କେନ୍ଦ୍ରାପଡ଼ାରେ ନୂତନ ବୈଦ୍ୟୁତିକ ସବ୍-ଷ୍ଟୋର ଉଦଘାଟିତ: ବିଦ୍ୟୁତ ଭିତ୍ତିଭୂମିକୁ ସୁଦୃଢ଼ କଲା ଟିପିସିଓଡିଏଲ୍

Share It

କେନ୍ଦ୍ରାପଡ଼ା: ଟିପି ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ) ପକ୍ଷରୁ କେନ୍ଦ୍ରାପଡ଼ାଠାରେ ଏକ ନୂତନ ବୈଦ୍ୟୁତିକ ସବ୍-ଷ୍ଟୋର ଉଦଘାଟିତ ହୋଇଯାଇଛି। ନିଜର ସେବା ଯୋଗାଣ ଅଞ୍ଚଳରେ ଉପଭୋକ୍ତା ମାନଙ୍କୁ ଭରସାଯୋଗ୍ୟ ବିଦ୍ୟୁତ ସେବା ଯୋଗାଇଦେବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ଏହି ସବ୍-ଷ୍ଟୋର କୁ ଟିପିସିଓଡିଏଲର ମୁଖ୍ୟ ପରିଚାଳନା ଅଧିକାରୀ (ସିଓଓ) ଶ୍ରୀ ଦୁଷ୍ୟନ୍ତ କୁମାର ତ୍ୟାଗୀ କମ୍ପାନୀର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନଙ୍କ ଉପସ୍ଥିତିରେ ଉଦଘାଟନ କରିଥିଲେ। ଏହି ଅବସରରେ ସେ ଫିତା କାଟିବା ସହ ଉଦଘାଟନୀ ଫଳକକୁ ଉନ୍ମୋଚନ କରି ଆନୁଷ୍ଠାନିକ ଭାବେ ଏହି ସବ୍-ଷ୍ଟୋରକୁ ଲୋକାର୍ପିତ କରିଥିଲେ।

ପାରାଦ୍ବୀପ ସର୍କଲର ବିଦ୍ୟୁତ ବିତରଣ ବ୍ୟବସ୍ଥାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଏହି କେନ୍ଦ୍ରାପଡ଼ା ବୈଦ୍ୟୁତିକ ସବ୍-ଷ୍ଟୋରକୁ ପ୍ରତିଷ୍ଠା କରାଯାଇଛି। ବାତ୍ୟା, ଝଡ଼ ଏବଂ କାଳବୈଶାଖୀ ଭଳି ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ଜରୁରୀ ପରିସ୍ଥିତିରେ ବିଦ୍ୟୁତ ସେବାକୁ ତୁରନ୍ତ ସ୍ୱାଭାବିକ କରିବାରେ ଏହି କେନ୍ଦ୍ର ପ୍ରମୁଖ ଭୂମିକା ଗ୍ରହଣ କରିବ। ଅତି କମ୍ ସମୟ ମଧ୍ୟରେ ୫୦ ରୁ ୬୦ଟି ଟ୍ରାନ୍ସଫର୍ମର ସ୍ଥାନାନ୍ତର କରିବା କିମ୍ବା ବଦଳାଇବା କ୍ଷମତା ଏହି ଷ୍ଟୋରର ରହିଛି, ଯାହାଦ୍ୱାରା ବିଦ୍ୟୁତ କାଟ୍ ଅବଧି ହ୍ରାସ ପାଇବ ଏବଂ ଉପଭୋକ୍ତାଙ୍କ ସମସ୍ୟାର ଦ୍ରୁତ ସମାଧାନ କରାଯାଇପାରିବ।

ଏହି ନୂତନ ପଦକ୍ଷେପ ଦ୍ୱାରା ବିଦ୍ୟୁତ ସେବା ପରିଚାଳନା କ୍ଷେତ୍ରରେ ଅଧିକ ଦକ୍ଷତା ଆସିବ ଏବଂ ବୈଦ୍ୟୁତିକ ସରଞ୍ଜାମଗୁଡ଼ିକର ରକ୍ଷଣାବେକ୍ଷଣ ସହଜ ହେବ। ଫଳରେ ସ୍ଥାନୀୟ ଅଞ୍ଚଳର ଉପଭୋକ୍ତାମାନେ ସେମାନଙ୍କର ବିଦ୍ୟୁତ ସମ୍ବନ୍ଧୀୟ ସମସ୍ୟାର ତୁରନ୍ତ ସମାଧାନ ପାଇପାରିବେ। ଏହାଦ୍ୱାରା ହଜାର ହଜାର ଉପଭୋକ୍ତା ଉପକୃତ ହେବେ ଏବଂ ବିଦ୍ୟୁତ ବିଭ୍ରାଟ କମିବା ସହିତ ଏକ ଅଧିକ ବିଶ୍ୱସନୀୟ ସେବା ଉପଲବ୍ଧ ହୋଇପାରିବ।

ଟିପିସିଓଡିଏଲ୍‌ର ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ଉପଭୋକ୍ତାମାନଙ୍କୁ ନିରବଚ୍ଛିନ୍ନ ତଥା ଉନ୍ନତ ବିଦ୍ୟୁତ ସେବା ଯୋଗାଇଦେବାର ଯେଉଁ ନିରନ୍ତର ଲକ୍ଷ୍ୟ ରହିଛି, ଏହି ପଦକ୍ଷେପ ତାହାର ଏକ ପ୍ରତିଫଳନ। କେନ୍ଦ୍ରାପଡ଼ା ସବ୍-ଷ୍ଟୋରର ସଫଳ ଶୁଭାରମ୍ଭ ସଂସ୍ଥାର ନିଷ୍ଠା, ଦଳଗତ କାର୍ଯ୍ୟ ଏବଂ ଉପଭୋକ୍ତାମାନଙ୍କୁ ସର୍ବୋତ୍ତମ ସେବା ପ୍ରଦାନ କରିବାର ଦୂରଦୃଷ୍ଟିକୁ ପ୍ରମାଣିତ କରୁଛି।


Share It

Comments are closed.