ଚେତକ ସ୍କ୍ରିନ୍ ଆୱାର୍ଡସ୍‌ର ମୁଖ୍ୟ ସମାରୋହ ଏପ୍ରିଲ୍ ୫ରେ: ୨୪ ମନୋନୟନ ସହ ଧୂରନ୍ଧର ଆଗରେ, ସେୟାରା ଓ ହୋମବାଉଣ୍ଡ ବି ଏକାଧିକ ବର୍ଗରେ ମନୋନୀତ

Share It

ଭୁବନେଶ୍ୱର: ଇଣ୍ଡିଆନ ଏକ୍ସପ୍ରେସ୍ ଗ୍ରୁପ୍‌ର ସ୍କ୍ରିନ ଏକାଡେମି ପକ୍ଷରୁ ଆସନ୍ତା ଏପ୍ରିଲ୍ ୫ରେ ଅନୁଷ୍ଠିତ ହେବାକୁ ଥିବା ଚେତକ ସ୍କ୍ରିନ ଆୱାର୍ଡସ୍‌ର ୩୧ଟି ବର୍ଗରେ ସମ୍ପୂର୍ଣ୍ଣ ମନୋନୟନ ତାଲିକା ଘୋଷଣା କରାଯାଇଛି। ୨୦୨୫ର ଶ୍ରେଷ୍ଠ ହିନ୍ଦୀ ସିନେମା ଓ ଓଟିଟି ପ୍ରସାରିତ ବିଭିନ୍ନ ବର୍ଗରେ ପୁରସ୍କାର ପ୍ରଦାନ କରାଯିବ।
ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ଗୁଇନ୍ଦା ରୋମାଂଚଭରା ସିନେମା ଧୂୁରନ୍ଧର ସର୍ବାଧିକ ୨୪ଟି ବର୍ଗରେ ମନୋନୀତ ହୋଇଥିବା ବେଳେ ମୋହିତ ସୁରୀଙ୍କ ସେୟାରା ୧୭ଟି ବର୍ଗରେ ଓ ନୀରଜ ଘେୱାନଙ୍କ ହୋମବାଉଣ୍ଡ ୧୫ଟି ବର୍ଗରେ ମନୋନୀତ ହୋଇଛି। ଉଭୟ ସିନେମା ହଲ ଓ ଓଟିଟି ରିଲିଜକୁ ଏହି ପୁରସ୍କାର ପାଇଁ ବିଚାରକୁ ନିଆଯାଇଛି।
୧୯୯୫ରେ ପ୍ରତିଷ୍ଠା ହୋଇଥିବା ସ୍କ୍ରିନ ଆୱାର୍ଡସ୍ ସ୍କ୍ରିନ ଏକାଡେମି ଦ୍ୱାରା ପରିଚାଳିତ ହେଉଛି। ତାହା ହେଉଛି ୫୦ ଜଣ ବିଶିଷ୍ଟ ସିନେମା ନିର୍ମାତା, କଳାକାର ଓ ସାଂସ୍କୃତିକ ସ୍ୱରକୁ ନେଇ ଗଠନ କରାଯାଇଥିବା ଏକ ଅଣ ଲାଭଦାୟକ ସଂସ୍ଥା। ଏକାଡେମିର ୯୫ ପ୍ରତିଶତରୁ ଅଧିକ ସଦସ୍ୟ ମନୋନୟନଗୁଡ଼ିକୁ ଅନୁଶୀଳନ କରିବା ପ୍ରକ୍ରିୟାରେ ଭାଗ ନେଇଥାନ୍ତି। ସ୍ୱଚ୍ଛତା ଓ ସଚ୍ଚୋଟତା ବଜାୟ ରଖିବାକୁ ଅଲିମ୍ପିକ ପଦ୍ଧତିରେ ସ୍କୋର ପ୍ରଦାନ କରାଯାଇଥାଏ। ପ୍ରତି ବର୍ଗ ପାଇଁ ୩୮-୪୦ ସଦସ୍ୟ ହାରାହାରି ଭାବେ ସ୍କୋର ପ୍ରଦାନ କରିଥାନ୍ତି।
ଏହି ପ୍ରକ୍ରିୟାକୁ ଆହୁରି ସୁଦୃଢ଼ କରିବା ପାଇଁ ୟୁନିଭର୍ସିଟି ଅଫ୍ ସଦର୍ଣ୍ଣ କାଲିଫର୍ଣ୍ଣିଆର ସ୍କୁଲ ଅଫ ସିନେମାଟିକ୍ ଆର୍ଟସ୍‌ର ସିନେମା ଓ ମିଡିଆ ଷ୍ଟଡିଜ୍‌ର ଅଧ୍ୟକ୍ଷ ପ୍ରଫେସର ପ୍ରିୟା ଜୟକୁମାରଙ୍କ ଦ୍ୱାରା ଏକାଡେମି ସଦସ୍ୟଙ୍କ ପାଇଁ ସ୍କୋରିଂ ରୁବିକ୍ ବିକାଶ କରାଯାଇଛି।
୨୦ ବର୍ଷରେ ପ୍ରଥମ ଥର ପାଇଁ ଏକ ସିନେମା ଆୱାର୍ଡ ସମାରୋହର ସିଧା ପ୍ରସାରଣ କରାଯିବ। ସେଥିପାଇଁ ୟୁଟ୍ୟୁବ ସହ ସହଯୋଗିତା କରାଯାଇଛି। ଇଣ୍ଡିଆନ ଏକ୍ସପ୍ରେସ ଗ୍ରୁପର ଡିଜିଟାଲ ପ୍ରଥମ ଆଭିମୁଖ୍ୟକୁ ନେଇ ୟୁଟ୍ୟୁବ ପକ୍ଷରୁ ସ୍କ୍ରିନ ଆୱାର୍ଡସକୁ ବିଶ୍ୱର ଦର୍ଶକଙ୍କ ସମ୍ମୁଖରେ ଉପସ୍ଥାପନ କରାଯିବ। ସୋନି ଏଂଟରଟେନମେଂଟ ଟେଲିଭିଜନ ଓ ସୋନି ଲିଭ ଆପ୍ ଜରିଆରେ ମଧ୍ୟ ଏହାର ସିଧା ପ୍ରସାରଣ କରାଯିବ।


Share It

Comments are closed.