ବିର୍ଲା ଗ୍ଲୋବାଲ୍ ୟୁନିଭର୍ସିଟି ପକ୍ଷରୁ ଆଇଆଇଟି ଭୁବନେଶ୍ୱର ଓ ଏନଏସଇ ସହଯୋଗରେ ଜାତୀୟ ସମ୍ମିଳନୀ ଆୟୋଜିତ

Share It

– ୫୦ରୁ ଅଧିକ ସମୀକ୍ଷିତ ଗବେଷଣା ପତ୍ର ପରିବେଷିତ; ପ୍ରଯୁକ୍ତି, ଅର୍ଥବ୍ୟବସ୍ଥା ଓ କୃତ୍ରିମ ବୁଦ୍ଧିମତ୍ତା ଉପରେ ଗଭୀର ମନ୍ଥନ

ଭୁବନେଶ୍ୱର : ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି (ବିଜିୟୁ) ପକ୍ଷରୁ “ପ୍ରଯୁକ୍ତି, ଅର୍ଥବ୍ୟବସ୍ଥା ଓ କୃତ୍ରିମ ବୁଦ୍ଧିମତ୍ତା: ଦ୍ରୁତ ଆର୍ଥକ ବିକାଶର ପ୍ରେରକ” ବିଷୟକୁ ନେଇ ଦୁଇଦିନିଆ ଜାତୀୟ ସମ୍ମିଳନୀ ଆୟୋଜିତ ହୋଇଛି। ବିର୍ଲା ସ୍କୁଲ ଅଫ ଇକନୋମିକ୍ସ ଦ୍ୱାରା ଆୟୋଜିତ ଏହି ସମ୍ମିଳନୀଟି ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ଟେକନୋଲୋଜି ଭୁବନେଶ୍ୱରର ସ୍କୁଲ୍ ଅଫ ହ୍ୟୁମାନିଟିଜ୍‌, ସୋସିଆଲ ସାଇନ୍ସ ଏଣ୍ଡ୍ ମ୍ୟାନେଜମେଣ୍ଟ ଓ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନଏସଇ) ସହଯୋଗରେ ସଫଳତାର ସହ ଅନୁଷ୍ଠିତ ହୋଇଥିଲା।

ସମ୍ମିଳନୀରେ ନୀତିନିର୍ଦ୍ଧାରକ, ନିୟାମକ ସଂସ୍ଥାର ପ୍ରତିନିଧି, ଶିଳ୍ପ ନେତୃତ୍ୱ ଓ ଶିକ୍ଷାବିତମାନେ ଭାରତର ଡିଜିଟାଲ ଅର୍ଥନୀତିର ପରିବର୍ତ୍ତନଶୀଳ ଭିତ୍ତିକୁ ନେଇ ଗଭୀର ଆଲୋଚନା କରିଥିଲେ। କୃତ୍ରିମ ବୁଦ୍ଧିମତ୍ତା (ଏଆଇ), ଫିନଟେକ୍ ନବୀନତା ଓ ଉନ୍ନତ ଡିଜିଟାଲ ପ୍ରଣାଳୀ କିପରି ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ପୁନଃର୍ନିର୍ମାଣ କରୁଛି ଓ ସ୍ଥାୟୀ ଏବଂ ସମାବେଶୀ ବିକାଶ ପାଇଁ ନୂତନ ମାର୍ଗ ଉନ୍ମଚନ କରୁଛି, ସେହି ଦିଗରେ ବ୍ୟାପକ ଆଲୋଚନା ହୋଇଥିଲା।

ଏଆଇ-ଆଧାରିତ ପ୍ରଯୁକ୍ତି, ଫିନଟେକ୍ ଇକୋସିଷ୍ଟମ୍ ଓ ଉନ୍ନତ ତଥ୍ୟ ବିଶ୍ଳେଷଣ ମାଧ୍ୟମରେ କିପରି ଆମେ ଅର୍ଥବ୍ୟବସ୍ଥାର ଢାଞ୍ଚାକୁ ସୁଦୃଢ, ନିୟମକ ପ୍ରଣାଳୀକୁ ସଶକ୍ତ ଓ ସମାବେଶୀ ଆର୍ଥକ ବିକାଶକୁ ତ୍ୱରାନ୍ୱିତ କରିପାରିବ, ତାହା ଏହି ସମ୍ମିଳନୀର ପ୍ରଧାନ ଉଦ୍ଦେଶ୍ୟ ଥିଲା। ପୁଞ୍ଜି ବଜାର, ନିୟାମକ ନିରୀକ୍ଷଣ, ଆର୍ଥକ ଅନ୍ତର୍ଭୁକ୍ତି ଓ ମାକ୍ରୋ-ଇକୋନୋମିକ ମଡେଲିଙ୍ଗରେ ଏଆଇର ବ୍ୟବହାରିକ ପ୍ରୟୋଗ ଉପରେ ମଧ୍ୟ ଗଭୀର ମନ୍ଥନ ହୋଇଥିଲା। ଡିଜିଟାଲ ଅର୍ଥନୀତିର ଦ୍ରୁତ ବିକାଶ ପରିପ୍ରେକ୍ଷୀରେ ପାରଦର୍ଶିତା, ସାଇବର ସୁରକ୍ଷା ଓ ପ୍ରଣାଳୀଗତ ସ୍ଥିରତା ସୁନିଶ୍ଚିତ କରିବାକୁ ଆବଶ୍ୟକ ନୀତିଗତ ପଦକ୍ଷେପ ଉପରେ ମତବିନିମୟ ହୋଇଥିଲା।

ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନ, ଉଚ୍ଚସ୍ତରୀୟ ପ୍ୟାନେଲ ଆଲୋଚନା ଓ ବିଭିନ୍ନ ପ୍ରୟୋଗିକ ଅଧିବେଶନ ଆୟୋଜିତ ହୋଇଥିଲା। “ଭବିଷ୍ୟତ ଅର୍ଥନୈତିକ ଅଭିବୃଦ୍ଧି: ପ୍ରଯୁକ୍ତି, ଅର୍ଥବ୍ୟବସ୍ଥା ଓ ଏଆଇ ମାଧ୍ୟମରେ ବିକାଶ” ଶୀର୍ଷକ ଆଲୋଚନା ହୋଇଥିଲା। ଯେଉଁଥିରେ ଏଆଇ-ଆଧାରିତ ନିୟାମକ, ନୂତନ ଗବେଷଣା ପାଇଁ ପରିବେଶ ଓ ଭବିଷ୍ୟତ୍‌-ପ୍ରସ୍ତୁତ ଡିଜିଟାଲ ଅର୍ଥନୀତି ପାଇଁ ନୀତିଗତ ପ୍ରସ୍ତୁତି ଉପରେ ଚର୍ଚ୍ଚା ହୋଇଥିଲା।

ସମ୍ମିଳନୀରେ ବିଶିଷ୍ଟ ଅତିଥିମାନଙ୍କ ମଧ୍ୟରେ ମନୋଜ ପଣ୍ଡା, ଷୋଡ଼ଶ ଅର୍ଥ କମିଶନର ପୂର୍ଣ୍ଣକାଳୀନ ସଦସ୍ୟ; ଡ଼. ତୀର୍ଥଙ୍କର ପଟ୍ଟନାୟକ, ମୁଖ୍ୟ ଅର୍ଥଶାସ୍ତ୍ରୀ, ଏନଏସଇ; ଶ୍ରୀ ଏମ୍‌. ରାମାୟା, ପରାମର୍ଶଦାତା, ଅର୍ଥନୀତି ଓ ନୀତି ଅନୁସନ୍ଧାନ ବିଭାଗ, ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଆରବିଆଇ); ଏବଂ ଶ୍ରୀ ଜୈନେନ୍ଦ୍ର ଶାଣ୍ଡିଲ୍ୟ, ଉପମହାପ୍ରବନ୍ଧକ, ଭାରତୀୟ ପ୍ରତିଭୂତି ଏବଂ ନିୟାମକ ବୋର୍ଡ଼ (ସେବି) ଉପସ୍ଥିତ ଥିଲେ।

ଶିକ୍ଷାକ୍ଷେତ୍ରରୁ ଡ଼. ବି. କେ. ଦାସ, ରେଜିଷ୍ଟ୍ରାର, ବିଜିୟୁ; ଡ଼. ନରେଶ ଚନ୍ଦ୍ର ସାହୁ (ଆଇଆଇଟି ଭୁବନେଶ୍ୱର, ସମ୍ମିଳନୀ ସଂଯୋଜକ); ପ୍ରଫେସର ମିତାଳୀ ଚିନାରା (ଉତ୍କଳ ବିଶ୍ୱବିଦ୍ୟାଳୟ); ପ୍ରଫେସର ଅରୁଣ କୁମାର ଗିରି (ବିଟ୍ସ ପିଲାନି); ପ୍ରଫେସର ସନ୍ତୋଷ ତରାଇ (ନ୍ୟାସନାଲ ଇନ୍‌ସ୍ଟିଟ୍ୟୁଟ ଅଫ ଫ୍ୟାଶନ ଟେକ୍ନୋଲୋଜି, ଭୁବନେଶ୍ୱର); ପ୍ରଫେସର ସର୍ବନାରାୟଣ ମିଶ୍ର (ଓୟୁଏଟି) ଓ ପ୍ରଫେସର ପି. କେ. ସାନ୍ୟାଲ, ଡିନ୍‌, ସ୍କୁଲ ଅଫ କମର୍ସ, ବିଜିୟୁ ମଧ୍ୟ ଉପସ୍ଥିତ ଥିଲେ।

