ଟିପିସିଓଡିଏଲ ପକ୍ଷରୁ ରୁଫଟପ୍ ସୋଲାର୍ ସ୍ଥାପନକୁ ନେଇ ଜନ ସଚେତନତା ଅଭିଯାନର ଶୁଭାରମ୍ଭ


ଭୁବନେଶ୍ୱର: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ସମଗ୍ର କେନ୍ଦ୍ରୀୟ ଓଡ଼ିଶାରେ ରୁଫଟପ୍ ସୋଲାର୍ ସ୍ଥାପନର ଗ୍ରହଣୀୟତାକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଜନ ସଚେତନତା ଅଭିଯାନର ଶୁଭାରମ୍ଭ କରାଯାଇଛି। ଏହି ପଦକ୍ଷେପ, ଅଞ୍ଚଳର ସୌର ଶକ୍ତିକୁ ବିନିଯୋଗ କରି ପିଏମ୍ ସୂର୍ଯ୍ୟଘର ମୁଫ୍‌ତ ବିଜିଲି ଯୋଜନା (ପିଏମଏସଜିଏମବିୱାଇ)କୁ ସଫଳ ରୂପାୟନ କରୁଛି।
ଭୁବନେଶ୍ୱର ବରମୁଣ୍ଡାସ୍ଥିତ ଟିପିସିଓଡିଏଲର ମ୍ୟାନେଜମେଣ୍ଟ ଡେଭଲପମେଣ୍ଟ ସେଣ୍ଟର (ଏମଡିସି)ରେ ଏହି ଅଭିଯାନକୁ ଟିପିସିଓଡିଏଲର ସିଇଓ ଅରଭିନ୍ଦ୍ ସିଂହ ଏବଂ ଟାଟା ପାୱାର ରିନ୍ୟୁଏବଲ୍ ଏନର୍ଜି ଲିମିଟେଡ୍ ର ସୋଲାର୍ ରୁଫଟପ୍ ଏବଂ ଇଭି ଚାର୍ଜିଂ ବିଜନେସ୍ ମୁଖ୍ୟ ଶିବରାମ ବିକିନା ଏହି ଅଭିଯାନକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । କାର୍ଯ୍ୟକ୍ରମରେ ରୁଫଟପ୍ ସୋଲାର ସ୍ଥାପନକୁ ପ୍ରୋତ୍ସାହିତ କରିବା ପାଇଁ ସୌର ଶକ୍ତି, ଉପଲବ୍ଧ ପ୍ରତ୍ସାହନ ରିହାତି ଏବଂ ସ୍ଥାପନ ପ୍ରକ୍ରିୟା ବିଷୟରେ ଆବାସିକ, ଶିଳ୍ପ ସଂସ୍ଥା ପରିଚାଳକ ତଥା ବାଣିଜ୍ୟିକ ଗ୍ରାହକମାନଙ୍କୁ ସଚେତନ କରିବାକୁ ଲକ୍ଷ୍ୟ ରଖାଯାଇଛି।
ଏହି ଅଭିଯାନର ଏକ ଅଂଶ ଭାବରେ ଟିପିସିଓଡିଏଲ୍ ସୌର ଶକ୍ତିର ପ୍ରାରମ୍ଭିକ ଗ୍ରହଣକାରୀମାନଙ୍କୁ ଦୀର୍ଘ ସ୍ଥାୟୀ ବିକାଶ ଦିଗରେ ପରିବେଶ ଅନୁକୂଳ ତଥା ପ୍ରଦୂଷଣ ମୁକ୍ତ ଅଭ୍ୟାସ ପ୍ରତି ସେମାନଙ୍କର ପ୍ରତିବଦ୍ଧତା ପାଇଁ “ଗ୍ରୀନ୍ ଚାମ୍ପିଅନ୍‌” ଭାବରେ ସମ୍ବର୍ଦ୍ଧିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ୫୦ରୁ ଅଧିକ ଉପଭୋକ୍ତା ସେମାନଙ୍କ ଅନୁଭୂତି ବାଣ୍ଟିଥିଲେ । ଅଂଶଗ୍ରହଣକାରି କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ୱଚ୍ଛ ଶକ୍ତିକୁ ରୂପାନ୍ତରୀତ ହେବା ଦିଗରେ ସାମୂହିକ ପ୍ରୟାସ ଉପରେ ଆଲୋକପାତ କରିଥିଲେ।
