ଓଡ଼ିଶା ନାଭାଲ ଟାଟା ହକିର ୧୪ ବର୍ଷରୁ କମ୍ ବାଳକ ତୃଣମୂଳ ଟୁର୍ଣ୍ଣାମେଣ୍ଟ-୨୦୨୫ରେ ନୂଆଗାଁ ଏଚଟିସି ବିଜୟୀ

ଭୁବନେଶ୍ୱର, ୮/୧୧/୨୦୨୫- ଚତୁର୍ଥ ୧୪ ବର୍ଷରୁ କମ୍ ବୟସ ବାଳକ ଓଡ଼ିଶା ନାଭାଲ ଟାଟା ହକି ତୃଣମୂଳ ଟୁର୍ଣ୍ଣାମେଣ୍ଟ-୨୦୨୫ ଉଦଯାପିତ ହୋଇଛି। ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ପରିସରରେ ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ପୂର୍ବ ସଂସ୍କରଣର ଚାମ୍ପିୟନ ନୁଆଗାଁ ଏଚଟିସି ଚଳିତ ବର୍ଷ ଚାମ୍ପିୟନ ହୋଇଛି। ଗୁରୁଣ୍ଡିଆ ଏଚଟିସି(ହକି ଟ୍ରେନିଂ ସେଣ୍ଟର)କୁ ୩-୨ରେ ପରାସ୍ତ କରି ନୁଆଗାଁ ଏଚଟିସି ସ୍ୱର୍ଣ୍ଣ ପଦକ ହାସଲ କରିଛି। ଗୁରୁଣ୍ଡିଆ ଏଚଟିସି ରୌପ୍ୟ ପଦକ ହାସଲ କରିଛି। ବ୍ରୋଞ୍ଜ ପଦକ ପାଇଁ ହୋଇଥିବା ମ୍ୟାଚ୍‌ରେ ଲାଠିକଟା ଏଚଟିସି ଓ ସୁବଦେଗା ଏଚଟିସି ମଧ୍ୟରେ ପୂର୍ଣ୍ଣ ସମୟ ଶେଷରେ ୨-୨ରେ ମ୍ଯାଚ ଡ୍ର ରହିଥିଲା। ପେନାଲ୍ଟି ଶୁଟ୍ ଆଉଟରେ ଲାଠିକଟା ଏଚଟିସି ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ ଖେଳି ୩-୨ରେ ଜିତି ତୃତୀୟ ସ୍ଥାନ ହାସଲ କରିଛି। ଫାଇନାଲ୍ ମ୍ୟାଚ୍‌ରେ ନୁଆଗାଁ ଏଚଟିସି ଅସାଧାରଣ ଟିମ୍ ୱାର୍କ ପ୍ରଦର୍ଶନ କରି ଗୁରୁଣ୍ଡିଆ ଏଚଟିସିକୁ ୩-୨ରେ ହରାଇ ଚାମ୍ପିଅନଶିପ ଟ୍ରଫି ହାସଲ କରିବା ସହ ଏକ ସ୍ଥିର ଓ ଶକ୍ତିଶାଳୀ ଦଳ ଭାବେ ପୁଣିଥରେ ନିଜକୁ ପ୍ରତିପାଦିତ କରିଛି। ଗ୍ରାଣ୍ଡଫିନାଲେ ମ୍ଯାଚ ଆରମ୍ଭ ପୂର୍ବରୁ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ପରିସରରେ ସବୁ ଦଳର ଖେଳାଳିମାନେ ଜାତୀୟ ସଙ୍ଗୀତ ଗାନ କରିଥିଲେ। ସମାପନ ଉତ୍ସବରେ ଓଡ଼ିଶା ବିଧାନସଭାର ଉପ ବାଚସ୍ପତି ଭବାନୀ ଶଙ୍କର ଭୋଇ ମୂଖ୍ୟଅତିଥି, ଆରଆଇଟିଇଏସ୍ (ରେଲ ଇଣ୍ଡିଆ ଟେକନିକାଲ ଓ ଇକୋନୋମିକ ସର୍ଭିସ), ଇଣ୍ଡିପେନଡେଣ୍ଟ ଡ଼ାଇରେକ୍ଟର ପୂର୍ଣ୍ଣିମା କେର୍କେଟ୍ଟା, ସାମାଜିକ କର୍ମୀ ମଳୟ ମହାପାତ୍ର ଏବଂ ରାଉରକେଲା କ୍ରୀଡ଼ା ଉପ ନିର୍ଦ୍ଦେଶକ ସୁଦୀପ୍ତ କୁମାର ନାୟକ ସମେତ ବହୁ ବିଶିଷ୍ଟ ଅତିଥି ସାମିଲ ହୋଇଥିଲେ। ସେମାନେ ଯୁବ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇବା ସହ ପୁରସ୍କାର ପ୍ରଦାନ କରିଥିଲେ ଓ ସେମାନଙ୍କ ଉତ୍ସାହ ଓ ଅନୁଶାସନକୁ ପ୍ରଶଂସା କରିଥିଲେ। ୨୦୨୫ ଅକ୍ଟୋବର ୨୯ରେ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାର ସର୍ବୋତ୍ତମ ତୃଣମୂଳ ହକି ପ୍ରତିଭା ଅଂଶଗ୍ରହଣ କରିଥିଲେ। ଯାହା ଓଡ଼ିଶା ନାଭାଲ ଟାଟା ହକି ହାଇ ପରଫରମାନ୍ସ ସେଣ୍ଟର (ଓଏନଟିଏଚଏଚପିସି)ର ତୃଣମୂଳ ହକି ତାରକା ଗଢିବାର ଦୂରଦୃଷ୍ଟିକୁ ପ୍ରତିଫଳିତ କରୁଛି। ତୃଣମୂଳସ୍ତରରେ ହକିର ବିକାଶ ପାଇଁ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗର ନିରନ୍ତର ସମର୍ଥନ ପାଇଁ ଏଭଳି କରଜୟକ୍ରମ ସଫଳ ହୋଇପାରିଛି।

Share It


Share It

Comments are closed.