‘ଘରଦୁଆରେ ପୁଷ୍ଟି’ କାର୍ଯ୍ୟକ୍ରମର ଉଚ୍ଚସ୍ତରୀୟ ସମୀକ୍ଷା


ଭୁବନେଶ୍ୱର : ଅପପୁଷ୍ଟି ତଥା ରକ୍ତହୀନତା ସମସ୍ୟାର ସମାଧାନ ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ହିତାଧିକାରୀ ପରିବାରଙ୍କୁ ଉନ୍ନତ ମାନର ପୁଷ୍ଟିକର ଫଳଚାରା ଓ ପନିପରିବା ବିହନ କିଟ ବିନାମୂଲ୍ୟରେ ବଣ୍ଟନ ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଥିବା ‘ଘରଦୁଆରେ ପୁଷ୍ଟି’ କାର୍ଯ୍ୟକ୍ରମକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସଂପୂର୍ଣ୍ଣ କରିବାକୁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଗତ ଜାନୁଆରୀ ୭ ତାରିଖରେ ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ଶୁଭାରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଏକ ଉଚ୍ଚସ୍ତରୀୟ ବୈଠକର ସମୀକ୍ଷା କରିଥିଲେ । କୃଷି ଭବନଠାରେ ଆୟୋଜିତ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଭର୍ଚୁଆଲ ମାଧ୍ୟମରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ଉଦ୍ୟାନ କୃଷି ବିଭାଗର ଜିଲ୍ଲା ଅଧିକାରୀମାନଙ୍କ ସହିତ ବିସ୍ତୃତ ଭାବେ ଯୋଜନାର ସମୀକ୍ଷା କରିଥିଲେ । ଏହି କାର୍ଯ୍ୟକ୍ରମର ଅଧିନରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଦ୍ୱାରା ହିତାଧିକାରୀ ଚିହ୍ନଟ ଓ ତାଲିକା ପ୍ରସ୍ତୁତ କରାଯାଇଥିବାବେଳେ ଚାରା ଓ ପନିପରିବା କିଟ ଉଦ୍ୟାନ କୃଷି ବିଭାଗ ଦ୍ୱାରା ଯୋଗାଇ ଦିଆଯାଉଛି । ହିତାଧିକାରୀ ଚିହ୍ନଟ ପ୍ରକ୍ରିୟାରେ ଯେପରି ସମସ୍ତ ଯୋଗ୍ୟ ହିତାଧିକାରୀ ସାମିଲ ହେବେ, ସେଥି ନିମନ୍ତେ କାର୍ଯ୍ୟକ୍ରମ ସଂପର୍କରେ ବ୍ୟାପକ ଜନସଚେତନା ସୃଷ୍ଟି କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ । କାର୍ଯ୍ୟକ୍ରମରେ ସମସ୍ତ ପ୍ରାଚୀନ ସମ୍ବେଦନଶୀଳ ଜନଜାତି ସଂପ୍ରଦାୟ ସମେତ ଟ୍ରାନ୍ସଜେଣ୍ଡର , ପରିବାରର ମୁଖ୍ୟ ବିଧବା ହୋଇଥିଲେ ସେମାନଙ୍କୁ ସାମିଲ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ସମସ୍ତ ସଂପୃକ୍ତ ବିଭାଗର ଅଧିକାରୀଙ୍କୁ ସାମିଲ କରି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ କରି କାର୍ଯ୍ୟଖସଡା ଚୂଡାନ୍ତ କରିବା ପାଇଁ କୃଷିର ଉପନିର୍ଦ୍ଦେଶକ ଏବଂ ସହକାରୀ ନିର୍ଦ୍ଦେଶକମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
କାର୍ଯ୍ୟକ୍ରମ ସଂପର୍କରେ ସାଧାରଣ ଲୋକ ଯେପରି ଜାଣିପାରିବେ ସେଥିପାଇଁ ଜିଲ୍ଲା, ବ୍ଲକ ଓ ଗ୍ରାମ ପଞ୍ଚାୟତ ସ୍ତରରେ ପୋଷ୍ଟର, ବ୍ୟାନର ଆଦି ମାଧ୍ୟମରେ ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମ କରିବା ଓ କାର୍ଯ୍ୟକ୍ରମରେ ସ୍ଥାନୀୟ ପଞ୍ଚାୟତିରାଜ ଜନପ୍ରତିନିଧିମାନଙ୍କୁ ସାମିଲ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ ।
ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀ ‘ଘରଦୁଆରେ ପୁଷ୍ଟି’ କାର୍ଯ୍ୟକ୍ରମକୁ ରାଜ୍ୟ ସରକାରଙ୍କ ଏକ ଫ୍ଲାଗସିପ କାର୍ଯ୍ୟକ୍ରମ ଭାବରେ ଅଭିହିତ କରିଥିଲେ । ବିଭିନ୍ନ ବିଭାଗ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା କରାଯାଇ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରାଯାଉଛି ବୋଲି ଡ. ପାଢୀ କହିଥିଲେ ।