ପିଏମ୍ ସୂର୍ଯ୍ୟଘର ମୁଫ୍‌ତ ବିଜିଲି ଯୋଜନା (ପିଏମଏସଜିଏମବିୱାଇ) ଅନ୍ତର୍ଗତ ଉପଭୋକ୍ତାମାନେ ୩ କିଲୋୱାଟ ରୁଫ୍ ଟପ୍ ସୋଲାର ସିଷ୍ଟମ ପାଇଁ ୭୮,୦୦୦ ଟଙ୍କା ପର୍ଯ୍ୟନ୍ତ ଆର୍ଥକ ସହାୟତା ପାଇପାରିବେ । ଯେଉଁଥିରେ ଗ୍ରୀନ୍ ସିଟି ମିସନ ଅଧୀନରେ ଭୁବନେଶ୍ୱରବାସୀ କିଲୋୱାଟ୍ ପିଛା ଅତିରିକ୍ତ ୨୦ ହଜାର ଟଙ୍କା ସବସିଡି ପ୍ରଦାନ କରାଯାଉଛି। ଏହାବ୍ୟତୀତ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ଯାହା ୭% ସୁଧ ହାରରେ ୧୨୦ ମାସର ଅବଧି ପାଇଁ କୌଣସି ପୂର୍ବ ପରିଶୋଧ ଶୁଲ୍କ ବିନା ଉପଲବ୍ଧ କରାଯାଉଛି। ସେହିପରି ଆରଡବ୍ଲ୍ୟୁଏ ଏବଂ ଗ୍ରୁପ୍ ହାଉସିଂ ସୋସାଇଟି (ଜିଏଚ୍‌ଏସ୍‌) ସାଧାରଣ ଅଞ୍ଚଳ ବିଦ୍ୟୁତ ବ୍ୟବହାରକୁ ଭରଣା କରିବା ପାଇଁ ରୁଫଟପ୍ ସୋଲାର୍ ସିଷ୍ଟମ୍ ସ୍ଥାପନ କରିପାରିବେ। ସେଥିରେ କିଲୋୱାଟ୍ ପିଛା ୧୮,୦୦୦ ଟଙ୍କା, ୫୦୦ କିଲୋୱାଟ୍ ପର୍ଯ୍ୟନ୍ତ କେନ୍ଦ୍ରୀୟ ସବସିଡି ରହିଛି। ସୌର ଶକ୍ତି ଗ୍ରହଣ କରି ଉପଭୋକ୍ତାମାନେ ସେମାନଙ୍କର ଗ୍ରିଡ୍ ପାୱାର ବ୍ୟବହାର କିଲୋୱାଟ୍ ପିଛା ୧,୨୦୦ ୟୁନିଟ୍ ହ୍ରାସ କରି ଜଳବାୟୁ ପରିବର୍ତନର ଉଚିତ ମୁକାବିଲା ଓ ଦୀର୍ଘ ସ୍ଥାୟୀ ବିକାଶ କ୍ଷେତ୍ରରେ ଯୋଗଦାନ ଦେଇପାରିବେ।
ଏହି ଅଭିଯାନ ସମ୍ପର୍କରେ ଟିପିସିଓଡିଏଲର ସିଇଓ ଅରଭିନ୍ଦ୍ ସିଂହ କହିଛନ୍ତି ଯେ, “ଅକ୍ଷୟ ଶକ୍ତି ସମାଧାନକୁ ପ୍ରୋତ୍ସାହିତ କରିବା ପାଇଁ ଆମର ପ୍ରତିବଦ୍ଧତା ଅତୁଟ ରହିଛି। ଏହି ଅଭିଯାନ କେବଳ ରୁଫଟପ୍ ସୋଲାର୍ ସ୍ଥାପନରେ ସୀମିତ ନୁହେଁ; ବୃହତ୍ତର ଉଦ୍ଦେଶ୍ୟ ଭାବେ ଏହା ଆମ ସମାଜକୁ ଦୀର୍ଘ ସ୍ଥାୟୀ ଭବିଷ୍ୟତ ଗଠନ ଅଭିମୁଖେ ଏକ ଉଦ୍ୟମ। ଆମର ଲକ୍ଷ୍ୟ ହେଉଛି ସୌର ଶକ୍ତିକୁ ଉପଯୋଗ କରି ସବୁଜ ଓଡ଼ିଶା ଗଢ଼ିବା ଦିଗରେ ଯୋଗଦାନ କରିବା ଲାଗି ବିଶେଷ କରି ଜନସାଧାରଣ ଓ ବ୍ୟବସାୟୀମାନଙ୍କୁ ସଶକ୍ତ କରିବା।“
ଏହି ଶୁଭାରମ୍ଭ ସହ ସୌର ସଚେତନତା ଅଭିଯାନ ଏବେ ସମଗ୍ର ଓଡ଼ିଶାକୁ ପ୍ରସାରିତ ହୋଇଛି।
ଓଡ଼ିଶାରେ ବର୍ତମାନ ପ୍ରାୟ ୪୬୦ ମେଗାୱାଟ୍ ସୌର ଶକ୍ତି ଥିବା ବେଳେ ଆଗାମୀ ବର୍ଷଗୁଡ଼ିକରେ ଏହାକୁ ଯଥେଷ୍ଟ ସଂପ୍ରସାରଣ କରାଯିବାର ଯୋଜନା ରହିଛି। ରାଜ୍ୟର ଅକ୍ଷୟ ଶକ୍ତି ନୀତି ୨୦୨୨ରେ ୨୦୩୦ ସୁଦ୍ଧା ୧୦ ଗିଗାୱାଟ ଅକ୍ଷୟ ଶକ୍ତି କ୍ଷମତାରେ ପହଞ୍ଚିବାକୁ ଲକ୍ଷ୍ୟ ରଖାଯାଇଛି। ଟାଟା ପାୱାର ସୋଲାର ୨ ଗିଗାୱାଟରୁ ଅଧିକ ରୁଫଟପ୍ ସୋଲାର୍ ସ୍ଥାପନ ଏବଂ ୧୩% ଅଂଶଧନ ସହ ବଜାରରେ ଶୀର୍ଷରେ ରହିଛି ଓ କ୍ରମାଗତ ୯ ବର୍ଷ ଧରି ଶୀର୍ଷ ରୁଫଟପ ସୋଲାର ଇପିସି ( ଇଞ୍ଜିନିୟରିଂ, ଯୋଗାଣ ଓ ନିର୍ମାଣ) ସଂସ୍ଥା ହୋଇପାରିଛି ।


Share It

Comments are closed.