ୟୁସିସିଆଇଏଲ୍ ପକ୍ଷରୁ ଗ୍ଲୋବାଲ ଟ୍ରେଡ ସୋ ‘ରିସର୍ଜେଂଟ୍ ଓଡ଼ିଶା ୨୦୨୪’ର ଶୁଭାରମ୍ଭ

ପୂର୍ବୋଦୟ ବିକାଶରେ ଆଗରେ ରହିବ ଓଡ଼ିଶା: ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର : ଉତ୍କଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ (ୟୁସିସିଆଇଏଲ୍) ପକ୍ଷରୁ ଓଡ଼ିଶା ସରକାରଙ୍କ ଅଣୁ, କ୍ଷୁ୍ଦ୍ର ଓ ମଧ୍ୟମ ଉଦ୍ୟୋଗ ସହଯୋଗିତାରେ ଭୁବନେଶ୍ୱରର ଜନତା ମଇଦାନଠାରେ ଗ୍ଲୋବାଲ ଟ୍ରେଡ ସୋ’ ରିସର୍ଜେଂଟ ଓଡ଼ିଶା ୨୦୨୪ର ଶୁଭାରମ୍ଭ କରାଯାଇଛି । ୨୦୨୪ ଅଗଷ୍ଟ ୩୦ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଏହି ତିନିଦିନିଆ ଟ୍ରେଡ ସୋ’କୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି । ଏହି ଅବସରରେ ଅନ୍ୟତମ ଅତିଥି ଭାବେ ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଏମଏସଏମଇ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ଓ ୟୁସିସିଆଇଏଲର ସଭାପତି ଡା. ବ୍ରହ୍ମାନନ୍ଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ରିସର୍ଜେଂଟ ଓଡ଼ିଶା ୨୦୨୪କୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆ ସରକାରକୁ ଲୋକଙ୍କ ସରକାର ଓ କୃଷି ପ୍ରଧାନ ରାଜ୍ୟ ଭାବେ ଅଭିହିତ କହିଛନ୍ତି ଯେ ଚାରି ଭାଗରୁ ତିନି ଭାଗ ଲୋକ କୃଷି ଉପରେ ନିର୍ଭର କରୁଛନ୍ତି । ଶିଳ୍ପାୟନ ପ୍ରଭାବରେ ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଛି । ସାଧାରଣ ଶିକ୍ଷା ସହ ବୈଷୟିକ ଶିକ୍ଷା ଗ୍ରହଣ କରୁଥିବା ରାଜ୍ୟର ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି ପ୍ରଦାନ କରିବା ଲାଗି ଶିଳ୍ପାୟନ ସହ ଅଭିବୃଦ୍ଧି ଆଗକୁ ବଢ଼ାଇବାକୁ ପଡ଼ିବ । ରାଜ୍ୟ ସରକାର କେବଳ ବୃହତ ଶିଳ୍ପ ଓ ଖଣିଜ ଶିଳ୍ପ ନୁହେଁ ବରଂ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ତଥା କୃଷି ଭିତିକ ଶିଳ୍ପ ଉପରେ ଜୋର ଦେଉଛନ୍ତି । ମୂଲ୍ୟ ଯୋଗ ଓ ଖାଦ୍ୟ ପ୍ରକ୍ରିୟାକରଣ ଉପରେ ଅଧିକ ଜୋର ଦେବାର ଆବଶ୍ୟକତା ରହିଛି । ଶିଳ୍ପାୟନ ଆଗକୁ ବଢ଼ିଲେ ରାଜ୍ୟରେ ପାଠପଢ଼ୁଥିବା ଯୁବକଯୁବତୀମାନଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ସେମାନଙ୍କୁ ଆଉ ରୋଜଗାର ବିଷୟରେ ଚିନ୍ତା କରିବାକୁ ପଡ଼ିବନି ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବୋଦୟ ବିକାଶ ଉପରେ ଜୋର ଦେଉଛନ୍ତି ବୋଲି କହି ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି ଯେ ପୂର୍ବୋଦୟ ବିକାଶରେ ଓଡ଼ିଶା ସବୁଠୁ ଆଗରେ ରହିବ । ଶିଳ୍ପ ସଂସ୍ଥା ଲାଗି ଭିତିଭୂମି ବିକାଶ କରିବାକୁ ସରକାର ପ୍ରତିବଦ୍ଧ ରହିଛନ୍ତି ବୋଲି ସେ କହିଛନ୍ତି ।
ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ରାଜ୍ୟ ଭିତରେ ମୂଲ୍ୟ ଯୋଗ କରିବା ଲାଗି ଶିଳ୍ପ ସଂସ୍ଥାଗୁଡ଼ିକୁ ଆହ୍ୱାନ ଦେଇଛନ୍ତି । ରାଜ୍ୟରେ ଶିଳ୍ପ ସଂସ୍ଥା ସ୍ଥାପନ କରିବାକୁ ଚାହୁଁଥିବା କମ୍ପାନିଗୁଡ଼ିକୁ ବିନା ମୂଲ୍ୟରେ ଲିଜ୍ ଜରିଆରେ ଜମି ଦେଲେ ଶିଳ୍ପ ସ୍ଥାପନ ପ୍ରକ୍ରିୟା ଆହୁରି ତ୍ୱରାନ୍ୱିତ ହୋଇପାରିବ ବୋଲି ସେ କହିଛନ୍ତି । ଅଭିବୃଦ୍ଧି ନିହାତି ଜରୁରୀ ହୋଇଥିବା ବେଳେ ମିଳିତ ଭାବେ ରାଜ୍ୟର ବିକାଶକୁ ଆଗକୁ ବଢ଼ାଇବା ଲାଗି କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଛନ୍ତି ଏବଂ ଆଗାମୀ ଦିନରେ ଓଡ଼ିଶା ଦେଶର ଏକ ନମ୍ବର ରାଜ୍ୟ ହେବାକୁ ଯାଉଛି ବୋଲି ସେ କହିଛନ୍ତି ।
ଏହି ଅବସରରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ରାଜ୍ୟ ସରକାର ଆୟୋଜନ କରିବାକୁ ଯାଉଥିବା ଉତ୍କର୍ଷ ଓଡ଼ିଶା ନିବେଶକ ସମ୍ମିଳନୀ ଉପରେ ଆଲୋକପାତ କରି କହିଛନ୍ତି ଯେ ଏହି ସମ୍ମିଳନୀ ଜରିଆରେ ୨୦୨୯ ସୁଦ୍ଧା ଦେଶ ଭିତରୁ ୨.୫ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହାସଲ କରିବାକୁ ଲକ୍ଷ୍ୟ ରଖାଯାଇଛି ଏବଂ ୨ ବିଲିଅନ ଡଲାର ଏଫଡିଆଇ ଆଣିବାର ଯୋଜନା ରହିଛି । ରପ୍ତାନି ସମ୍ପର୍କରେ ସେ କହିଛନ୍ତି ଯେ ବର୍ତମାନ ଦେଶର ରପ୍ତାନି ପ୍ରତି ରାଜ୍ୟର ଅବଦାନ ଏବେ ୨.୫ ପ୍ରତିଶତ ଥିବା ବେଳେ ୨୦୪୭ ସୁଦ୍ଧା ତୃତୀୟ ସ୍ଥାନରେ ପହଂଚିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଗ୍ରିନ ହାଇଡ୍ରୋଜେନ, ସେମି କଣ୍ଡକ୍ଟର, ଆଇଟି ଆଦିରେ ପୁଞ୍ଜିନିବେଶ ଆଣିବା ଉପରେ ସରକାର କାର୍ଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି ।
ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ କୁମାର ଶର୍ମା ରାଜ୍ୟରେ ଶିଳ୍ପାୟନର ଆବଶ୍ୟକତା ଉପରେ ଆଲୋକପାତ କରି କହିଛନ୍ତି ଯେ ଶିଳ୍ପାୟନ ନିଯୁକ୍ତି ସୃଷ୍ଟି ଭିତିକ ହେବା ଦରକାର । ଯେଉଁ ପ୍ରକାର ଶିଳ୍ପ ସଂସ୍ଥା ସ୍ଥାପନ ହେଉ ନା କାହିଁକି ତାହା ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଦରକାର ବୋଲି ସେ କହିଛନ୍ତି ।