ଏହି କାର୍ଯ୍ୟକ୍ରମରେ ହିତାଧିକାରୀ ପରିବାରକୁ ୧୦ଟି ଉନ୍ନତମାନର ଫଳଚାର ଯୋଗାଇ ଦିଆଯାଉଛି । ଏଥିରେ ସଜନା ଛୁଇଁ, କଂଚା କଦଳୀ, ଅମୃତଭଣ୍ଡା, ଲେମ୍ବୁ ଓ ଦେଶୀଆଳୁର ଦୁଇଟି ଲେଖାଏଁ ଚାରା ବିନା ମୂଲ୍ୟରେ ଯୋଗାଇ ଦିଆଯାଉଛି । ସେହିପରି ପନିପରିବା କିଟରେ ବାଇଗଣ, ଭେଣ୍ଡି, କଞ୍ଚାଲଙ୍କା, କଲରା, ଟମାଟୋ ଏବଂ ପାଳଙ୍ଗ ଶାଗାର ଉନ୍ନତମାନର ପ୍ରମାଣିକ ମଞ୍ଜି ଯୋଗାଇ ଦିଆଯାଇଛି । ବଣ୍ଟନ ପ୍ରକ୍ରିୟାରେ ସଂପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରିବା ପାଇଁ ହିତାଧିକାରୀ ପରିବାରଙ୍କର ଜିଓ ଟାଗିଂ, ଫଟୋ ଏବଂ ଭିଡିଓଗ୍ରାଫି କରିବା ପାଇଁ ମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ବୈଠକରେ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା କାର୍ଯ୍ୟକ୍ରମର ଅଗ୍ରଗତି ସଂପ୍ରର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । ବୈଠକରେ ଅନୁସୂଚିତ ଜନଜାତି ନିର୍ଦ୍ଦେଶକ, ଓଡିଶା ରାଜ୍ୟ ବିହନ ନିଗମର ପରିଚାଳନା ନିର୍ଦ୍ଦେଶକ ଓ ସଂପୃକ୍ତ ବିଭିନ୍ନ ବିଭାଗର ୍‌ଅଧିକାରୀମାନେ ଉପସ୍ଥିତ ଥିବାବେଳେ ଜିଲ୍ଲାର ଜିଲ୍ଲାପାଳ, ଉଦ୍ୟାନ କୃଷିର ଉପନିର୍ଦ୍ଦେଶକ, ସହକାରୀ ନିର୍ଦ୍ଦେଶକମାନେ ଜିଲ୍ଲାରୁ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇଥିବାବେଳେ ସହକାରୀ ଉଦ୍ୟାନ କୃଷି ଅଧିକାରୀମାନେ ବ୍ଲକରୁ ଭର୍ଚୁଆଲରେ ଯୋଗ ଦେଇଥିଲେ ।

 


Share It

Comments are closed.