ତୁର୍କୀର ପ୍ରଥମ ମହିଳାଙ୍କ ସହ ସାକ୍ଷାତ କରି ସମାଲୋଚିତ ହେଲେ ଆମୀର


ବଲିଉଡ ଆକ୍ଟର ଆମିର ଖାନ୍ ପୁଣି ଥରେ ବିବାଦରେ ଫସିଯାଇଛନ୍ତି । ଏବେ ସେ ନିଜ ଫିଲ୍ମ ‘ଲାଲ୍ ସିଂହ ଚଢ୍ଡା’ର ସୁଟିଂ ପାଇଁ ତୁର୍କୀ ଯାଇଛନ୍ତି । ଏହି ସମୟରେ ସେ ରବିବାର ତୁର୍କୀର ରାଷ୍ଟ୍ରପତିଙ୍କ ପତ୍ନୀ ଏମିନ୍ ଏର୍ଦୋଗନ୍(Emine Erdogan)ଙ୍କ ସହିତ ସାକ୍ଷାତ କରିଛନ୍ତି । ଇସ୍ତାନବୁଲ୍ ସ୍ଥିତ ରାଷ୍ଟ୍ରପତି ଭବନ ହୁବେର ମୈଶନରେ ହୋଇଥିବା ଏହି ସାକ୍ଷାତର ଫଟୋ ତୁର୍କୀର ପ୍ରଥମ ମହିଳା ଏମିନ୍ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ତେବେ ଏହି ସାକ୍ଷାତ ପରେ ଆମିର ଖାନ୍ ସମାଲୋଚନାର ଶୀକାର ହୋଇଛନ୍ତି । । କହିରଖୁଛୁ ତୁର୍କୀର ରାଷ୍ଟ୍ରପତି, ଜମ୍ମୁ-କଶ୍ମୀରରୁ ଆର୍ଟିକଲ ୩୭୦ ହଟାଇବା ବିରୁଦ୍ଧରେ ବୟାନ ଦେଇସାରିଛନ୍ତି । ଅନ୍ୟପଟେ ଆମିର ଖାନ ଓ ତୁର୍କୀର ପ୍ରଥମ ମହିଳାଙ୍କ ସହ ସାକ୍ଷାତ ପରେ ଭାରତର ସୋସିଆଲ ମିଡିଆରେ ଆମିରଙ୍କ ପ୍ରତି ୟୁଜର୍ସଙ୍କ ମନରେ ଥିବା କ୍ରୋଧ ପ୍ରକାଶ ପାଇଛି ।

ଏହା ସହିତ ସୋସିଆଲ ମିଡିଆରେ ଲୋକମାନେ ଏହାକୁ ୨୦୧୮ରେ ଇସ୍ରାଏଲ ପିଏମ୍ ବେଞ୍ଜାମିନ୍ ନେତନ୍ୟାହୁଙ୍କ ଭାରତ ଗସ୍ତ ସହିତ ମଧ୍ୟ ଯୋଡି ଦେଖୁଛନ୍ତି । ସେହି ସମୟରେ ନେତନ୍ୟାହୁ ବଲିଉଡର ଅନେକ ସେଲିବ୍ରିଟିଙ୍କ ସହିତ ସାକ୍ଷାତ କରିଥିଲେ । କିନ୍ତୁ ଶାହରୁଖ, ଆମିର ଓ ସଲମାନ୍ ଖାନ ତାଙ୍କ ସହିତ ଦେଖା ପାଇଁ ମନା କରିଦେଇଥିଲେ ।

ସୋସିଆଲ ମିଡିଆରେ ଲୋକଙ୍କ କହିବାନୁସାରେ ଯେଉଁ ଦେଶ ଭାରତକୁ ଅନେକ ଅନ୍ତର୍ଜାତୀୟ ସ୍ତରରେ ଭାରତକୁ ସହଯୋଗ କରିଛନ୍ତି ସେହି ଦେଶର ରାଷ୍ଟ୍ରପତିଙ୍କୁ ଆମିର ଖାନ୍ ଦେଖା କରିବାକୁ ମନା କରିଦେଇଛନ୍ତି କିନ୍ତୁ ଯେଉଁ ଦେଶ ଭାରତ ବିରୁଦ୍ଧରେ ବୟାନବାଜି କରୁଛି ସେହି ଦେଶର ପ୍ରଥମ ମହିଳାଙ୍କ ଅତିଥି ହୋଇ ଆମିର ଖାନ୍ ବହୁତ ଖୁସି ଅଛନ୍ତି । ଏନେଇ ସୋସିଆଲ ମିଡିଆରେ ଅନେକ ପ୍ରତିକ୍ରିୟା ଦେଉଛନ୍ତି ୟୁଜର୍ସ ।


Share It

Comments are closed.