ଚୀନ କନସଲ ଜେନେରାଲ, କୋଲକାତାର ଜୁ ୱେଇ କହିଛନ୍ତି ଯେ ଖଣିଜ ସମ୍ପଦରେ ଭରପୁର ଓଡ଼ିଶା ହେଉଛି ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଭାରତର ଅନ୍ୟତମ ରାଜ୍ୟ । ଭାରତ ଓ ଚୀନ ବାଣିଜ୍ୟ ସମ୍ପର୍କ ଉପରେ ଆଲୋକପାତ କରି ସେ କହିଛନ୍ତି ଯେ ଭାରତ ସରକାରଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ହେଉଛି । ଆଗାମୀ ଦିନରେ ଭାରତର ପୂର୍ବାଚଂଳ ରାଜ୍ୟଗୁଡ଼ିକ ସହ ବ୍ୟବସାୟ ବଢ଼ାଇବା ପାଇଁ ଆଲୋଚନା କରିବା ଉପରେ ସେ ଜୋର ଦେଇଥିଲେ । ଭାରତ ଓ ଚୀନ ଦ୍ୱିପାକ୍ଷିକ ବାଣିଜ୍ୟ ସମ୍ପର୍କ ୧୩୦ ବିଲିଅନ ଡଲାର ରହିଥିବା ସେ କହିଛନ୍ତି ।
ୟୁସିସିଆଇଏଲ ସଭାପତି ଡ. ବ୍ରହ୍ମା ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରି ଚାମ୍ବରର ଇତିହାସ ଓ କାର୍ଯ୍ୟଧାରା ଉପରେ ଆଲୋକପାତ କରିବା ସହ ଓଡ଼ିଶା ଏବେ ଇସ୍ପାତ, ଆଲୁମିନିୟମ ଓ ଷ୍ଟେନଲେସ ଷ୍ଟିଲର ସର୍ବବୃହତ ଉତ୍ପାଦନକାରୀ ବୋଲି କହିଛନ୍ତି । ଟ୍ରେଡ ସୋ’ରେ ଆୟୋଜନ ହେବାକୁ ଥିବା ବିଭିନ୍ନ କର୍ମଶାଳା ଓ ସେମିନାରରୁ ଯେଉଁ ନିଷ୍କର୍ସ ବାହାରିବ ତାହାକୁ ନେଇ ଏକ ଶ୍ୱେତପତ୍ର ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କ ବିଚାର ଲାଗି ଉପସ୍ଥାପନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।
ଏହି ତିନିଦିନିଆ ସମ୍ମିଳନୀରେ ଓଡ଼ିଶାରେ ନିବେଶ ସମ୍ଭାବନା, ନବସୃଜନର ବିପଦ ଓ ରିୱାର୍ଡ, ଓଡ଼ିଶାର ସମ୍ଭାବନାକୁ ଅନଲକ କରିବା, ପ୍ରତିରକ୍ଷା କ୍ଷେତ୍ରରେ ସମ୍ଭାବନା, ଓଡ଼ିଶାରେ ଲଜିଷ୍ଟିକସ ଓ ପରିବହନ ଭିତିଭୂମି, ନୂଆ ପିଢ଼ିର ଶିଳ୍ପ ଓ ରପ୍ତାନି ସମ୍ଭାବନା, ଡିଜିଟାଇଜେସନ ଓ ଏଆଇ ଜରିଆରେ ବ୍ୟବସାୟକୁ ସହଜ କରିବା ଏବଂ ଉଦ୍ୟମିତା ଜରିଆରେ ମହିଳା ସଶକ୍ତୀକରଣ ଆଦି ବିଷୟରେ ପ୍ୟାନେଲ ଆଲୋଚନା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଏହି ଆଲୋଚନାରେ ଶିଳ୍ପ ଲିଡର, ବିଶେଷଜ୍ଞ, ଉଦ୍ୟୋଗୀ ଓ ସରକାରୀ ଅଧିକାରୀମାନେ ଅଂଶଗ୍ରହଣ କରି ଏହି କ୍ଷେତ୍ରଗୁଡ଼ିକର ସମ୍ଭାବନା ଓ ଆହ୍ୱାନ ଉପରେ ଆଲୋକପାତ କରିବେ ।
ଏହି ଅବସରରେ ନାଲକୋ ସିଏମଡି ଶ୍ରୀ ଶ୍ରୀଧର ପାତ୍ର, ରାଉରକେଲା ଷ୍ଟିଲ ପ୍ଲାଂଟ ଡାଇରେକ୍ଟର ଶ୍ରୀ ଅତନୁ ଭୌମିକ, ୱେଲସ୍ପୁନ ଅଧ୍ୟକ୍ଷ ଶ୍ରୀ ଚିନ୍ତନ ଠାକର, ଆଦିତ୍ୟ ବିର୍ଲ୍ଲା ଗ୍ରୁପ ଅଧ୍ୟକ୍ଷ ଶ୍ରୀ ଅର୍ଦ୍ଧେନ୍ଦୁ ମହାପାତ୍ର, ରିସର୍ଜେଂଟ ଓଡ଼ିଶା ୨୦୨୪ ସଭାପତି ଶ୍ରୀ ପ୍ରବୋଧ ମହାନ୍ତି, ଏମସିଏଲ ନିର୍ଦ୍ଦେଶକ(ଫାଇନାନ୍ସ) ଶ୍ରୀ ଅଜିତ କୁମାର ବେହୁରା, ରାଉରକେଲା ଷ୍ଟିଲ ପ୍ଲାଂଟର ପୂର୍ବତନ ଏମଡି ଡା.ସନକ ମିଶ୍ର, ୟୁଏସଏର ଶ୍ରୀ ଗୋବର୍ଦ୍ଧନ ପଟେଲ, କିସ ଚାନସେଲର ଏବଂ ଏକ ସ୍ଥାୟୀ ବିଶ୍ୱ ପାଇଁ ବିଶ୍ୱସ୍ତରୀୟ ଚୁକ୍ତି, ୟୁଏନଇପି ସେକ୍ରେଟାରୀ ଜେନେରାଲ ଶ୍ରୀ ସତ୍ୟସୁନ୍ଦର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।


Share It

Comments are closed.