କ୍ରୀଡା ଓଡ଼ିଶା ନାଭାଲ ଟାଟା ହକି ହାଇ ପରଫରମାନ୍ସ ସେଣ୍ଟର କ୍ୟାଡେଟଙ୍କୁ ସିଆଇଏସଏଫ ଏବଂ ବିଏସଏଫରେ ନିଯୁକ୍ତି ଭୁବନେଶ୍ୱର, ୨୪/୧୦/୨୦୨୫: ହକି ଟର୍ଫ ହେଉଛି ଏଭଳି ଏକ ସ୍ଥାନ ଯେଉଁଠାରେ ସ୍ୱପ୍ନ ଜନ୍ମ ହୁଏ, ଶୃଙ୍ଖଳା ଗଢ଼ାଯାଏ ଓ ଚାମ୍ପିୟନ ତିଆରି ହୋଇଥାନ୍ତି। ଓଡ଼ିଶା ସରକାର ଓ ଟାଟା ଷ୍ଟିଲ ଏବଂ ଟାଟା ଟ୍ରଷ୍ଟର ମିଳିତ ଉଦ୍ୟମରେ ପରିଚାଳିତ ଓଡ଼ିଶା ନାଭାଲ ଟାଟା ହକି ହାଇ ପରଫରମାନ୍ସ ସେଂଟର (ଓଏନଟିଏଚଏଚପିସି)ର କ୍ୟାଡେଟମାନଙ୍କ ପାଇଁ ହକି ଖେଳ ପଡିଆ ଏବେ ରାଷ୍ଟ୍ରୀୟ ସେବାରେ ସାମିଲ ହେବାର ଲଞ୍ଚପ୍ୟାଡ ପାଲଟିଛି। ଗ୍ରାଉଣ୍ଡରୁ ହାସଲ କରିଥିବା ମୂଲ୍ୟବୋଧ, ନିଷ୍ଠା ଓ ଦଳଗତ କାର୍ୟ୍ୟ ଭଳି ଗୁଣ କ୍ରୀଡାବିତଙ୍କୁ ମାର୍ଜିତ କରିପାରିଛି। ଦେଶ ସୁରକ୍ଷା ବାହିନୀରେ ସାମିଲ ହୋଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଓଡ଼ିଶା ନାଭାଲ ଟାଟା ହକି ହାଇ ପରଫରମାନ୍ସ ସେଂଟରର କ୍ୟାଡ଼େଟ। ହକି ଗ୍ରାଉଣ୍ଡରୁ ବାହାରି ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (ସିଆଇଏସଏଫ)ରେ ନିଯୁକ୍ତି ପାଇଛନ୍ତି କ୍ୟାଡ଼େଟ ସୁରେଖା ବାହାଲା, ପ୍ରିୟଙ୍କା କୁଜୁର ଓ ପୂଜା ରାମଚୁରିଆ ଏବଂ ପୂର୍ବତନ କ୍ୟାଡେଟ ନାମସି ଜାରିକା। ସେହିପରି ପୂର୍ବତନ କ୍ୟାଡେଟ ଜସମାନ ମୁଣ୍ଡା ବର୍ଡର ସିକ୍ୟୁରିଟି ଫୋର୍ସ (ବିଏସଏଫ)ରେ ସାମିଲ ହୋଇଛନ୍ତି। ଓଏନଟିଏଚଏଚପିସିର କଠୋର ତାଲିମ କେବଳ ହକି ଦକ୍ଷତା ବୃଦ୍ଧି କରେ ନାହିଁ, ବରଂ ଏହା ଶୃଙ୍ଖଳା, ସହନଶୀଳତା, ମାନସିକ ଦୃଢ଼ତା ଏବଂ ନେତୃତ୍ୱନେବା ଗୁଣକୁ ସମୃଦ୍ଧ କରିଥାଏ। ଏହା କ୍ୟାଡେଟମାନଙ୍କୁ ଜାତୀୟ ସୁରକ୍ଷା ବାହିନୀର କଠୋର ମାନଦଣ୍ଡ ପୂରଣ କରିବାରେ ସହଯୋଗ କରିଛି। ସୁନ୍ଦରଗଡ଼ ଜିଲ୍ଲାର ଝାରବେଡ଼ା ଗାଁ ଗୋମାରଡ଼ିର ସୁରେଖା ବାହାଲା (ଷ୍ଟ୍ରାଇକର)। ସେ ୨୦୨୨ରେ ଓଏନଟିଏଚଏଚପିସିରେ ଯୋଗ ଦେଇଥିଲେ ଓ ସେ ୧୬ଟି ଟୁର୍ଣ୍ଣାମେଣ୍ଟରେ ୮୦ଟି ମ୍ୟାଚ ଖେଳି ୨ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ ଏବଂ ୩ଟି କାଂସ୍ୟ ପଦକ ଜିତିଛନ୍ତି। ୨୦୨୩ ଜୁନିୟର ରାଜ୍ୟ ଚାମ୍ପିୟନସିପ, ୨୦୨୫ ଆସ୍ମିତା ରାଜ୍ୟ ଲିଗ ଓ ୨୦୨୪ ନେଦରଲ୍ୟାଣ୍ଡସ ଟୁରରେ ଅନ୍ତର୍ଜାତୀୟ ଅଭିଜ୍ଞତା ରହିଥିବା ବେଳେ ଏବେ ସେ ସିଆଇଏସଏଫରେ ଯୋଗଦେଇଛନ୍ତି। ସେହିପରି, ସୁନ୍ଦରଗଡ଼ ଜିଲ୍ଲାର ଦାଲକିଝରଣ ଗାଁରୁ ଆସିଥିବା ଜଣେ ପ୍ରତିଭାବାନ ଡିଫେଣ୍ଡର ହେଉଛନ୍ତି ପ୍ରିୟଙ୍କା କୁଜୁର। ସେ ମଧ୍ୟ ସିଆଇଏସଏଫରେ ଯୋଗ ଦେଇଛନ୍ତି। ସେ ୨୦୨୪ ମାର୍ଚ୍ଚରେ ସାଇ ଏସଟିସି ସୁନ୍ଦରଗଡ଼ ମାଧ୍ୟମରେ ଓଏନଟିଏଚଏଚପିସିରେ ସାମିଲ ହୋଇଥିଲେ। ଖୁବ କମ ସମୟ ମଧ୍ୟରେ ସେ ଅନେକ ଉପଲବ୍ଧି ହାସଲ କରିଛନ୍ତି। ୨ଟି ସ୍ୱର୍ଣ୍ଣ, ୨ଟି ରୌପ୍ୟ ଏବଂ ୧ଟି କାଂସ୍ୟ ପଦକ ଜିତି ଓଏନଟିଏଚଏଚପିସି ପାଇଁ ଗର୍ବ ଆଣିଥିବା ବେଳେ ୨୦୨୪ ରାଜ୍ୟ ଚାମ୍ପିୟନସିପ, ୨୦୨୫ ଏଚଓଏ ଜୁନିୟର ରାଜ୍ୟ ଚାମ୍ପିୟନସିପ ଏବଂ ୨୦୨୪–୨୫ କେଆଇ ଜୁନିୟର ଡବ୍ଲ୍ୟୁଏଲ ଫାଇନାଲ ପର୍ୟ୍ୟାୟରେ ସେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ। ଅନ୍ୟଜଣେ ପ୍ରତିଭାବାନ କ୍ରୀଡାବିତ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲାର ଗୋମାରଡ଼ିହି ଗାଁ ଜୋଜୋପଡ଼ାର ପୂଜା ରାମଚୁରିଆ (ଡିଫେଣ୍ଡର)। ସେ ୨୦୧୯ରୁ ଅନେକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଡିଫେଣ୍ଡର ଭାବେ ଖେଲିଛନ୍ତି। ସେ ୨୨ଟି ଟୁର୍ନାମେଣ୍ଟରେ ୧୦୮ଟି ମ୍ୟାଚ ଖେଳି ୩ଟି ସ୍ୱର୍ଣ୍ଣ, ୩ଟି ରୌପ୍ୟ ଏବଂ ୪ଟି କାଂସ୍ୟ ପଦକ ଜିତିଛନ୍ତି। ୨୦୨୨ ଖେଲୋ ଇଣ୍ଡିଆ ୟୁଥ ଗେମ୍ସ , ୨୦୨୫ ୟୁ୨୧ ମହିଳା ଜାତୀୟ ଲିଗ ଏବଂ ୨୦୨୫ ଆସ୍ମିତା ରାଜ୍ୟ ଲିଗ ସହିତ ୨୦୨୪ ନେଦରଲ୍ୟାଣ୍ଡସ ଟୁରରେ ଅନ୍ତର୍ଜାତୀୟ ଅଭିଜ୍ଞତା ରହିଛି। ନିଜର ଯାତ୍ରା ସମ୍ପର୍କରେ ସୁରେଖା କହିଛନ୍ତି ଯେ, “ଏକ ଛୋଟ ଗାଁରୁ ଆସି ମୁଁ ଶିଖିଛି ଯେ, ଦୃଢ଼ ସଙ୍କଳ୍ପ ଏବଂ କଠୋର ପରିଶ୍ରମ ଯୋଗେ ଯେକୌଣସି ପ୍ରତିବନ୍ଧକକୁ ଅତିକ୍ରମ କରାଯାଇପାରେ। ପ୍ରତ୍ୟେକ ଅଭ୍ୟାସ ଓ ମ୍ୟାଚ ମୋତେ ଗଢ଼ିଛି। ସିଆଇଏସଏଫରେ ଯୋଗଦେବା ମୋର ଆକାଂକ୍ଷାକୁ ପୂରଣ କରିଛି।" ସେହିପରି ପ୍ରିୟଙ୍କା କୁଜୁର କହିଛନ୍ତି ଯେ, “ନାଭାଲ ଟାଟା ହକି ଏଚପିସି ମୋତେ ହକି ଖେଳ ସହ ଜୀବନରେ ଆହୁରି ଅଧିକ କିଛି କରିବା ପାଇଁ ପ୍ରସ୍ତୁତ କରିଛି। ଏହା ମୋତେ ଶୃଙ୍ଖଳା, ସାହସ ଓ ଦଳଗତ କାର୍ୟ୍ୟ ଶିଖାଇଛି। ସିଆଇଏସଏଫରେ ଯୋଗଦେବା ଏକ ଗର୍ବର ଯାତ୍ରା ଏବଂ ମୁଁ ମୋର ସର୍ବୋତ୍ତମ ଦେବା ପାଇଁ ଚେଷ୍ଟା କରିବି।" ଏହି କ୍ୟାଡେଟମାନଙ୍କ ସଫଳତା ହିଁ ତୃଣମୂଳସ୍ତରର ପ୍ରତିଭାକୁ ସମୃଦ୍ଧ କରିବା ଓ ସର୍ବାଙ୍ଗୀନ ବ୍ୟକ୍ତିତ୍ୱ ଗଢ଼ିବା ଦିଗରେ ଓଏନଟିଏଚଏଚପିସିର ମିଶନକୁ ଆହୁରି ସୁଦୃଢ କରିଛି। ଅଧ୍ୟବସାୟ ବଳରେ କିପରି ସ୍ୱପ୍ନକୁ ବାସ୍ତବତାରେ ପରିଣତ କରିହେବ ତାହାର ଶକ୍ତିଶାଳୀ ଉଦାହରଣ ହେଉଛି ଓଏନଟିଏଚଏଚପିସି କ୍ୟାଡ଼େଟମାନଙ୍କର ଏହି ସଫଳତା। ଯାହା ଓଡ଼ିଶା ଏବଂ ରାଜ୍ୟ ବାହାରେ ଥିବା ଯୁବ କ୍ରୀଡ଼ାବିତମାନଙ୍କୁ ବଡ଼ ସ୍ୱପ୍ନ ଦେଖିବା ଏବଂ ଗର୍ବର ସହ ଜାତିର ସେବା କରିବା ପାଇଁ ପ୍ରେରଣା ଦେଉଛି। By Monalisa Tripathy Last updated Oct 25, 2025 Share ItShare It
Comments are closed.