ବିର୍ଲା ଗ୍ଲୋବାଲ୍ ୟୁନିଭର୍ସିଟି ପକ୍ଷରୁ କମ୍ୟୁନିକେସନ ମ୍ୟାନେଜମେଣ୍ଟ ବିଷୟବସ୍ତୁ ଅଧାରିତ ଜାତୀୟ ସମ୍ମିଳନୀ ଆୟୋଜିତ
ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ୍ ୟୁନିଭର୍ସିଟି ଓ ଆଡଫ୍ୟାକ୍ଟର୍ସ ପିଆର ମିଳିତ ସହଯୋଗରେ “ରିଇମାଜିନିଙ୍ଗ୍ କମ୍ୟୁନିକେସନ ମ୍ୟାନେଜମେଣ୍ଟ ଇନ୍ ଏ ଡାଟା-ଡ୍ରିଭେନ୍, ପ୍ଲାଟଫର୍ମ ଇକୋନୋମି’ ଶୀର୍ଷକକୁ ନେଇ ମାର୍ଚ୍ଚ ୧୯ ଏବଂ ୨୦, ୨୦୨୬ ଦୁଇ ଦିନିଆ ଜାତୀୟ ସମ୍ମିଳନୀ ଆୟୋଜିତ ହୋଇଯାଇଛି।
ସମ୍ମିଳନୀରେ ଆଡଫ୍ୟାକ୍ଟର୍ସ ପିଆରର ନିର୍ଦ୍ଦେଶକ ଡ଼. ସମୀର କପୁର ମୁଖ୍ୟ ଅତିଥି ଏବଂ ଆଇଆଇଏମ କୋଝିକୋଡ୍ର ହ୍ୟୁମାନିଟିଜ୍ ଏଣ୍ଡ୍ ଲିବରାଲ୍ ଆର୍ଟସ ବିଭାଗର ସହଯୋଗୀ ପ୍ରଫେସର ଡ଼. ଅନୁପମ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବିର୍ଲା ଗ୍ଲୋବାଲ୍ ୟୁନିଭର୍ସିଟିର କୁଳପତି ପ୍ରଫେସର କୁଳଭୂଷଣ ବାଲୁନୀ କାର୍ଯ୍ୟକ୍ରମରେ ଯୋଗଦେଇ ସଭାକୁ ସମ୍ବୋଧିତ କରିଥିଲେ।
ନିଜର ଅଭିଭାଷଣରେ ଡ଼. ଅନୁପମ ଦାସ, ବ୍ୟକ୍ତିଗତ ଏବଂ ପୂର୍ବାନୁମାନ ଭିତ୍ତିକ ଯୋଗାଯୋଗକୁ ସକ୍ଷମ କରିବାରେ ତଥ୍ୟର ଗୁରୁତ୍ବ ସମ୍ପର୍କରେ ଆଲୋଚନା କରିଥିଲେ। ଏଥିସହ ସୂଚନାର ବହୁଳତା ନିଷ୍ପତ୍ତି ଗ୍ରହଣ କରିବାରେ କିପରି ଦ୍ବନ୍ଦ ସୃଷ୍ଟି କରିଥାଏ, ସେଥିପ୍ରତି ସତର୍କ କରାଇଥିଲେ। ଡ଼. ସମୀର କପୁର କୃତ୍ରିମ ବୁଦ୍ଧିମତା ଦ୍ବାରା ପରିଚାଳିତ ସଂଳାପ-ଭିତ୍ତିକ ଯୋଗାଯୋଗର ଅଭ୍ୟୁଦୟ ଉପରେ ଗୁରୁତ୍ୱାରୋପ କରି ସୂଚାଇଥିଲେ ଯେ, ବର୍ତ୍ତମାନ ଦ୍ରୁତ ପରିବେଷଣ ଅପେକ୍ଷା ସଠିକତା ଏବଂ ବିଶ୍ୱାସନୀୟତା ଅଧିକ ଜରୁରୀ। ପ୍ରଫେସର ବାଲୁନି ସୋସିଆଲ ମିଡିଆ ଯୁଗରେ ଜ୍ଞାନ ସମ୍ବଳିତ ଯୋଗାଯୋଗର ଆବଶ୍ୟକତା ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ।
ସମ୍ମିଳନୀର ଅନ୍ୟତମ ମୁଖ୍ୟ ଆକର୍ଷଣ ଭାବେ ‘ଏମବିଏ ଇନ୍ କମ୍ୟୁନିକେସନ ମ୍ୟାନେଜମେଣ୍ଟ’ ପାଠ୍ୟକ୍ରମର ଶୁଭାରମ୍ଭ ହୋଇଥିଲା।
ପ୍ରଥମ ଦିନରେ ସାମ୍ପ୍ରତିକ ଯୋଗାଯୋଗ ଆହ୍ୱାନଗୁଡ଼ିକ ଉପରେ ଦୁଇଟି ପ୍ୟାନେଲ୍ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ପ୍ରଥମ ପ୍ୟାନେଲ୍ ପରିବର୍ତ୍ତନଶୀଳ ମିଡିଆ ପରିବେଶରେ ପ୍ରତିଷ୍ଠା, ବିପଦ ପରିଚାଳନା ଏବଂ ଅଂଶୀଦାରମାନଙ୍କ ସହ ସମ୍ପର୍କ ଉପରେ କେନ୍ଦ୍ରିତ ଥିଲା। ଦ୍ୱିତୀୟ ପ୍ୟାନେଲ୍ ଆଲୋଚନା “ଏଆଇ, ଡାଟା ଏବଂ ଡାୟଲଗ୍: ଯୋଗାଯୋଗର ଭବିଷ୍ୟତ’ ବିଷୟବସ୍ତୁ ଉପରେ ଆଧାରିତ ଥିଲା।
ଦ୍ୱିତୀୟ ଦିନରେ, ସମ୍ମିଳନୀ ସମ୍ବନ୍ଧିତ ଗବେଷଣା ପତ୍ର ଉପସ୍ଥାପନ ହୋଇଥିଲା, ଯାହା ଶିକ୍ଷାବିତ୍ମାନଙ୍କୁ ଯୋଗାଯୋଗ ଏବଂ ଗଣମାଧ୍ୟମ ଅଧ୍ୟୟନର ନୂତନ ଧାରା ଉପରେ ନିଜର ମତ ରଖିବା ପାଇଁ ଏକ ମଞ୍ଚ ପ୍ରଦାନ କରିଛି।

Comments are closed.