World Health Day 2026 : କେବଳ ସ୍ପଷ୍ଟ ଦୃଷ୍ଟିଶକ୍ତି ରହିବା ସୁସ୍ଥ ଆଖିର ଗ୍ୟାରେଣ୍ଟି ନୁହେଁ, ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ

Share It

World Health Day 2026 : ଆଜିର ବ୍ୟସ୍ତବହୁଳ ଜୀବନଶୈଳୀ ଏବଂ ଖରାପ ଖାଦ୍ୟପେୟର ସିଧାସଳଖ ପ୍ରଭାବ ଆମ ଆଖି(Eye Health) ଉପରେ ପଡୁଛି। ଅଧିକାଂଶ ଲୋକ ଭାବନ୍ତି ଯେ ଯଦି ସେମାନଙ୍କର ଦୃଷ୍ଟିଶକ୍ତି ୬/୬ (6/6 vision) ଅଛି ଅର୍ଥାତ୍ ସେମାନଙ୍କୁ ସବୁକିଛି ସ୍ପଷ୍ଟ ଦେଖାଯାଉଛି, ତେବେ ସେମାନଙ୍କ ଆଖି ସମ୍ପୂର୍ଣ୍ଣ ସୁସ୍ଥ ଅଛି। କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ 2026 (World Health Day 2026) ଅବସରରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଲୋକମାନଙ୍କର ଏହି ବଡ଼ ଭୁଲ୍ ଧାରଣାକୁ ଦୂର କରିଛନ୍ତି।

୬/୬ ଦୃଷ୍ଟିଶକ୍ତିର ପ୍ରକୃତ ଅର୍ଥ କ’ଣ?

ଚକ୍ଷୁ ରୋଗ ବିଶେଷଜ୍ଞଙ୍କ  ଅନୁଯାୟୀ, ୬/୬ ଦୃଷ୍ଟିଶକ୍ତିର ଅର୍ଥ ହେଉଛି ଜଣେ ସାଧାରଣ ଦୃଷ୍ଟିଶକ୍ତି ସମ୍ପନ୍ନ ବ୍ୟକ୍ତି ୬ ମିଟର ଦୂରରୁ ଅକ୍ଷରଗୁଡ଼ିକୁ ଯେତିକି ସ୍ପଷ୍ଟ ଭାବରେ ପଢ଼ିପାରନ୍ତି, ଆପଣ ମଧ୍ୟ ସେତିକି ସ୍ପଷ୍ଟ ପଢ଼ିପାରୁଛନ୍ତି। ଏହାର ଅର୍ଥ କେବଳ ଆପଣଙ୍କ ଦେଖିବା କ୍ଷମତା ଠିକ୍ ଅଛି। କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ ଆପଣଙ୍କ ଆଖିର ଭିତର ଅଂଶ ସମ୍ପୂର୍ଣ୍ଣ ସୁସ୍ଥ ଅଛି ଏବଂ ଆଖିରେ କୌଣସି ରୋଗ ନାହିଁ।

ବିନା ଲକ୍ଷଣରେ ବଢ଼ିଥାଏ ଅନେକ ରୋଗ

ଡାକ୍ତରଙ୍କ ମତରେ, ଆଖିର ଏପରି ଅନେକ ରୋଗ ଅଛି ଯାହାର ପ୍ରାରମ୍ଭିକ ଲକ୍ଷଣ ଆଦୌ ଜଣାପଡ଼େ ନାହିଁ। ଗ୍ଲୁକୋମା (Glaucoma) ଏବଂ ମୋତିଆବିନ୍ଦୁ (Cataract) ଭଳି ରୋଗ ଆରମ୍ଭରୁ ଆଖିର କେନ୍ଦ୍ରୀୟ ଦୃଷ୍ଟି (Central Vision) ଉପରେ କୌଣସି ପ୍ରଭାବ ନ ପକାଇ ଧୀରେ ଧୀରେ ବଢ଼ିଥାଏ। ଜଣେ ବ୍ୟକ୍ତି ଦୃଷ୍ଟିଶକ୍ତି ପରୀକ୍ଷା (Vision Test) ପାସ୍ କରିପାରନ୍ତି, କିନ୍ତୁ ଭିତରେ ଭିତରେ ଅପ୍ଟିକ୍ ନର୍ଭକୁ କ୍ଷତି ପହଞ୍ଚୁଥାଇପାରେ। ତେଣୁ କେବଳ ଦୃଷ୍ଟିଶକ୍ତି ସ୍ପଷ୍ଟ ହେବା ସୁସ୍ଥ ଆଖିର ପ୍ରମାଣ ନୁହେଁ।

ସ୍କ୍ରିନ ଟାଇମ ବଢ଼ିବା ଆଖି ପାଇଁ କ୍ଷତିକାରକ

ଆଜିକାଲି ଲୋକଙ୍କର ଅତ୍ୟଧିକ ମୋବାଇଲ୍ ଏବଂ କମ୍ପ୍ୟୁଟର ବ୍ୟବହାର ଆଖି ପାଇଁ ସବୁଠାରୁ ବଡ଼ ସମସ୍ୟା ପାଲଟିଛି। ଘଣ୍ଟା ଘଣ୍ଟା ଧରି ସ୍କ୍ରିନ୍ ଦେଖିବା ଦ୍ୱାରା ଆଖି ପଲକ କମ ପଡ଼ିଥାଏ, ଯାହା ଫଳରେ ‘ଡ୍ରାଏ ଆଇ ସିଣ୍ଡ୍ରୋମ୍’ (Dry Eye Syndrome) ବା ଆଖି ଶୁଖିଲା ପଡ଼ିଯିବାର ଆଶଙ୍କା ବଢ଼ିଯାଏ। ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧବୃଦ୍ଧା ସମସ୍ତଙ୍କ ପାଇଁ ଏହି ଅତ୍ୟଧିକ ସ୍କ୍ରିନ୍ ଟାଇମ୍ ବିପଦଜ୍ଜନକ।

ନିୟମିତ ଆଖି ଯାଞ୍ଚ ନିହାତି ଜରୁରୀ

ଆଖିର ସ୍ୱାସ୍ଥ୍ୟ କେବଳ ଦୃଷ୍ଟିଶକ୍ତି ପରୀକ୍ଷାରୁ ଜାଣିହେବ ନାହିଁ। ଏଥିପାଇଁ ଆଖିର ଚାପ (Eye Pressure), ରେଟିନାର ସ୍ଥିତି, ଲେନ୍ସ ଏବଂ କଲର୍ ଭିଜନ୍ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକର ସଠିକ୍ ଯାଞ୍ଚ ହେବା ଆବଶ୍ୟକ। ପ୍ରତ୍ୟେକ ବୟସ୍କ ବ୍ୟକ୍ତି ଦୁଇ ବର୍ଷରେ ଥରେ ଆଖିର ସମ୍ପୂର୍ଣ୍ଣ ଯାଞ୍ଚ କରିବା ଉଚିତ୍। ବିଶେଷକରି ଯେଉଁମାନଙ୍କର ମଧୁମେହ (Diabetes) ଏବଂ ଉଚ୍ଚ ରକ୍ତଚାପ (High Blood Pressure) ରହିଛି, ସେମାନଙ୍କ ପାଇଁ ଏହି ଯାଞ୍ଚ ଅତ୍ୟନ୍ତ ଜରୁରୀ। ସମୟ ପୂର୍ବରୁ ରୋଗ ଚିହ୍ନଟ ହେଲେ ଆଖିର ଜ୍ୟୋତି ହରାଇବାରୁ ବର୍ତ୍ତି ହେବ।


Share It

Comments are closed.