ରମିତ କରିବା ଅଭିଯୋଗରେ ଜଣେ ଗିରଫ ଓ ଅନେକଙ୍କ ନାମରେ ମାମଲା ରୁଜୁ


ମଙ୍ଗଳବାର ଦିନ ମୁମ୍ବାଇର ବାନ୍ଦ୍ରା ରେଳ ଷ୍ଟେସନରେ ପ୍ରବାସୀ ଶ୍ରମିକଙ୍କର ଭିଡ଼ ହେବା ମାମଲାରେ ପୋଲିସ ବିନୟ ଦୁବେ ନାମକ ଜଣେ ଯୁବକକୁ ଗିରଫ କରିଛି । ଲକଡାଉନ ମଧ୍ୟରେ ଲୋକଙ୍କୁ ଭ୍ରମିତ କରିବା ଆରୋପରେ ବିନୟକୁ ନବି ମୁମ୍ବାଇ ପୋଲିସ ଗିରଫ କରି ମୁମ୍ବାଇ ପୋଲିସକୁ ହସ୍ତାନ୍ତର କରିଛି ।
ଏହି ଯୁବକ ଜଣକ ‘ ଚଲୋ ଘର କୀ ଓର’ ଭଳି ଏକ ଅଭିଯାନ ଚଳାଇଥିଲା । ନିଜ ଫେସବୁକରେ ସେୟାର କରିଥିବା ପୋଷ୍ଟରେ ସେ ବାନ୍ଦ୍ରାରେ ତାର ଟିମ ରହିଥିବା କଥା କହିଥିଲା । ଏହି ମାମଲାରେ ପୋଲିସ ୧୦୦୦ ଲୋକଙ୍କ ବିରୋଦ୍ଧରେ ଏଫଆଇଆର ଜାରି କରିଛି । ଏହି ଯୁବକ ଉପରେ ଆଇପିଏସ ଧାରା ୧୧୭, ୧୫୩ ଏ, ୧୮୮, ୨୬୯, ୨୭୦, ୫୦୫(୨) ଏବଂ ଏପିଡେମିକ ଆକ୍ଟର ଧାରା ୩ ଅନୁଯାୟୀ ଏକ ମୁକଦ୍ଦମା ଦାଏର କରାଯାଇଛି ।
ଘଟଣା ଅନୁଯାୟୀ ମଙ୍ଗଳବାର ଦିନ ମୁମ୍ବାଇର ବାନ୍ଦ୍ରା ରେଳ ଷ୍ଟେସନରେ ଲୋକଙ୍କର ଭିଡ଼ ଜମିଥିଲା । ଏମାନେ ସବୁ ଭାବିଥିଲେ ବୋଧହୁଏ ଲକଡାଉନ ଶେଷ ହୋଇଯିବ ଏବଂ ସେମାନେ ଘରକୁ ଯାଇପାରିବେ । ଭିଡ଼ ଏତେ ରହିଥିଲା ଯେ ସେମାନଙ୍କୁ ହଟାଇବା ପାଇଁ ପୋଲିସକୁ ଲାଠି ଚାର୍ଜ କରିବାକୁ ପଡ଼ିଥିଲା ।
ଏହି ମାମଲାରେ ଗୃହ ମନ୍ତ୍ରୀ ଅମିତ ଶାହ ଚିନ୍ତା ଜାହିର କରିଛନ୍ତି । ସେ ଏହା ବିଷୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି । ଅନ୍ୟ ପଟେ ଉଦ୍ଧବ ଠାକରେ ଏହି ମାମଲାରେ କହିଛନ୍ତି ଯେ ସରକାର ପ୍ରବାସୀ ଶ୍ରମିକଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିବେ । ସେମାନଙ୍କୁ ବିଚଳିତ ହେବାର ଆବଶ୍ୟକତା ନାହିଁ । ଏପଟେ ମନ୍ତ୍ରୀ ଠାକରେ କେନ୍ଦ୍ର ସରକାରଙ୍କ ନିଶାନା କରିଛନ୍ତି । ସୁରଟରେ ଶ୍ରମିକଙ୍କ ଦ୍ୱାରା ହୋଇଥିବା ଦଙ୍ଗାକୁ ନେଇ ସେ କେନ୍ଦ୍ର ସରକାରଙ୍କ ନିଷ୍ପତିକୁ ନେଇ ପ୍ରଶ୍ନ କରିଛନ୍ତି । ପ୍ରବାସୀ ଶ୍ରମିକମାନେ ଖାଦ୍ୟ କିମ୍ବା ବାସସ୍ଥଳୀ ଚାହୁଁନାହାନ୍ତି ସେମାନେ ନିଜ କେବଳ ଘରକୁ ଯିବା ପାଇଁ ଚାହୁଁଛନ୍ତି ବୋଲି ମନ୍ତ୍ରୀ ଠାକରେ ପ୍ରକାଶ କରିଛନ୍ତି ।


Share It

Comments are closed.