ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ମେରାମଣ୍ଡଳୀଠାରେ ଅରୁଣିମାର ତୃତୀୟ ସଂସ୍କରଣ ଆୟୋଜିତ

Share It

ଢେଙ୍କାନାଳ, ୧୩. ୩.୨୦୨୬: ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ମେରାମଣ୍ଡଳୀଠାରେ ମହିଳା ଉଦ୍ୟୋଗୀ, ଯୁବପିଢ଼ି ଏବଂ କିଶୋରମାନଙ୍କ ମଧ୍ୟରେ ନେତୃତ୍ୱ ଓ ବ୍ୟକ୍ତିତ୍ୱର ବିକାଶ କରିବା ଲକ୍ଷ୍ୟରେ ‘ଅରୁଣିମା’ର ତୃତୀୟ ସଂସ୍କରଣ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଶେଷଜ୍ଞ, ବିଭିନ୍ନ ଗୋଷ୍ଠୀର ନେତୃବୃନ୍ଦ ଏବଂ ଉତ୍ସାହୀ ସହଭାଗୀମାନେ ଏକତ୍ରିତ ହୋଇ ସଶକ୍ତିକରଣ ଏବଂ ସ୍ଥାୟୀ ବିକାଶ କ୍ଷେତ୍ରରେ ନୂତନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଆୟୋଜିତ ବିଭିନ୍ନ ତଥ୍ୟଭିତ୍ତିକ ଅଧିବେଶନ, ଆଲୋଚନା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗୀକରଣ, ସଶକ୍ତିକରଣ ଏବଂ ସ୍ଥାୟୀ ସାମୁଦାୟିକ ବିକାଶ ମଧ୍ୟରେ ଥିବା ସମ୍ପର୍କକୁ ଗୁରୁତ୍ୱାରୋପ କରାଯାଇଥିଲା।
ଏହି ସମାରୋହରେ ଆଇଏସ୍ ଭଗତ ସମଲ କଲ୍ୟାଣରାଓ, ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ସମବାୟ ସମିତି ସମୂହର ଡେପୁଟି ରେଜିଷ୍ଟ୍ରାର (ଡିଆରସିଏସ) ଉମାଶଙ୍କର ଦାସ, ଟାଟା ଷ୍ଟିଲ୍ ମିଲ୍ସ ଆଣ୍ଡ ଡାଉନଷ୍ଟ୍ରିମ୍ ଚିଫ୍ କପିଲ ମୋଦୀ, ଟାଟା ଷ୍ଟିଲ ମେରାମଣ୍ଡଳୀର ଚିଫ୍ ସିକ୍ୟୁରିଟି ପ୍ରକାଶ ସଞ୍ଜୟ ଓ ଟାଟା ଷ୍ଟିଲ୍ ମେରାମଣ୍ଡଳୀର ସିଏଚଆରଓ ପ୍ରଶାନ୍ତ କୁମାର ନନ୍ଦ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅତିଥିମାନେ ନିଜ ଅଭିଭାଷଣରେ ମହିଳାମାନଙ୍କ ସାମାଜିକ ଓ ଅର୍ଥନୈତିକ ସଶକ୍ତିକରଣ କ୍ଷେତ୍ରରେ ସମବାୟ ଅନୁଷ୍ଠାନଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ।
କାର୍ଯ୍ୟକ୍ରମରେ ସ୍ଥାନୀୟ ଗୃହଲକ୍ଷ୍ମୀ ସମବାୟ ସମିତିର ପ୍ରାୟ ୨୫୦ ଜଣ ମହିଳା ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ସମବାୟ ସମିତିର ବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ସଭାପତି ଏବଂ ନିର୍ଦ୍ଦେଶକ ମଣ୍ଡଳୀ ସମିତିର ପ୍ରତିଷ୍ଠା ପରଠାରୁ ହାସଲ କରିଥିବା ଲକ୍ଷ୍ୟ ଓ ସଫଳତା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ଗୋଷ୍ଠୀର ବିକାଶ ତଥା ମହିଳା ସଶକ୍ତିକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସୀମାରାଣୀ ପୃଷ୍ଟି, ସ୍ମିତା ବିଶ୍ୱାଳ, ରଶ୍ମିତା ସାହୁ ଏବଂ ସୁଭଦ୍ରା ନାୟକଙ୍କୁ ‘ମହିଳା ଚେଞ୍ଜମେକର’ ଭାବେ ସମ୍ମାନିତ କରାଯାଇଥିଲା। ସେମାନେ ନିଜର ସଂଘର୍ଷ ଓ ସଫଳତାର ଅନୁଭୂତି ବାଣ୍ଟିଥିଲେ।
ଶିକ୍ଷା କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ସ୍ଥାନୀୟ ଅଞ୍ଚଳର ଅନୁସୂଚିତ ଜାତି ଓ ଜନଜାତି ସମ୍ପ୍ରଦାୟର ୨୧୧ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଏହି ଅବସରରେ ‘ଜ୍ୟୋତି ଫେଲୋସିପ୍’ ବୃତ୍ତି ପ୍ରଦାନ କରାଯାଇଥିଲା। ଏଥିସହ ସ୍ଥାନୀୟ ଅଞ୍ଚଳର ସଫଳ ଯୁବକଯୁବତୀ ଏବଂ କ୍ରୀଡ଼ାବିତ୍‌ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଯୁବଗୋଷ୍ଠୀଙ୍କ ଦ୍ୱାରା ସାଂସ୍କୃତିକ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଆଲୋଚନା ଚକ୍ରରେ ବିଭିନ୍ନ ସମୁଦାୟର ସଦସ୍ୟ, ସରକାରୀ ପ୍ରତିନିଧି ଏବଂ ବିଶେଷଜ୍ଞମାନେ ସାମିଲ ହୋଇଥିଲେ।
ଟାଟା ଷ୍ଟିଲ୍ ଫାଉଣ୍ଡେସନ ‘ଅରୁଣିମା’ ମାଧ୍ୟମରେ ମହିଳା ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବା, ଯୁବ ପ୍ରତିଭାକୁ ପ୍ରୋତ୍ସାହିତ କରିବା ଏବଂ ଗୋଷ୍ଠୀଭିତ୍ତିକ ବିକାଶକୁ ସମର୍ଥନ କରିବା ପାଇଁ ଏକ ଅନ୍ତର୍ଭୁକ୍ତିକରଣ ପ୍ଲାଟଫର୍ମ ପ୍ରସ୍ତୁତ କରିବା ଦିଗରେ ନିଜର ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇଛି।


Share It

Comments are closed.