ପ୍ୟାନେଲ ଆଲୋଚନାକୁ ଡ଼. ଅଜିତ କୁମାର ଦାଶ, ସହଯୋଗୀ ପ୍ରଫେସର (ଅର୍ଥନୀତି), ବିଜିୟୁ ସଂଚାଳନ କରିଥିଲେ।

ଏହି ଅବସରରେ ବିଜିୟୁର କୁଲପତି ପ୍ରଫେସର କୁଳଭୂଷଣ ବଲୁନୀ କହିଥିଲେ, “ପ୍ରଯୁକ୍ତି, ଅର୍ଥବ୍ୟବସ୍ଥା ଓ କୃତ୍ରିମ ବୁଦ୍ଧିମତ୍ତାର ସମନ୍ୱୟ ଆର୍ଥକ ବିକାଶର ଭିତ୍ତିକୁ ସୁଦୃଢ଼ କରୁଛି। ଏପରି ଜାତୀୟ ସମ୍ମିଳନୀ ନୀତିନିର୍ଦ୍ଧାରକ, ନିୟାମକ ଓ ଗବେଷକମାନଙ୍କ ମଧ୍ୟରେ ପ୍ରମାଣାଧାରିତ ସଂଳାପ ଓ ସହଯୋଗୀ ଚିନ୍ତନକୁ ପ୍ରୋତ୍ସାହିତ କରେ। ଗବେଷଣାମୂଳକ ଦୃଷ୍ଟିକୋଣ, ଦାୟିତ୍ୱଶୀଳ ନବୀନତା ଓ ପ୍ରତିଷ୍ଠାନଗତ ସହଯୋଗ ମାଧ୍ୟମରେ ଆମେ ଏକ ସୁଦୃଢ ଓ ଭବିଷ୍ୟତ୍‌-ପ୍ରସ୍ତୁତ ଆର୍ଥକ ପରିବେଶ ଗଠନ ପାଇଁ ପ୍ରତିବଦ୍ଧ।”

ଏହି ଅବସରରେ ଦେଶର ବିଭିନ୍ନ ପ୍ରମୁଖ ସଂସ୍ଥାରୁ ୫୦ରୁ ଅଧିକ ସମୀକ୍ଷିତ ଗବେଷଣା ପତ୍ର ପରିବେଷିତ ହୋଇଥିଲା। ଏଥିରେ ମୁଖ୍ୟତଃ ଏଆଇ-ଆଧାରିତ ଅର୍ଥନୀତିକ ମଡେଲିଙ୍ଗ, ଫିନଟେକ୍ ନିୟାମକ, ଡିଜିଟାଲ ଆର୍ଥକ ସେବା ଓ ସ୍ଥାୟୀ ଆର୍ଥକ ବିକାଶ ଉପରେ ଗବେଷଣା ପତ୍ର ଉପସ୍ଥାପିତ ହୋଇଥିଲା। ଏଥିମଧ୍ୟରୁ ତିନିଟି ଶ୍ରେଷ୍ଠ ଗବେଷଣା ପତ୍ରକୁ ସମ୍ମାନିତ କରାଯାଇଥିଲା।

ଶିଳ୍ପ, ନିୟାମକ ସଂସ୍ଥା ଓ ଶିକ୍ଷାଜଗତ ମଧ୍ୟରେ ସାର୍ଥକ ସମ୍ପର୍କ ସୃଷ୍ଟି କରି ଗବେଷଣା, ନୀତି ନିର୍ଦ୍ଧାରଣ ଓ ପ୍ରୟୋଗ ମଧ୍ୟରେ ସେତୁ ସଦୃଶ ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି (ବିଜିୟୁ) ତାହାର ପ୍ରତିବଦ୍ଧତାକୁ ପୁନଃପରିଭାଷିତ କରୁଛି। ସମ୍ମିଳନୀର ଆଲୋଚନାର ସାରଂଶ ଭାବେ ସଚେତିତ ନୀତି ଗଠନ, ସଂସ୍ଥାଗତ ସହଯୋଗ ଓ ଦାୟିତ୍ୱଶୀଳ ପ୍ରଯୁକ୍ତି ବ୍ୟବହାର ମାଧ୍ୟମରେ ଭାରତର ଆର୍ଥକ ପରିବର୍ତ୍ତନକୁ ସମାବେଶୀ, ସୁଦୃଢ ଓ ଭବିଷ୍ୟତ୍ମୁଖୀ କରାଯାଇପାରିବ।


Share It

Comments are closed.